ଭୁବନେଶ୍ୱର : ଦକ୍ଷତା ବିକାଶ ତାଲିମ ନେଇ ଗତ ୧୦ବର୍ଷରେ ଏକ ଲକ୍ଷରୁ ଅଧିକ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏମାନଙ୍କ ମଧ୍ୟରେ କୋରାପୁଟରର ୨୦୩୧ ଜଣ ତାଲିମ ନେଇଥିବାବେଳେ ୭୪୯ଜଣ ନିଯୁକ୍ତି ସୁଯୋଗ ପାଇଛନ୍ତି ।
ଦକ୍ଷତା ବିକାଶ ଓ ନିଯୁକ୍ତି ତାଲିମ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ଶ୍ରୀ ବାହିନିପତି ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧିନରେ ପରିଚାଳିତ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଗତ ୧୦ବର୍ଷ ଅର୍ଥାତ୍ ୨୦୧୩-୧୪ ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟରେ ଏକ ଲକ୍ଷ ୭ହଜାର ୩୧୨ ଜଣ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଅଛି । ସେଥି ମଧ୍ୟରୁ କୋରାପୁଟ ଜିଲ୍ଲାରେ ୨୦୩୨ ଜଣ ଯୁବ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇ ୭୪୯ଜଣଙ୍କୁ ବେସରାରୀ ସଂସ୍ଥାରେ ନିଯୁକ୍ତି ପ୍ରଦାନ କରାଯାଇଛି ।
ସେହିଭଳି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ବିଗତ ୪ବର୍ଷ ମଧ୍ୟରେ ରାଜ୍ୟରେ ୧୫,୬୮୦ ଜଣ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି । ସେଥି ମଧ୍ୟରେ କୋରାପୁଟ ଜିଲ୍ଲାରେ ୧୮୪ଜଣ ତାଲିମ ପାଇ ନିଯୁକ୍ତିକ୍ଷମ ହୋଇଛନ୍ତି ।
ଏହାଛଡା ଓରମାସ ଦ୍ୱାରା ପରିଚାଳିତ ଦିନ ଦୟାଲ ଉପାଧ୍ୟାୟ ଗାମୀଣ କୌଶଳ ଯୋଜନାରେ ବିଗତ ୧୦ବର୍ଷରେ ୨ଲକ୍ଷ ୧୭ହଜାର ୪୫୪ ଜଣ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇ ଏକ ଲକ୍ଷ ୫୧ହଜାର ୫୯୬ଜଣଙ୍କୁ ବେସରକାରୀ ସଂସ୍ଥାରେ ନିଯୁକ୍ତି ଦିଆଯାଇଛି । ସେଥି ମଧ୍ୟରୁ କୋରାପୁଟ ଜିଲ୍ଲାର ୨୯୭୧ ଜଣ ଯୁବକ ଯୁବତୀ ଅଛନ୍ତି । (ତଥ୍ୟ)