ଭୁବନେଶ୍ୱର : ରାଜଧାନୀରେ ଉପୁଜୁଥିବା ଟ୍ରାଫିକ ଭିଡକୁ ମୁକାବିଲା କରିବାପାଇଁ ବିଏମସି, ବିଡିଏ, ସାଧାରଣ ପ୍ରଶାସନ ବିଭାଗ ପ୍ରତିଦିନ ଉଚ୍ଛେଦ ଜାରି ରଖୁଥିବାବେଳେ ରାସ୍ତାଗଡରେ ଗଢି ଉଠିଥିବା ଭେଣ୍ଡିଂ ଜୋନ୍, ଛୋଟ ବଡ ବ୍ୟବସାୟିକ କେନ୍ଦ୍ର ସହରରେ ଟ୍ରାଫିକ ସମସ୍ୟାର ପ୍ରମୁଖ କାରଣ ପାଲଟିଛନ୍ତି । ଏହିସବୁ ବ୍ୟବସାୟିକ କେନ୍ଦ୍ରଗୁଡିକ ପାଇଁ ସ୍ୱତନ୍ତ୍ର ପାର୍କିଂସ୍ଥାନର ବ୍ୟବସ୍ଥା ନହେଲେ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା କର୍ତ୍ତୃପକ୍ଷଙ୍କ ପାଇଁ କାଠିକରପାଠ ହୋଇପଡିବ ।
ଦିନକୁ ଦିନ ବିଗୁଡୁଥିବା ଟ୍ରାଫିକ ବ୍ୟବସ୍ଥା ଏବେ କମିଶନରେଟ ପୁଲିସ୍ ଓ ମହାନଗର ନିଗମ ପାଇଁ ଏକ ବଡ ଆହ୍ୱାନ ହୋଇଛି । ତେବେ ମହାନଗରନିଗମ ପକ୍ଷରୁ ଯେତେସବୁ ସ୍ଥାନରେ ଭେଣ୍ଡିଂଜୋନ ନିର୍ମାଣ ହୋଇଛି ସେଠାରେ ସମସ୍ୟା ଦିନକୁ ଦିନ ବିଗିଡିବାରେ ଲାଗିଛି । କାରଣ ଏହି ଭେଣ୍ଡିଂ ଜୋନ୍ଗୁଡିକ ଠିକ୍ ରାସ୍ତାକଡରେ କିମ୍ବା ରାସ୍ତାକଡରେ ଥିବା ଡ୍ରେନ ଉପରେ ନିର୍ମାଣ ହୋଇଛି । ତେଣୁ ସେହିସବୁ ବ୍ୟବସାୟିକ କେନ୍ଦ୍ରକୁ ଯେଉଁମାନେ ଯାଉଛନ୍ତି ସେମାନେ ରାସ୍ତାଉପରେ ଗାଡି ରଖି ଯିବାକୁ ବାଧ୍ୟ ହେଉଛନ୍ତି । କାରଣ ଏହାର ଆଖପାଖରେ ଗାଡିମୋଟର ରଖିବାପାଇଁ କୌଣସି ସ୍ଥାନ ନାହିଁ ।
କେବଳ ଭେଣ୍ଡିଂ ଜୋନ୍ ନୁହେଁ, ବେସରକାରୀ ବ୍ୟବସାୟିକ ପ୍ରତିଷ୍ଠାନ, ଛୋଟ ଛୋଟ ଦୋକାନ, ଉଠାଦୋକନ, ଯେଉଁଗୁଡିକ ରାସ୍ତାକଡରେ ରହିଛି ସେଠାରେ ମଧ୍ୟ ସମାନ ସମସ୍ୟା ପରିଲକ୍ଷିତ ହେଉଛି । ବ୍ୟବସାୟ ପ୍ରତିଷ୍ଠାନ ଠାରୁ ବିଏମସି ଟିକସ ଆଦାୟ କରୁଥିବାବେଳେ ଏଠାକୁ ଆସୁଥିବା ଲୋକେ କେଉଁଠାରେ ଗାଡିମୋଟର ରଖିବେ ତାହାର ବ୍ୟବସ୍ଥା କରୁନାହିଁ ।
