Home Environment ଲିଚୁ ଲାଇଟ୍‍ ଦର ଆକାଶଛୁଆଁ

ଲିଚୁ ଲାଇଟ୍‍ ଦର ଆକାଶଛୁଆଁ

କରୋନା ପାଇଁ ଚଳିତବର୍ଷ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲାଗିଥିବାବେଳେ ଲୋକଙ୍କ ଚାହିଦା ଏବେ ଦୀପ ଓ ବିଭିନ୍ନ ରଙ୍ଗ ବେରଙ୍ଗର ଲିଚୁ ଲାଇଟ୍‍ ଉପରେ ରହିଛି । ତେବେ ଲୋକଙ୍କ ବିକଳିଆ ଅବସ୍ଥାକୁ ଦେଖି ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଲିଚୁ ଓ ଅନ୍ୟାନ୍ୟ ଲାଇଟ୍‍ ଉପରେ ଦୁଇ ତିନି ଗୁଣା ଦର କଷୁଥିବା ଲକ୍ଷ୍ୟ କରାଯାଉଛି ।

ଆଲୋକର ପର୍ବ ଦୀପାବଳୀ ମୁଖ୍ୟ ଆକର୍ଷଣ ବାଣ ହୋଇଥିବାବେଳେ ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାଣ ନଫୁଟାଇବାକୁ ଖୋଦ୍‍ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏହା ବଦଳରେ ଘରେ ରହି ଦୀପ ଓ ଆଲୋକ ଜାଳିବାପାଇଁ ଅନୁରୋଧ କରାଯାଇଛି । ଯେହେତୁ ବାଣ ବିକ୍ରି ଓ ଫୁଟାଇବା ଉପରେ ସରକାର କଡା କଟକଣା ଲଗାଇଛନ୍ତି ତେଣୁ ଲୋକେ ଏବେ ରଙ୍ଗ ବେରଙ୍ଗର ଆଲୋକ କିଣିବାପାଇଁ ବଜାରରେ ଭିଡ ଜମାଉଛନ୍ତି ।

କରୋନା କଟକଣା ଯୋଗୁଁ ଚଳିତବର୍ଷ ଲିଚୁ ଲାଇଟ୍‍ ଗୁଡିକ ପୂର୍ବଭଳି ଆମଦାନୀ ହୋଇନଥିବାବେଳେ ଯାହା ନିକଟରେ ଯେତିକି ରହିଛି ତାହାକୁ ବିକ୍ରି କରୁଛନ୍ତି । ତେବେ ଯେଉଁ ଲିଚୁ ହାର ଗତବର୍ଷ ୧୫୦/୨୦୦ ଟଙ୍କାରେ ବିକ୍ରି ହେଉଥିଲା ତାହା ଚଳିତବର୍ଷ ୪୦୦ ଟଙ୍କାରେ ବିକ୍ରି ହେଉଛି । ଚାହିଦା ତୁଳନାରେ ବଜାରରେ କମ୍‍ ପରିମାଣର ସାମଗ୍ରୀ ଥିବାରୁ ବ୍ୟବସାୟୀମାନେ ଦର କଷିକରି ନେଉଥିବା ଦେଖିବାକୁ ମିଳୁଛି ।

ଅନ୍ୟ ପକ୍ଷରେ ମାଟି ଦୀପର ଚାହିଦା ଥିଲେ ବି ତାହାର ସେଭଳି ଦରବୃଦ୍ଧି ଘଟିନାହିଁ । ଟଙ୍କେ ଦୁଇ ଟଙ୍କାରୁ ମାଟିଦୀପର ଦର ରହୁଥିବାବେଳେ ରାଜ୍ୟ ବାହାରୁ ଆମଦାନୀ ହୋଇଥିବା ରଙ୍ଗ ବେରଙ୍ଗର ମାଟିଦୀପର ଦର ଉଚ୍ଚା ରହୁଛି । ତେବେ ଗତବର୍ଷ ଦର ତୁଳନାରେ ସେଭଳି କିଛି ବୃଦ୍ଧି ପାଇନାହିଁ । କିନ୍ତୁ ବଜାରରେ ଚଳିତବର୍ଷ ମହମବତୀ ଓ ମହମରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଦୀପର ଅଭାବ ପରିଲକ୍ଷିତ ହୋଇଛି । ବ୍ୟବସାୟୀମାନେ ଏଥିପାଇଁ କରୋନା କଟକଣାକୁ ଦାୟୀ କରୁଛନ୍ତି ।

ତେବେ ଧୂଆଁକୁ ଡରି ସରକାର ବାଣଫୁଟା ଉପରେ କଟକଣା ଲଗାଇଥିବାବେଳେ ବଜାରରେ କିନ୍ତୁ ଦୀପ ଜାଳିବାପାଇଁ ଅତ୍ୟନ୍ତ ନିମ୍ନମାନର ତେଲ ବିକ୍ରି ହେବାରେ ଲାଗିଛି । ଜଡାତେଲ ନାଁରେ ବହୁ ସ୍ଥାନରେ ପାମୋଲିନ୍‍ ଓ ପୋଡା ମୋବିଲ ବିକ୍ରି ହେଉଛି । ଏଭଳି ତେଲର ମାନ ପରଖିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ବ୍ୟବସାୟୀମାନେ ବେଧଡକରେ ବିକ୍ରି କରୁଛନ୍ତି । ଏହିସବୁ ନିମ୍ନମାନର ତେଲରୁ ବିଷାକ୍ତ ଧୂଆଁ ସୃଷ୍ଟି ହେବା ଏକ ପ୍ରକାର ନିଶ୍ଚିତ । ତେଣୁ ବାଣ କଟକଣା ଭଳି ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।