ଭୁବନେଶ୍ୱର, ସେପ୍ଟେମ୍ବର ୧: ଭୁବନେଶ୍ୱରସ୍ଥିତ ଓଡ଼ିଶା ଲୋକ ଭବନ ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ (ଆଇଜିବିସି)ର ଗ୍ରୀନ୍ କ୍ୟାମ୍ପସ ରେଟିଂ ସିଷ୍ଟମ୍ ଅଧୀନରେ ପ୍ଲାଟିନମ୍ ପ୍ରମାଣପତ୍ର ହାସଲ କରି ଦେଶର ପ୍ରଥମ ପ୍ଲାଟିନମ୍ ପ୍ରମାଣପତ୍ରପ୍ରାପ୍ତ ଲୋକ ଭବନ ହୋଇଛି। ଏହା ସ୍ଥାୟୀ ଓ ପରିବେଶ ଅନୁକୂଳ ଭିତ୍ତିଭୂମି ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ।
ମଙ୍ଗଳବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଜିବିସିର ଜାତୀୟ ଅଧ୍ୟକ୍ଷ ସି. ଶେଖର ରେଡ୍ଡୀଙ୍କଠାରୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ପ୍ରମାଣପତ୍ର ଗ୍ରହଣ କରିଥିଲେ। ଲୋକ ଭବନ ୧୦୦ରୁ ୮୮ ଅଙ୍କ ହାସଲ କରି ଆଇଜିବିସି ରେଟିଂ ବ୍ୟବସ୍ଥାର ସର୍ବୋଚ୍ଚ ବର୍ଗରେ ସ୍ଥାନ ପାଇଛି।
ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ରାଜ୍ୟପାଳ ଡ. କମ୍ଭମପାଟି ଏହି ସ୍ୱୀକୃତିକୁ ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି କହିବା ସହ ଲୋକ ଭବନକୁ ସବୁଜ ପରିସରରେ ପରିଣତ କରିବା ପାଇଁ ସମସ୍ତଙ୍କ ମିଳିତ ପ୍ରୟାସର ଏହା ଫଳ ବୋଲି କହିଥିଲେ।
ରାଜ୍ୟପାଳ କହିଥିଲେ ଯେ ସବୁଜିମା, ସ୍ୱଚ୍ଛ ଶକ୍ତି ଉତ୍ପାଦନ ଓ ବ୍ୟବହାର, ବୈଦ୍ୟୁତିକ ଯାନର ବ୍ୟବହାର ସମେତ ବିଭିନ୍ନ ପଦକ୍ଷେପକୁ ଏହି ପ୍ରମାଣପତ୍ରରେ ସ୍ୱୀକୃତି ମିଳିଛି। ଯେଉଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା, ଲୋକ ଭବନ ପକ୍ଷରୁ ସେଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଶେଷରେ ଆମେ ସର୍ବୋଚ୍ଚ ରେଟିଂ ହାସଲ କରିପାରିଛୁ।”
ଆଗାମୀ ଦିଲ୍ଲୀ ଗସ୍ତ ସମୟରେ ସେ ଏହି ପ୍ରମାଣପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖାଇବେ ବୋଲି ଡ. କମ୍ଭମପାଟି କହିଥିଲେ। ଏହି ସଫଳତା ଅନ୍ୟାନ୍ୟ ଅନୁଷ୍ଠାନକୁ ମଧ୍ୟ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବା ସହ ସବୁଜ ପ୍ରମାଣପତ୍ର ହାସଲ ପାଇଁ ପ୍ରେରଣା ଯୋଗାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଲୋକ ଭବନ ବାହାରେ ମଧ୍ୟ ଏହି ସବୁଜ ବାର୍ତ୍ତାକୁ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇ ରାଜ୍ୟପାଳ ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କୁ ସବୁଜ ପ୍ରମାଣପତ୍ର ହାସଲ କରିବାକୁ ଆହ୍ୱାନ ଜଣାଇଥିଲେ। ପରିବେଶ ସଚେତନତା ସୃଷ୍ଟିରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧିକ ଭୂମିକା ନେଇପାରିବେ ବୋଲି ସେ କହିଥିଲେ। ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବାରୁ ସେମାନେ ପରିବେଶ ସୁରକ୍ଷାର ଆମ୍ବାସଡର ହୋଇପାରିବେ ବୋଲି ରାଜ୍ୟପାଳ କହିଥିଲେ।