ବାଣୀବିହାର ଛକରୁ ଶିଶୁଭବନ ପର୍ଯ୍ୟନ୍ତ ଲମ୍ବିଥିବା ଜନପଥ ଏବେ ବ୍ୟବସାୟର ପେଣ୍ଠସ୍ଥଳ ହୋଇଥିବାବେଳେ ବହୁ ବ୍ୟବସାୟକେନ୍ଦ୍ରର ନିଜସ୍ୱ ପାର୍କିଂସ୍ଥଳ ନାହିଁ । ତେଣୁ ସେଠାକୁ ଯାଉଥିବା ଲୋକେ ରାସ୍ତାଉପରେ ଗାଡିମୋଟର ରଖୁଛନ୍ତି । ବିଏମସି ମଧ୍ୟ ଟିକସ ଆଶାରେ ସେହିସବୁ ବ୍ୟବସାୟିକ କେନ୍ଦ୍ର ନିକଟରେ ଥିବା ରାସ୍ତାକୁ ନିଲାମ କରିଦେଉଛି । ତେଣୁ ଆଇନ୍ଗତ ଭାବେ ଲୋକେ ପଇସା ଦେଇ ରାସ୍ତା ଅବରୋଧ କରୁଛନ୍ତି । ଏଥିଯୋଗୁଁ ଅନ୍ୟ ଗାଡିଚାଳକ ଓ ପଥଚାରୀ ଟ୍ରାଫିକ ଭିଡରେ ଫସୁଛନ୍ତି ।
ବ୍ୟବସାୟିକ ପ୍ରତିଷ୍ଠାନ ଓ ବିଏମସି ମଧ୍ୟରେ ପାର୍କିଂକୁ ନେଇ ସମନ୍ୱୟ ରହୁନଥିବାବେଳେ ଏହାର ଫାଇଦା ଗାଡି ଉଠାଣ କରୁଥିବା ସଂସ୍ଥାଗୁଡିକୁ ମିଳୁଛି । ରାସ୍ତାଉପରେ ଗାଡି ଛିଡା ହେବାର ଦେଖିଲେ ତୁରନ୍ତ ତାହାକୁ ଟେକି ନେଉଛନ୍ତି । ଚାରିଚକିଆ ଯାନ ଆରୋହୀଙ୍କୁ ଏଥିପାଇଁ ୧୨୦୦ ଟଙ୍କାର ତଣ୍ଡ ଗଣିବାକୁ ପଡୁଛି । ତେବେ ଏହି ଅର୍ଥରୁ ଗାଡି ଟାଣିଥିବା ସଂସ୍ଥା ୭୦୦ ଟଙ୍କା ନେଉଥିବାବେଳେ ସରକାରୀ ତହବିଲକୁ ୫୦୦ ଟଙ୍କା ଯାଉଛି ।
କିଛିଦିନ ତଲେ ରାସ୍ତାକଡରେ ଏଭଳି ବ୍ୟବସାୟିକ କେନ୍ଦ୍ର ବିଶେଷକରି ଭେଣ୍ଡିଂଜୋନ୍ ଗୁଡିକ ଯୋଗୁଁ ଉପୁଜୁଥିବା ଟ୍ରାଫିକ ସମସ୍ୟାକୁ ଦେଖି ପାର୍କିଂସ୍ଥାନ ଥିବା ଇଲାକାକୁ ଭେଣ୍ଡିଂଜୋନ୍ଗୁଡିକୁ ସ୍ଥାନାନ୍ତର ପାଇଁ ବିଏମସି ଯୋଜନା କରିଥିଲା । ହେଲେ ସେହି ଯୋଜନା ବିଏମସିର ନାଲିଫିତା ତଲେ ରହିଗଲା । ଏବେ ସ୍ଥିତି ଅଣାୟତ ହେଉଥିବାବେଳେ ବୃଦ୍ଧି ପାଉଥିବା ଯାନବାହାନ କେଉଁଠାରେ ରଖି ଲୋକେ ସାମଗ୍ରୀ କିଣିବାକୁ ଯିବେ ତାହାକୁ ନେଇ ଚିନ୍ତାରେ ପଡୁଛନ୍ତି । (ତଥ୍ୟ)

