ଭୁବନେଶ୍ୱର : ଯାତ୍ରୀ ପରିବହନ କରୁଥିବା କ୍ୟାବ୍ ଗୁଡିକ ଏବେ ଲୋକଙ୍କୁ ଶୋଷଣ ଆରମ୍ଭ କରିଛନ୍ତି । ଗନ୍ତବ୍ୟସ୍ଥଳକୁ ଯିବାପାଇଁ ଚାହୁଁଥିବା ଲୋକେ କ୍ୟାବ୍ ବୁକ୍ କଲେ ସେମାନଙ୍କୁ ଅଧିକ ଅର୍ଥ ଦାବି କରାଯିବା ସହିତ ବିଳମ୍ବିତ ରାତିରେ ବୁକିଂ ବାତିଲ କରିବାକୁ ବି ପଛାଉ ନାହାନ୍ତି ।
ରାଜଧାନୀରେ ଏବେ ଏକାଧିକ କ୍ୟାବ୍ ପରିବହନ ସେବା ଯୋଗାଉଛନ୍ତି । ଲୋକଙ୍କ ଆକର୍ଷିତ କରିବାଲାଗି ଏମାନେ ବିଭିନ୍ନ ପ୍ରକାର ଆକର୍ଷଣୀୟ ଅଫର ବି ଜାରି କରୁଛନ୍ତି । ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା ଚଳାଉଛନ୍ତି । ତେବେ ଯେଉଁମାନେ କ୍ୟାବ୍ ବୁକିଂ କରୁଛନ୍ତି ସେମାନେ କିନ୍ତୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ସଂଧ୍ୟା ସମୟ କିମ୍ବା ବିଳମ୍ବିତ ରାତିରେ ସମସ୍ୟା ଅଧିକ ଭାବେ ପରିଲକ୍ଷିତ ହେଉଛି ।
ଥରେ କ୍ୟାବ୍ ବୁକିଂ କରିସାରିଲା ପରେ ଦୁଇ ଚକିଆ ହେଉ କିମ୍ବା ଚାରି ଚକିଆ, କେହି ସହଜରେ ବୁକିଂ ହୋଇଥିବା ସ୍ଥାନରେ ପହଞ୍ଚୁ ନାହାନ୍ତି । ଦୁଇ ଚକିଆ କ୍ୟାବ୍ କ୍ଷେତ୍ରରେ ଏହି ସମସ୍ୟା ଅଧିକ ପରିଲକ୍ଷିତ ହୋଇଛି । ଗୋଟିଏ ଗାଡି ନମ୍ବର ବାତିଲ ହୋଇ ଛାଏଁ ଛାଏଁ ଆଉ ଗୋଟିଏ ଗାଡି ନମ୍ବର ଯୋଡିହୋଇ ଯାଉଛି । ଫଳରେ ସମୟ ଗଡି ଚାଲୁଛି । ଯଦି ଗ୍ରାହକଟି ବ୍ୟସ୍ତ ହୋଇ ନିଜ ଆଡୁ ଫୋନ୍ କରୁଛି, ତେବେ କ୍ୟାବ୍ ଚାଳକ ପ୍ରଥମେ କେତେ ଟଙ୍କାରେ ବୁକିଂ କରିବ ବୋଲି ପଚାରୁଛନ୍ତି । ବୁକିଂ ଦର ଶୁଣିବାପରେ ଏତିକିରେ ଯାଇ ହେବନାହିଁ କହୁଛନ୍ତି । ଏଥି ସହିତ ଅଧିକ ଅର୍ଥ ଦାବି ବି କରୁଛନ୍ତି । ଯଦି ବୁକିଂ କରିଥିବା ଲୋକେ ଅଧିକ ଅର୍ଥ ଦେବାକୁ ରାଜି ହେଉନାହାନ୍ତି, ତେବେ କ୍ୟାବ୍ ବୁକିଂ ଛାଏଁ ଛାଏଁ ବାତିଲ ହେଉଛି ନଚେତ୍ ସମୟ ଗଡିବରେ ଲାଗୁଛି ।
ରେଳଷ୍ଟସନ ଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ଯିବାକୁ କ୍ୟାବ୍ ବୁକିଂ କରୁଥିବା ଲୋକେ ଏବେ ପ୍ରତିଦିନ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ କାନମୁଣ୍ଡା ଆଉଁଷି ଅଧିକ ଦରରେ ଟ୍ୟାକ୍ସିଭଡା କରି ଯାଉଥିବାବେଳେ କ୍ୟାବ୍ କମ୍ପାନୀ ନିକଟରେ ଅଭିଯୋଗ କରି ଝାମେଲାରେ ପଡିବାକୁ ଚାହୁଁନାହାନ୍ତି ।
କେବଳ ଦୁଇ ଚକିଆ ନୁହେଁ, ତିନି ଓ ଚାରି ଚକିଆ କ୍ୟାବ୍ ଗୁଡିକ ବି ବିଳମ୍ବିତ ରାତିରେ ଲୋକଙ୍କୁ ଅଧିକ ଅର୍ଥ ମାଗିବାକୁ ପଛାଉ ନାହାନ୍ତି । ଯିଏ ଅଧିକ ଅର୍ଥ ଦେବାକୁ ରାଜି ହେଉଛି ତେବେ ଆସୁଛନ୍ତି, ନହେଲେ ବୁକିଂ ବାତିଲ ପାଇଁ ବାଧ୍ୟ କରୁଛନ୍ତି । ଏପରିକି ମହିଳା ଗ୍ରାହକଙ୍କୁ ଫୋନ୍ରେ ଖରାପ ବ୍ୟବହାର କରିବାକୁ ବି ପଛାଉ ନାହାନ୍ତି । ଯେଉଁମାନେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ଅଭିଯୋଗ କରିବାକୁ ବି ନାଲିଆଖି ଦେଖାଉଛନ୍ତି ।
ରାଜଧାନୀର ରେଳଷ୍ଟେସନ ଓ ବିମାନବନ୍ଦରରେ ସରକାରଙ୍କ ପକ୍ଷରୁ ପୁଲିସ୍ ହେପାଜତରେ କ୍ୟାବ୍ ପରିଚାଳନା ଯୋଜନାଟି ବର୍ତ୍ତମାନ ସୁଦ୍ଧା ନାଲିଫିତା ତଳେ ରହିଯାଇ ଥିବାରୁ ଘରୋଇ କ୍ୟାବ୍ ଗୁଡିକ ଏବେ ଭାବେ ଶୋଷଣ କରୁଥିବାର ଅଭିଯୋଗ ହେଉଛି । ଅବସ୍ଥା ଏଭଳି ହେଲାଣି ଯେ ରାତ୍ରୀ ସମୟରେ ଏମାନଙ୍କ ସହିତ ଯିବାକୁ ବି ଲୋକେ ସୁରକ୍ଷିତ ମଣୁନାହାନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ପୁଲିସ୍ ସହାୟତାରେ ରେଳଷ୍ଟେସନ, ବସ୍ଷ୍ଟାଣ୍ଡ ଓ ବିମାନବନ୍ଦରରୁ କ୍ୟାବସେବା ଆରମ୍ଭ ସହିତ ଘରୋଇ କ୍ୟାବ୍ର ଶୋଷଣ ଉପରେ ନଜର ରଖିବାକୁ ମତପ୍ରକାଶ ପାଉଛି । (ତଥ୍ୟ)

