Home General ରାସ୍ତାକଡରେ ପଶୁ ବଧ

ରାସ୍ତାକଡରେ ପଶୁ ବଧ

ଭୁବନେଶ୍ୱର : ଚଳିତ ବର୍ଷର ଛାଡଖାଇ ଦିନ ରାଜଧାନୀର ରାସ୍ତାକଡରେ ଶହ ଶହ ପଶୁବଧ ଦୃଶ୍ୟ ଦେଖିବାକୁ ମିଳିବ । ଗୋଟିଏ ପଟେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)ର କଂସେଇଖାନା ଅକାମୀ ଅବସ୍ଥାରେ ଥିବା ଓ ଅନ୍ୟପଟେ ରାସ୍ତାକଡରେ ପଶୁବଧ କଟକଣାକୁ କେହି ମାନୁନଥିବାରୁ ଏଭଳି ଅବସ୍ଥା ଉପୁଜିବାକୁ ଯାଉଛି ।

ଏବର୍ଷ ଛାଡଖାଇ ପାଇଁ ଶହ ଶହ ସଂଖ୍ୟାରେ ଛେଳି ରାଜ୍ୟ ଭିତରୁ ଓ ବାହାରୁ ଆସି ରାଜଧାନୀରେ ପହଞ୍ଚିବାରେ ଲାଗିଛନ୍ତି । ବୁଧବାର ଦିନ ଛାଡଖାଇ ପଡୁଥିବାରୁ ଭଲ କାରବାର ଆଶାରେ ବ୍ୟବସାୟୀମାନେ ଅଧିକ ସଂଖ୍ୟାରେ ଛେଳି ମଗାଇଥିବା ଦେଖିବାକୁ ମିଳୁଛି । କଂସେଇଖାନା ନଥିବାରୁ ଏହି ଛେଳିଗୁଡିକ ରାସ୍ତାକଡରେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ କଟାହେବା ନିଶ୍ଚିତ ।

ବିଏମ୍‍ସି କର୍ତ୍ତୃପକ୍ଷ ୨୦୧୭ ମସିହାରେ ଗାଡକଣ ଠାରେ କଂସେଇଖାନା ନିର୍ମାଣ କରିଥିଲେ । ହେଲେ ଏହାର ପରିଚାଳନା ପାଇଁ କୌଣସି ସଂସ୍ଥା ନମିଳିବାରୁ ଏଠାରେ କୋଟି କୋଟି ଟଙ୍କାର ସାଜ ସରଞ୍ଜାମରେ କଳଙ୍କି ଲାଗି ଗଲାଣି । କର୍ତ୍ତୃପକ୍ଷଙ୍କ ଏଭଳି ଅପାରଗତା ଯୋଗୁଁ ସ୍ମାର୍ଟସିଟିର ରାସ୍ତାକଡ ଏବେ ଅସ୍ଥାୟୀ କଂସେଇଖାନା ପାଲଟିଛି । ଶହ ଶହ ଲୋକ ବିଶେଷକରି ଛୋଟ ଛୋଟ ପିଲାଙ୍କ ସାମ୍ନାରେ ଛେଳିମାନଙ୍କୁ କଟାଯାଉଛି । ନିର୍ଦ୍ଦିଷ୍ଟ କୌଣସି ସ୍ଥାନ ନଥିବାରୁ କଂସେଇମାନେ ବହୁ ସ୍ଥାନରେ ଡ୍ରେନ ଉପରେ ପଶୁବଧ କରୁଛନ୍ତି ।

ପୌରସଂସ୍ଥା ପକ୍ଷରୁ ୨୦୧୧ ମସିହାରେ କଂସେଇଖାନା ପାଇଁ ଯୋଜନା ପ୍ରସ୍ତୁତ ହୋଇ ସ୍ଥାନ ଖୋଜାଯିବା ଓ ୨୦୧୭ ରେ ଏହାର ନିର୍ମାଣ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇନପାରିବା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରୀ କଂସେଇଖାନା ନଥିବାରୁ ଅଧିକାଂଶ ସ୍ଥାନରେ ସ୍ମାର୍ଟସିଟିବାସୀ ଚଢା ଦର ଦେଇ ନିମ୍ନମାନର ମାଂସ ଖାଇବାକୁ ବାଧ୍ୟ ହେଉଛନ୍ତି । ଛାଡଖାଇ ଭଳି ଦିନରେ ଖାସି ନାଁରେ ମାଇଛେଳି, ମେଣ୍ଢା ଏପରିକି ରୋଗୀଣା ଛେଳି ମଧ୍ୟ କଟାହେବାର ସମ୍ଭାବନା ରହିଛି ।

ରାଜଧାନୀରେ ମାଂସର ଗୁଣବତ୍ତା ପରୀକ୍ଷାପାଇଁ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟ ଅଧିକାରୀ ନଥିବା ଓ ସହରସାରା ଏଣେ ତେଣେ ମାଂସ କଟାଯାଉଥିବାରୁ ତାହାର ସଠିକ ଯାଞ୍ଚ ବି ହୋଇପାରୁ ନାହିଁ । ଫଳରେ ଲୋକେ ଛାଡଖାଇ ଭଳି ଦିନରେ ଅଧିକ ଦର ଦେଉଥିଲେ ବି ଖାସିମାଂସ ବଦଳରେ ମାଈଛେଳି ଓ ମେଣ୍ଢାମାଂସ ନେଇ ଘରକୁ ଫେରିବାକୁ ବାଧ୍ୟ ହେବେ ।

ରାସ୍ତାକଡରେ କେବଳ ଛେଳି କଟାହେବେ ନାହିଁ କୁକୁଡା, ବତକ ଆଦି ବି ହଜାର ହଜାର ସଂଖ୍ୟାରେ ସର୍ବ ସମ୍ମୁଖରେ ହଣାହେବେ । ରାସ୍ତାକଡରେ ଖୋଲାଖୋଲି ଏଭଳି ପଶୁବଧ ନକରିବାପାଇଁ ବିଏମ୍‍ସି ଯେତେ ତାଗିଦ କଲେ ବି ମାଂସ ଦୋକାନୀମାନେ ତାହାକୁ ଖାତିର କରୁନାହାନ୍ତି । ମଝିରେ ମଝିରେ କେବଳ ଦୋକାନ ସମ୍ମୁଖରେ କପଡା କିମ୍ବା ଜରି ପାଲ ଖଣ୍ଡେ ଟାଣି ଦେଉଛନ୍ତି । ରାଜଧାନୀରେ ସର୍ବସମ୍ମୁଖରେ ପଶୁବଧ ବନ୍ଦ ସହିତ ମାଂସର ମାନ ଯାଞ୍ଚ ପାଇଁ ସାଧାରଣରେ ମତପ୍ରକାଶ ପାଉଛି । ଏଥି ସହିତ ଅଚଳ ହୋଇ ପଡିଥିବା କଂସେଇଖାନାକୁ ଚଳାଇବାପାଇଁ ବିଏମ୍‍ସି ପଦକ୍ଷେପ ନେବା ଆବଶ୍ୟକ ହୋଇପଡିଛି । (ତଥ୍ୟ)