ଭୁବନେଶ୍ୱର : ଓଡ଼ିଶା ପାଇଁ ବର୍ଷକୁ ପ୍ରାୟ ୭ଲକ୍ଷ ମେଟ୍ରିକ୍ଟନ୍ ଲୁଣ ଆବଶ୍ୟକ ଥିବାବେଳେ ରାଜ୍ୟରେ ୭ହଜାର ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ଲୁଣ ବି ଉତ୍ପାଦିତ ହୋଇପାରୁନାହିଁ । ଫଳରେ ଘରୋଇ ବ୍ୟବହାର ଓ ଶିଳ୍ପ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଗୁଡିକ ଉପରେ ଲୁଣ ପାଇଁ ନିର୍ଭରଶୀଳ । ଅର୍ଥନୀତି ବିଶେଷଜ୍ଞମାନେ କହିଛନ୍ତି ଯେ ଲୁଣ ଉତ୍ପାଦନ ଲାଗି ଓଡ଼ିଶାର ଯେଉଁ ପ୍ରାକୃତିକ ଭିତ୍ତିଭୂମି ରହିଛି ତାହାର ପୂର୍ଣ୍ଣ ଉପଯୋଗ କରାଯାଇପାରିଲେ ୫୦ହଜାରରୁ ଊର୍ଦ୍ଧ୍ୱ କର୍ମନିଯୁକ୍ତି ସୃଷ୍ଟି ହେବା ସହିତ ରାଜ୍ୟର ଅର୍ଥନୀତି ବି ସମୃଦ୍ଧ ହୋଇପାରିବ ।
ସରକାରୀ ହିସାବ ମୁତାବକ ରାଜ୍ୟରେ ଖାଇବା ପାଇଁ ବର୍ଷକୁ ପ୍ରାୟ ୩ଲକ୍ଷ ମେଟ୍ରିକ୍ଟନ୍ ଲୁଣ ଆବଶ୍ୟକ ପଡୁଥିବାବେଳେ ଶିଳ୍ପାନୁଷ୍ଠାନ ଓ ଗୃହପାଳିତ ପଶୁଙ୍କ ଲାଗି ବାର୍ଷିକ ପ୍ରାୟ ୪ଲକ୍ଷ ମେଟ୍ରିକ୍ଟନ୍ ଲୁଣ ଦରକାର ହେଉଛି । ଏ କ୍ଷେତ୍ରରେ ଓଡ଼ିଶାରେ ବାର୍ଷିକ ୩ହଜାର ୪ଶହ ମେଟ୍ରିକ୍ଟନ୍ରୁ କମ୍ ଲୁଣ ଉତ୍ପାଦିତ ହେଉଛି ।
ଓଡ଼ିଶାର ୪୮୦ କିଲୋମିଟର ଦୈର୍ଘ୍ୟର ସାମୁଦ୍ରିକ ଉପକୂଳ ଥିବାବେଳେ ଏଠି ୧୧ଶହ ବର୍ଗକିଲୋମିଟର ପରିମିତ ଲବଣାକ୍ତ ହ୍ରଦ ଚିଲିକା ରହିଛି । ପ୍ରକୃତିଦତ୍ତ ଏହି ଭିତ୍ତିଭୂମିର ଉପଯୋଗ କରାଯାଇପାରିଲେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତ୍ସିଂହପୁର, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ ଲୁଣ ଉତ୍ପାଦନ କରାଯାଇପାରିବ ।
ଉତ୍ପାଦିତ ଲୁଣକୁ ଖୁବ୍ କମ୍ ପୁଞ୍ଜି ବ୍ୟୟରେ ଆୟୋଡିନ୍ଯୁକ୍ତ କରାଯାଇ ରାଜ୍ୟ ଭିତରେ ଓ ବାହାରେ ବିକ୍ରୟ କରାଯାଇପାରିବ । ଏ ସଂକ୍ରାନ୍ତରେ ଉତ୍କଳଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ବ୍ୟାସକବି ଫକୀରମୋହନଙ୍କ ସମୟରୁ ଦାବି କରାଯାଉଥିଲେ ବି ଭାରତ ସରକାରଙ୍କ ଲବଣ କମିଶନରଙ୍କ ସୁଦୃଷ୍ଟି ଏଯାବତ୍ ଓଡ଼ିଶା ଉପରେ ପଡୁନଥିବାରୁ ତାମିଲନାଡୁ, ରାଜସ୍ଥାନ, ଗୁଜୁରାଟ ଆଦିରୁ ବଡ ବଡ କମ୍ପାନୀର ପ୍ୟାକେଟ୍ରେ ଆସୁଥିବା ଲୁଣକୁ ଓଡିଆଲୋକେ କିଲୋପିଛା ୨୦ରୁ ୩୦ଟଙ୍କା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ଭିତରେ ଲୁଣ ଉତ୍ପାଦନ କରି ଏହାକୁ ଆୟୋଡିନ୍ଯୁକ୍ତ କରାଯାଇପାରିଲେ ଲୁଣ କିଲୋ ୧୦ରୁ ୧୫ଟଙ୍କାରେ ଉପଲବ୍ଧ ହୋଇପାରନ୍ତା ବୋଲି କୁହାଯାଉଛି ।
