Home General ରେଳଗାଡି ବେଗ ବଢିବ

ରେଳଗାଡି ବେଗ ବଢିବ

ଭୁବନେଶ୍ୱର : ଭାରତୀୟ ରେଳବାଇ ପକ୍ଷରୁ ଜାତୀୟ ରେଳ ଯୋଜନା-୨୦୩୦ ପ୍ରସ୍ତୁତ ହୋଇଛି । ଏହି ଯୋଜନାର ଏକ ଅଂଶ ଭାବରେ ୨୦୨୪ ସୁଦ୍ଧା କେତେକ ରୁଟ୍‍ରେ ରେଳଗାଡିର ବେଗ ଘଣ୍ଟାପ୍ରତି ୧୩୦ ଓ ୧୬୦ କିଲୋମିଟରକୁ ବୃଦ୍ଧି କରାଯିବ ।

ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ଏହି ସୂଚନା ଦେଇଛନ୍ତି । ରେଳମନ୍ତ୍ରୀ ଦର୍ଶାଇଛନ୍ତି ଯେ ଭାରତୀୟ ରେଳବାଇ ପକ୍ଷରୁ ଜାତୀୟ ରେଳ ଯୋଜନା – ୨୦୩୦ ପ୍ରସ୍ତୁତ ହୋଇଛି । ଏହି ଯୋଜନାର ଲକ୍ଷ୍ୟ ହେଉଛି ଉଭୟ ପରିଚାଳନା ଓ ବ୍ୟବସାୟିକ ମାଲ ପରିବହନର ୪୫ ପ୍ରତିଶତ ଅଂଶ ହାସଲ କରିବା । ଏଥିପାଇଁ ସରକାରୀ ଘରୋଇ ସହଭାଗିତା (ପିପିପି) ଯୋଜନାକୁ ମଧ୍ୟ ବିଚାରକୁ ନିଆଯାଇ ପାରେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ରେଳ ହେଉଛି ଦେଶର ବିକାଶ ଇଞ୍ଜିନ । ଜାତୀୟ ରେଳ ଯୋଜନା ଦ୍ୱାରା ରେଳବାଇକୁ ଅଧିକ ଦକ୍ଷ, ପରିବେଶ ଅନୁକୂଳ ଏବଂ ଅତ୍ୟାଧୁନିକ କରାଯିବ ଯାହା ଫଳରେ ସାଧାରଣ ଯାତ୍ରୀ ପରିବହନ କିମ୍ବା ମାଲ ପରିବହନ କ୍ଷେତ୍ରରେ ଏହା ଶସ୍ତା, ସୁରକ୍ଷିତ ହୋଇପାରିବ । ଏହି ଲକ୍ଷ୍ୟ ହାସଲ ପାଇଁ ରେଳବାଇ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଯାତ୍ରୀ ପରିବହନ ଓ ମାଲ ପରିବହନ କ୍ଷେତ୍ରରେ ରେଳବାଇର ଅଂଶକକୁ ୪୫ ପ୍ରତିଶତକୁ ବଢାଯିବ । ମାଲପରିବହନ କରୁଥିବା ରେଳଗାଡିର ଘଣ୍ଟାପ୍ରତି ବେଗ ହରାହାରି ୫୦ କିଲୋମିଟରକୁ ବୃଦ୍ଧି ପାଇବ । ଯାହା ଫଳରେ ଧାର୍ଯ୍ୟ ସମୟରେ ଦେଶରେ ମାଲ ପହଞ୍ଚାଯାଇ ପାରିବ । ଜାତୀୟ ରେଳ ଯୋଜନାର ଅଂଶ ଭାବେ ୨୦୨୪ ସୁଦ୍ଧା କେତେକ ଜଟିଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥି ମଧ୍ୟରେ ରେଳଲାଇନ୍‍ର ୧୦୦ ପ୍ରତିଶତ ବିଦ୍ୟୁତ୍‍କରଣ, ଦିଲ୍ଳୀ-ହାଓଡା ଏବଂ ଦିଲ୍ଲୀ-ମୁମ୍ବାଇ ରୁଟ୍‍ରେ ରେଳଗାଡିର ବେଗ ଘଣ୍ଟାପ୍ରତି ୧୬୦ କିଲୋମିଟରକୁ ବୃଦ୍ଧି କରାଯିବ । ଏଥି ସହିତ ଅନ୍ୟ ସମସ୍ତ ସ୍ୱର୍ଣ୍ଣ ତ୍ରିଭୁଜ ଓ ସ୍ୱର୍ଣ୍ଣ ଚର୍ତୁଭୁଜ ରୁଟ୍‍ରେ ରେଳଗାଡିର ବେଗ ଘଣ୍ଟାପ୍ରତି ୧୩୦ କିଲୋମିଟରୁ ବୃଦ୍ଧି ପାଇବ ।

ଏଥି ସହିତ ନୂଆ ମାଲ ପରିବହନ କରିଡର ଚିହ୍ନଟ, ଦ୍ରୁତଗାମୀ ରେଳ ଚଳାଚଳ କରିଡର ଚିହ୍ନଟ, ମାଲ ପରିବହନ ପାଇଁ ଆବଶ୍ୟକ ୱାଗନ ଓ ଯାତ୍ରୀ ପରିବହନ ପାଇଁ ରୋଲିଂ ମହଜୁଦ ଆବଶ୍ୟକତାକୁ ଆକଳନ କରାଯାଉଛି । ସବୁଜ ଶକ୍ତିର ବ୍ୟବହାର ପାଇଁ ଶତ ପ୍ରତିଶତ ବିଦ୍ୟୁତ୍‍କରଣ ସହିତ ଅତ୍ୟାଧୁନିକ ମାଲପରିବହନ ବୃଦ୍ଧିର ଆକଳନ ହେଉଛି । (ତଥ୍ୟ)