ଲୋକ ଭବନରେ ନିଆଯାଇଥିବା ଅକ୍ଷୟ ଶକ୍ତି ସମ୍ପର୍କିତ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ରା଼ଜ୍ୟପାଳ ଆଲୋକପାତ କରିଥିଲେ। ପରିସରରେ ବର୍ତ୍ତମାନ ୬୩୫ କିଲୋୱାଟ୍ ପିକ୍ (kWp) ସୌର ଶକ୍ତି କ୍ଷମତା ସମ୍ପନ୍ନ ସିଷ୍ଟମ ସ୍ଥାପିତ ହୋଇଥିବା ସେ କହିଥିଲେ। ଘର ଓ ବିଭିନ୍ନ ଅନୁଷ୍ଠାନରେ ଅଧିକରୁ ଅଧିକ ରୂଫ ଟପ ସୋଲାର ସିଷ୍ଟମ ବ୍ୟବହାର କରିବାକୁ ସେ ଆହ୍ୱାନ ଦେଇଥିଲେ। ରା଼ଜ୍ୟପାଳ କହିଥିଲେ ଯେ ଜର୍ମାନୀରେ ବର୍ଷକୁ ପ୍ରାୟ ୧୦୦ ଦିନ ସୂର୍ଯ୍ୟକିରଣ ମିଳେ, ତଥାପି ସେଠାରେ ସୌର ଶକ୍ତିର ବ୍ୟବହାର କରାଯାଉଛି। ଆମ ପାଖରେ ବର୍ଷକୁ ପ୍ରାୟ ୩୦୦ ଦିନ ସୂର୍ଯ୍ୟକିରଣ ମିଳେ। ଯଦି ଆମେ ଏହି ଶକ୍ତିର ଉପଯୋଗ ନକରିବା, ତେବେ ଏହା ଏକ ଅପରାଧ ହେବ।
ଏହାର ସବୁଜ ରୂପାନ୍ତରଣର ଅଂଶ ଭାବରେ, ଓଡ଼ିଶା ଲୋକ ଭବନ ମଧ୍ୟ ଏକ ସମ୍ପୂର୍ଣ୍ଣ ବିଦ୍ୟୁତ୍ ଚାଳିତ କାରକେଡ୍ ଗ୍ରହଣ କରିଛି, ଯାହା ଏହାକୁ ଦେଶର ପ୍ରଥମ ଲୋକ ଭବନ କରିଛି ଯେଉଁଥିରେ ରାଜ୍ୟପାଳଙ୍କ କାରକେଡ୍କୁ ସମ୍ପୂର୍ଣ୍ଣ ଭାବରେ ବୈଦ୍ୟୁତିକ ଯାନରେ ପରିବର୍ତ୍ତନ କରାଯାଇଛି।
ଅକ୍ଷୟ ଶକ୍ତି ବ୍ୟବହାରକୁ ଆହୁରି ବଢ଼ାଇବା ପାଇଁ ଲୋକ ଭବନ ପରିସରରେ ଛୋଟ ଉଇଣ୍ଡ ମିଲ (ପବନ ଚକି) ସ୍ଥାପନ କରିବାକୁ ମଧ୍ୟ ଯୋଜନା ରହିଛି। ଅକ୍ଷୟ ଶକ୍ତିର ବ୍ୟବହାର ବଢ଼ିଲେ ପରିସରକୁ ସ୍ୱଚ୍ଛ ଶକ୍ତି ଆଡ଼କୁ ଆହୁରି ଦୃଢ଼ତାର ସହ ନେବା ସମ୍ଭବ ହେବ ବୋଲି ରା଼ଜ୍ୟପାଳ କହିଥିଲେ।
ପୁରୀସ୍ଥିତ ଲୋକ ଭବନକୁ ମଧ୍ୟ ସବୁଜ ପ୍ରମାଣପତ୍ର ହାସଲ କରାଇବା ପାଇଁ ପଦକ୍ଷେପ ନିଆଯିବ। ଏହାର ପ୍ରଥମ ପଦକ୍ଷେପ ଭାବେ ସେଠାରେ ୧୦୦ କିଲୋୱାଟ୍ର ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି।
ଓଡ଼ିଶା ଓ ସମଗ୍ର ଦେଶରେ ସ୍ୱଚ୍ଛ ଶକ୍ତି ଆଡ଼କୁ ଏକ ବ୍ୟାପକ ପରିବର୍ତ୍ତନ ଆସୁଥିବା କଥା ରା଼ଜ୍ୟପାଳ ଉଲ୍ଲେଖ କରିଥିଲେ। ଏଥିରେ ସୌର ଓ ପବନ ଶକ୍ତି ଭଳି ଅକ୍ଷୟ ଶକ୍ତି ଉତ୍ସର ଗୁରୁତ୍ୱ ଦିନକୁ ଦିନ ବଢ଼ୁଛି ବୋଲି ସେ କହିଥିଲେ।
ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ପରିବେଶ ସୁରକ୍ଷା ପ୍ରତି ରାଜ୍ୟପାଳଙ୍କ ପ୍ରତିବଦ୍ଧତା ଲୋକ ଭବନର ସବୁଜ ରୂପାନ୍ତରଣ ମାଧ୍ୟମରେ ବାସ୍ତବ ରୂପ ନେଇଛି। ଏହି ସ୍ୱୀକୃତି ଓଡ଼ିଶା ପାଇଁ ଗର୍ବର ବିଷୟ ଏବଂ ଭବିଷ୍ୟତରେ ସରକାରୀ କୋଠା ଯୋଜନା କରିବା ସମୟରେ ସବୁଜ ପଦକ୍ଷେପକୁ ସାମିଲ କରିବା ପାଇଁ ବିଭିନ୍ନ ବିଭାଗକୁ ଏହା ପ୍ରୋତ୍ସାହିତ କରିବ ବୋଲି ସେ କହିଥିଲେ।
ଏହି ଅବସରରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଡ. ରୂପା ରୋଶନ ସାହୁ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଆଇଜିବିସିର ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