ଏଠାରେ ଉଲ୍ଲେଖନୀୟ ଯେ ୯୩ବର୍ଷ ତଳେ ୧୯୩୦ ଏପ୍ରିଲ ୬ ତାରିଖରେ ମହାତ୍ମାଗାନ୍ଧୀ ଗୁଜୁରାଟର ସମୁଦ୍ର ତଟବର୍ତ୍ତୀ ଦାଣ୍ଡିଠାରେ ଲୁଣମାରି ଲବଣ ଆଇନ ଭଙ୍ଗ କରିଥିଲେ । ଲବଣ ସତ୍ୟାଗ୍ରହ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ପ୍ରମୁଖ ମାଇଲ୍ଖୁଣ୍ଟ । ସେତେବେଳେ ଓଡ଼ିଶାର ଇଞ୍ଚୁଡି, ଶ୍ରୀଜଙ୍ଗ, କୁଜଙ୍ଗ, କୁହୁଡି, ରମ୍ଭା, ହୁମ୍ମା ଆଦି ସ୍ଥାନରେ ଲବଣ ସତ୍ୟାଗ୍ରହ ଉଗ୍ରରୂପ ନେଇଥିଲା ଏବଂ ଏଥିରେ ସାମିଲ ହୋଇ ବହୁ ମହିଳାଙ୍କ ସମେତ ଅନେକ ସତ୍ୟାଗ୍ରହୀ କାରାବରଣ କରିଥିଲେ ।
ଲୁଣ ଉତ୍ପାଦନ ପାଇଁ ରାଜ୍ୟରେ ଯେତେସବୁ ସମବାୟ ସମିତି ଗଠନ କରାଯାଇଥିଲା ସେସବୁ ଏବେ ଏକପ୍ରକାର ମୃତ ଅବସ୍ଥାରେ ପଡିଛି । ବାଲେଶ୍ୱର, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ଏହି ସମିତି ଗୁଡିକ ଏକପ୍ରକାର ଅଚଳ ହୋଇ ରହିଛି । ଏଯାବତ୍ ଓଡ଼ିଶା ଚେନ୍ନାଇରେ ଥିବା ଲବଣ କମିଶନରଙ୍କ ଦପ୍ତର ଅଧିନରେ ରହିଛି । ଓଡ଼ିଶାରେ ଲବଣ କମିଶନରଙ୍କ ଦପ୍ତର ଖୋଲିବା ପାଇଁ ଦୀର୍ଘବର୍ଷରୁ ଲୁଣ ଚାଷୀମାନେ ଦାବି କରିଆସୁଥିଲେ ମଧ୍ୟ ସେଥିପ୍ରତି କେହି କର୍ଣ୍ଣପାତ କରୁନାହାଁନ୍ତି ।
ସାମାନ୍ୟ ପ୍ରୋତ୍ସାହନ ସହ ଅତ୍ୟାଧୂନିକ ଜ୍ଞାନକୌଶଳ ଯୋଗାଇ ଦିଆଗଲେ କେବଳ ଲୁଣ ଉତ୍ପାଦନ ନୁହେଁ, ଲୁଣ ରପ୍ତାନୀ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଅନେକ ରାଜ୍ୟକୁ ଟପିଯାଇପାରିବ । ତେବେ ଏ କ୍ଷେତ୍ରରେ ବହୁଦେଶୀୟ କମ୍ପାନୀ କିମ୍ବା ପୁଞ୍ଜିପତିମାନଙ୍କୁ ପ୍ରବେଶ ନକରାଇ ଲବଣ ସମବାୟ ସମିତି ମାଧ୍ୟମରେ ଲୁଣ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଇପାରିଲେ ଆତ୍ମନିଯୁକ୍ତିର କ୍ଷେତ୍ର ବୃଦ୍ଧି ପାଇବା ସହିତ ଗ୍ରାମୀଣ ଅର୍ଥନୀତି ସଙ୍ଗେ ସଙ୍ଗେ ରାଜ୍ୟ ଅର୍ଥନୀତି ବି ସୁଦୃଢ ହୋଇପାରିବ ବୋଲି ଅର୍ଥନୀତି ବିଶାରଦମାନେ ମତବ୍ୟକ୍ତ କରିଛନ୍ତି । (ତଥ୍ୟ)