ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ବାଣପୁର ଠାରେ ନିଜ ଗାଡି ଚଢାଇ କର୍ତ୍ତବ୍ୟରତ ପୁଲିସ୍ଙ୍କ ସମେତ ୨୦ରୁ ଅଧିକ ଲୋକଙ୍କୁ ଆହତ କରିଛନ୍ତି । ଗୁରୁତର ଲୋକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାବେଳେ ଏମାନଙ୍କ ମଧ୍ୟରେ ବାଣପୁର ଥାନା ଅଧିକାରୀ ଓ ଜଣେ ମହିଳା ରହିଛନ୍ତି ।
ଆଜି ପୂର୍ବାହ୍ନରେ ବିଧାୟକ ଶ୍ରୀ ଜଗଦ୍ଦେବ ନିଜ ଗାଡି ଚଳାଇ ଯାଉଥିବାବେଳେ ବାଣପୁର ନିକଟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ ଲୋକେ ରୁଣ୍ଡ ହୋଇଥିଲେ । ତେବେ ସେଠାରେ ବିଧାୟକଙ୍କ ଗାଡିଲୋକଙ୍କୁ ଧକ୍କା ଦେବାରୁ ଲୋକେ ଉତ୍ୟକ୍ତହୋଇ ତାଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ । ଜନ ଗହଳି ମଧ୍ୟରେ ବିଧାୟକ ତିନି ତିନିଥର ଗାଡି ଚଢାଇ ଦେବାରୁ ଉପସ୍ଥିତ ୧୦ଜଣ ପୁଲିସ୍, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକେ ଆହତ ହୋଇଥିଲେ ।
ଏଭଳି କାଣ୍ଡ ପରେ ଉପସ୍ଥିତ ଲୋକେ ବିଧାୟକଙ୍କୁ ଗାଡିରୁ ଭିଡିଆଣି ତଳେ ପକାଇ ଗଡେଇ ତଡେଇ ବାଡେଇବା ସହିତ ତାଙ୍କ ଗାଡିକୁ ଭାଙ୍ଗି ଚୂରମାର କରିଦେଇଥିଲେ । ଲୋକଙ୍କ ମାଡପରେ ବିଧାୟକ ଶ୍ରୀ ଜଗଦ୍ଦେବ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।
ଏଭଳି ଘଟଣା ପରେ ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଗଣମାଧ୍ୟକୁ କହିଛନ୍ତି ଯେ ଜଗଦେବଙ୍କ ଏଭଳି ବର୍ବରୋଚିତ କାର୍ଯ୍ୟକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଛି । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ଦୋଷୀଙ୍କ ବିରୁଦ୍ଧରେ ପୁଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ପୂର୍ବରୁ ଶ୍ରୀ ଜଗଦେବ ତାଙ୍କର ଏଭଳି ଆଚରଣ ପାଇଁ ବିଜେଡିରୁ ନିଲମ୍ବିତ ହୋଇଥିବା ଡକ୍ଟର ପାତ୍ର କହିଥିଲେ ।