Home Excise ଜଗନ୍ନାଥଙ୍କ ଦୟାରେ ନିଶା ନିବାରଣ

ଜଗନ୍ନାଥଙ୍କ ଦୟାରେ ନିଶା ନିବାରଣ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥ ଦୟା କଲେ ହୁଏତ ବଦଳି ଯାଇପାରେ ନିଶା ପାଇଁ ଯୁବ ସମାଜର ଆକର୍ଷଣ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଲ୍ଲେଖ କରିଛନ୍ତି । ଶ୍ରୀଜଗନ୍ନାଥ ଦୟା କଲେ ଅନେକ ଯୁବକ ନିଶା ରାକ୍ଷସର କ୍ଷତାକ୍ତ ଆକ୍ରମଣରୁ ଏବଂ ମୃତ୍ୟୁ ସହ କବାଡ଼ି ଖେଳରୁ ବଞ୍ôଚଯିବେ ବୋଲି ସେ ମତ ରଖିଛନ୍ତି ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଦ୍ୱାରା ରଚିତ ‘ଉଠିବ କି ଜାତିର କଙ୍କାଳ’ ଶୀର୍ଷକ ଏକ କବିତା ପୁସ୍ତକ ଆଜି ଜୟଦେବ ଭବନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‍ପାଟି ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ଏହି ଉନ୍ମୋଚନ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ବାବୁ ସିଂହ, କବିତା ପୁସ୍ତକର ରଚୟିତା ମନ୍ତ୍ରୀ ଶ୍ରୀ ହରିଚନ୍ଦନ, ବିଶିଷ୍ଟ ଲେଖିକା ଡ. ଅର୍ଚ୍ଚନା ନାୟକ, ଅଧ୍ୟାପକ ବିଶ୍ୱରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ । ବିଶ୍ୱମୁକ୍ତି ପ୍ରକାଶନ ସଂସ୍ଥାର ଅଧ୍ୟାପକ ଶଶାଙ୍କ ଚୁଡ଼ାମଣିଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଉନ୍ନତ ସାହିତ୍ୟ ମାଧ୍ୟମରେ ସମୃଦ୍ଧ ସମାଜ ଗଠନ ହୁଏ ଏବଂ ଭାଷା ହିଁ ଜାତିର ଭବିଷ୍ୟତ ବୋଲି ଉଲ୍ଲେଖ କରିବା ସହିତ ରାଜ୍ୟର ସାମଗ୍ରିକ ବିକାଶ ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ ତାଙ୍କ ବକ୍ତବ୍ୟରେ ଅବକାରୀ ଆଇନ୍‍ ଓ ପୂର୍ତ୍ତ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କ ମନର ବହୁ ଅବ୍ୟକ୍ତ ବେଦନା ଏହି ପୁସ୍ତକରେ ବ୍ୟକ୍ତ କରିଛନ୍ତି ବୋଲି ଉଲ୍ଲେଖ କରିବା ସହିତ ଅବକାରୀ ମନ୍ତ୍ରୀ ଥାଇ ବି ସେ ଏଥିରେ ନିଶା ସଂପର୍କରେ ଲେଖିଥିବାରୁ ସାଧୁବାଦ ଜଣାଇଥିଲେ ।

