ଭୁବନେଶ୍ୱର : କରୋନା ସମୟରେ ଲୋକଙ୍କ ହାତକୁ ଟଙ୍କା ଆସିବା ଜରୁରୀ ହୋଇଥିବାବେଳେ ସରକାରଙ୍କ ଦ୍ୱାରା ବ୍ୟୟ ହ୍ରାସ ଏଥିରେ ବାଧକ ସାଜିଛି । ଗତବର୍ଷ ତୁଳନାରେ ଅଧିକ ଖର୍ଚ୍ଚ କରିବା ବଦଳରେ ରାଜ୍ୟ ସରକାର ଚଳିତ ଆର୍ଥିକବର୍ଷର ଡିସେମ୍ବର ଶେଷ ସୁଦ୍ଧା ୧୩ହଜାର କୋଟି ଟଙ୍କା କମ୍ ଖର୍ଚ୍ଚ କରିଛନ୍ତି ।
ସଦ୍ୟତମ ଆର୍ଥିକ ସମୀକ୍ଷାରୁ ଜଣାପଡିଛି ଯେ କରୋନା ମହାମାରୀ ଯୋଗୁଁ ସରକାରୀ ବିଭାଗମାନେ ଅପେକ୍ଷାକୃତ କମ୍ ଟଙ୍କା ଖର୍ଚ୍ଚ କରିଛନ୍ତି । ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଡିସେମ୍ବର ମଧ୍ୟରେ ରାଜ୍ୟ ସରକାର ମୋଟ୍ ୭୨,୯୬୮କୋଟି ଟଙ୍କା ବ୍ୟୟ କରିଛନ୍ତି ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୧୩,୧୪୪କୋଟି ଟଙ୍କା କମ୍ । ୨୦୧୯ ଏପ୍ରିଲ୍ରୁ ଡିସେମ୍ବର ମଧ୍ୟରେ ରାଜ୍ୟ ସରକାର ୮୬,୧୧୨କୋଟି ଟଙ୍କା ଖର୍ଚ୍ଚ କରିଥିଲେ ।
ଗତ ଆର୍ଥିକ ବର୍ଷ ତୁଳନାରେ ରାଜ୍ୟ ସରକାର ୧୫ପ୍ରତିଶତ କମ୍ ବ୍ୟୟ କରିଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ତୁଳନାତ୍ମକ ଭାବେ ୧୪ ପ୍ରତିଶତ ଅଧିକ ଅର୍ଥ ଖର୍ଚ୍ଚ କରିଥିଲେ । ଏହାଦ୍ୱାରା ରାଜ୍ୟରେ ଉନ୍ନୟନ ବ୍ୟୟ ଅଧିକ ହୋଇଥିଲା ଏବଂ ଲୋକଙ୍କ ହାତକୁ ଅଧିକ ପଇସା ଆସିଥିଲା ବୋଲି ଆର୍ଥିକ ବିଶେଷଜ୍ଞମାନେ ମତ ଦେଉଛନ୍ତି । ତେବେ ଚଳିତ ଆର୍ଥିକ ବର୍ଷରେ ଏହି ବ୍ୟୟ ହ୍ରାସ ପାଇଛି ।
୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧,୧୪,୭୯୧ କୋଟି ଟଙ୍କାର ରାଜସ୍ୱ ବ୍ୟୟ ମଞ୍ଜୁରୀ କରିଥିବାବେଳେ ଏଥିରୁ ମାତ୍ର ୬୦,୮୯୭କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହାକି ପୂର୍ବବର୍ଷ ତୁଳନାରେ ୧୫ ପ୍ରତିଶତ କମ୍ । ସେହିଭଳି ୨୦୧୯ ବର୍ଷର ଏପ୍ରିଲ ରୁ ଡିସେମ୍ବର ମଧ୍ୟରେ ରାଜସ୍ୱ ବ୍ୟୟ କ୍ଷେତ୍ରରେ ୭୧,୬୯୭କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଯାହାକି ୨୦୧୮ ର ଏହି ସମୟ ତୁଳନାରେ ୨୩ ପ୍ରତିଶତ ଅଧିକ ଥିଲା । ୨୦୨୦-୨୧ ବଜେଟ୍ରେ ପୁଞ୍ଜି ବ୍ୟୟ ବାବଦକୁ ସର୍ବାଧିକ ୩୫,୨୦୯କୋଟି ଟଙ୍କାର ବ୍ୟବସ୍ଥା ରହିଥିଲା । ତେବେ ଏ କ୍ଷେତ୍ରରେ ୧୬ ପ୍ରତିଶତ କମ୍ ବ୍ୟୟ ଯୋଗୁଁ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅପେକ୍ଷାକୃତ କମ୍ ଖର୍ଚ୍ଚହୋଇଛି ।
୨୦୨୦ ବର୍ଷର ଏପ୍ରିଲ୍ରୁ ଡିସେମ୍ବର ମଧ୍ୟରେ ପୁଞ୍ଜି ବ୍ୟୟ ୮୦୮୮ କୋଟି ଟଙ୍କା ହୋଇଛି ଯାହାକି ୨୦୧୯ ର ଏହି ସମୟରେ ୧୧,୬୯୨କୋଟି ଟଙ୍କା ଥିଲା । ଉଭୟ ରାଜସ୍ୱ ଓ ପୁଞ୍ଜି ବ୍ୟୟ ହ୍ରାସ ପାଇବା ସହିତ ଯେଉଁ ହାରରେ ଏହା ଖର୍ଚ୍ଚ ଚାଲିଛି ଆଗାମୀ ଦୁଇ ମାସରେ ଅଧିକ ଅର୍ଥ ବ୍ୟୟ କରି ବଜେଟ୍ର ଲକ୍ଷ୍ୟପୂରଣ ସମ୍ଭବ ନୁହେଁ ।
୨୦୧୯-୨୦ ବାର୍ଷିକ ବଜେଟ୍ରେ ଉନ୍ନୟନ ଖର୍ଚ୍ଚ ଜିଏସ୍ଡିପିର ୧୭.୩୯ ପ୍ରତିଶତ ହୋଇଥିବାବେଳେ ଚଳିତ ଆର୍ଥିକବର୍ଷର ଉକ୍ତ ସମୟରେ ଏହା ୮.୧୬ ପ୍ରତିଶତକୁ ହ୍ରାସ ପାଇଛି । ଓଡିଶାର ଜିଏସ୍ଡିପି ୫,୩୦,୦୦୦ କୋଟି ଟଙ୍କା ହୋଇଥିବାବେଳେ କମ୍ ବ୍ୟୟ ଯୋଗୁଁ ଅର୍ଥନୀତି ସଙ୍କୁଚିତ ହେବାରେ ଲାଗିଛି । ସେହିଭଳି ଚଳିତ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ୫୬ହଜାର କୋଟି ଟଙ୍କାର ଟିକସ ସଂଗ୍ରହ ଲକ୍ଷ୍ୟ ଥିବାବେଳେ ଆଦାୟ ହୋଇଛି ମାତ୍ର ୩୪,୧୦୯ କୋଟି ଟଙ୍କା । ରାଜ୍ୟ ସରକାର ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ପୂରଣ ଲାଗି ଆଶାବାଦୀ ଥିବାବେଳେ କେନ୍ଦ୍ରରୁ ମିଳୁଥିବା ଅର୍ଥ ପରିମାଣ ହ୍ରାସ ପାଇବା ରାଜ୍ୟପାଇଁ ଚିନ୍ତାର କାରଣ ପାଲଟିଛି ।