ମନ୍ତ୍ରୀ ଶ୍ରୀ ହରଚନ୍ଦନ ମଧ୍ୟ ଏହି ଅବସରରେ ବକ୍ତବ୍ୟ ରଖିଥିଲେ । ପୁସ୍ତକ ଉନ୍ମୋଚନ ପରେ ଓଡ଼ିଆ ଅସ୍ମିତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପ୍ରଫେସର ସଂଘମିତ୍ରା ମିଶ୍ର, ମହେନ୍ଦ୍ର କୁମାର ମିଶ୍ର, ବିଜୟାନନ୍ଦ ସିଂହ, ପ୍ରଦ୍ୟୁମ୍ନ ଶତପଥୀ, ଦାସ ବେନହୁର୍‍ ପ୍ରମୁଖ ବିଭିନ୍ନ ଦୃଷ୍ଟିକୋଣରୁ ଓଡ଼ିଆ ଅସ୍ମିତା ସହିତ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଅର୍ଥନୀତି, ସମାଜ ଜୀବନର ସଂପୃକ୍ତି ଆଦି ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ଗୋଟିଏ ପଟେ ୨୦୨୯ ସୁଦ୍ଧା ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ବିଜେପି ତା’ର ସଂକଳ୍ପପତ୍ର ‘ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି’ରେ ଘୋଷଣା କରିଥିବାବେଳେ ଅନ୍ୟପଟେ ଓଡ଼ିଶାର ୩୦ଟି ଜିଲ୍ଲା ସମେତ ସମଗ୍ର ଦେଶରେ ନିଶାମୁକ୍ତ ଭାରତ ଅଭିଯାନ କେନ୍ଦ୍ର ସରକାର ଚଳାଇଛନ୍ତି । ଏହି କ୍ରମରେ ପୁଲିସଙ୍କଠାରୁ କର୍ମଚାରୀ, ଛାତ୍ରଛାତ୍ରୀ ଓ ଯୁବକ ଯୁବତୀମାନେ ନିଶାମୁକ୍ତି ପାଇଁ ଶପଥପାଠ କରୁଥିବାବେଳେ ମନ୍ତ୍ରୀ ଶ୍ରୀ ହରଚନ୍ଦନ ତାଙ୍କ ରଚିତ କବିତା ସଂକଳନରେ ‘ଧଳା ଜହର’ ଓ ‘ନିଶା ରାକ୍ଷସର ଶିକାର’ ଶୀର୍ଷକ କବିତାରେ ସରକାରଙ୍କ ଘୋଷଣା ‘ନିଶା ନୁହେଁ ଜୀବନ’ କଥା ଉଲ୍ଲେଖ କରିବା ସହିତ କିଭଳି ଆମ ସମାଜ ବିଶେଷକରି ଯୁବ ସମାଜ ନିଶା ଯୋଗୁ କ୍ଷତିଗ୍ରସ୍ତ ହେଉଛି ସେ ସଂକ୍ରାନ୍ତରେ ସୁନ୍ଦର ଉପସ୍ଥାପନା କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ଜଗନ୍ନାଥ ଦୟା କଲେ / ହୁଏତ ବଦଳିଯାଇପାରେ / ନିଶା ପାଇଁ ଆକର୍ଷଣ ଯୁବ ସମାଜର / ବଞ୍ôଚଯିବେ ଅନେକ ଯୁବକ / ନିଶା ରାକ୍ଷସର କ୍ଷତାକ୍ତ ଆକ୍ରମଣରୁ / ଏବଂ ମୃତ୍ୟୁ ସହ କବାଡ଼ି ଖେଳରୁ ।’ ଏହି କବିତା ଦୁଇଟି ଏବେ ଚର୍ଚ୍ଚାର ବିଷୟବସ୍ତୁ ହୋଇଥିବାବେଳେ ନିଶାମୁକ୍ତ ଭାରତ ଓ ମଦମୁକ୍ତ ଓଡ଼ିଶା ଗଠନ ଦାୟିତ୍ୱ ସରକାରଙ୍କର ନା ଶ୍ରୀଜଗନ୍ନାଥଙ୍କର ବୋଲି ପ୍ରଶ୍ନବାଚୀ ଉଠିଛି ।

ପୁସ୍ତକ ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଥିବା ଅନେକ ମହିଳା ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନିଶା ନିବାରଣ ପ୍ରସଂଗରେ କ’ଣ ଅବକାରୀ ମନ୍ତ୍ରୀ ହାତ ଟେକି ଦେଲେ କି ବୋଲି? (ତଥ୍ୟ)