ଭୁବନେଶ୍ୱର : ଉତ୍ତରପ୍ରଦେଶର ଅଯୋଧ୍ୟା ଓ ଓଡିଶାର ଫତେଗଡ ଠାରେ ଦୁଇଟି ରାମମନ୍ଦିର ଗୋଟିଏ ଦିନରେ ପ୍ରତିଷ୍ଠା ହେବା ସହ ଧୂମ୍ଧାମରେ ପ୍ରତିମାଗୁଡିକଙ୍କର ପ୍ରାଣପ୍ରତିଷ୍ଠା କରାଯାଇଥିବାବେଳେ ରାଜ୍ୟରେ ଥିବା ରାମାମୟଣ ବର୍ଣ୍ଣିତ ପୌରାଣିକ ସ୍ମୃତିସବୁ କିନ୍ତୁ ଜାତୀୟ ସ୍ତରରେ ଚର୍ଚ୍ଚିତ ହୋଇପାରି ନାହିଁ ।
ଅଯୋଧ୍ୟା ଠାରୁ ଚିତ୍ରକୂଟ ଏବଂ ସେତୁବନ୍ଧ ପର୍ଯ୍ୟନ୍ତ ରାମାୟଣର ସ୍ମାରକୀ ବହନ କରୁଥିବା ଅନେକ ସ୍ଥାନ ଏହି ଅବସରରେ ଚର୍ଚ୍ଚାର ବଳୟକୁ ଆସିଥିବାବେଳେ ଓଡିଶାର ଏହି ପୌରାଣିକସ୍ଥଳୀଗୁଡିକ କିନ୍ତୁ ଆଢୁଆଳରେ ରହିଯାଇଥିବାରୁ ସଂସ୍କୃତି ଗବେଷକମାନେ କ୍ଷୋଭପ୍ରକାଶ କରୁଛନ୍ତି ।
ବନବାସ କାଳରେ ଉତ୍ତର ଭାରତରୁ ଦକ୍ଷିଣ ଭାରତ ଆଡକୁ ଯିବା ସମୟରେ ଶ୍ରୀରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣ ବର୍ତ୍ତମାନର ଓଡିଶା ଅର୍ନ୍ତଭୁକ୍ତ ଅନେକ ସ୍ଥାନ ଭ୍ରମଣ କରିଥିବା ରାମାୟଣରେ ଉଲ୍ଲେଖ ରହିଛି । ବିଶେଷକରି ବଳରାମ ଦାସଙ୍କ ରାମାୟଣରେ ଏ ସଂକ୍ରାନ୍ତରେ ବହୁ ସୂଚନା ଅଛି । ଏହାଛଡା ଲୋକକଥା, ସାଧାରଣ ଲୋକଙ୍କ ବିଶ୍ୱାସ, ପ୍ରାଚୀନ କିର୍ତ୍ତରାଜି ଆଦି ମଧ୍ୟ ଏହାର ପ୍ରମାଣ ଦିଏ ।
କେନ୍ଦୁଝର ଜିଲ୍ଲାର ମନୋହରପୂର ପଞ୍ଚାୟତ ଅର୍ନ୍ତଗତ ସୀତାବିଞ୍ଜ ଗାଁରେ ମହର୍ଷି ବାଲ୍ମିକୀଙ୍କର ଆଶ୍ରମ ଥିଲା ଏବଂ ସୀତାଙ୍କୁ ରାମଚନ୍ଦ୍ର ତ୍ୟାଗ କରିବା ପରେ ବାଲ୍ମିକୀଙ୍କର ଆଶ୍ରମରେ ହିଁ ସେ ତାଙ୍କର ଯାଆଁଳା ସନ୍ତାନ ଲବ କୁଶଙ୍କୁ ଜନ୍ମ ଦେଇଥିଲେ । ଏହି ସୀତାବିଞ୍ଜର ଯେଉଁ ଗୁମ୍ଫାରେ ଲବକୁଶ ଜନ୍ମ ହୋଇଥିଲେ ତାହାକୁ ଶହ ଶହ ବର୍ଷ ଧରି ସ୍ଥାନୀୟ ଲୋକେ ତୀର୍ଥକ୍ଷେତ୍ର ଭାବେ ବରଣ କରିନେଇଛନ୍ତି ଏବଂ ସେଠାରେ ଆଜିର ଦିନରେ ବି ପୂଜାର୍ଚ୍ଚନା ଚାଲେ । ଏହି ବିଶ୍ୱାସ ଆଧାରରେ ଏବେ ବି ଅପୁତ୍ରିକମାନେ ଏଠାକୁ ମାନସିକ ଧରି ଆସିଥାନ୍ତି । ସୀତାବିଞ୍ଜର ପାହାଡ ତଳେ ସୀତା ନଦୀ ରହିଛି । ଏହି ଅଞ୍ଚଳରେ ମଧ୍ୟ ମା’ ସୀତାଙ୍କର ଭଣ୍ଡାରଘର ଓ ରାମଣଛାୟା ରହିଛି । କିନ୍ତୁ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ଏହି ପ୍ରାଚୀନ ସ୍ମାରକୀ ତଥା ଲକ୍ଷ ଲକ୍ଷ ଲୋକଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ରବିନ୍ଦୁ ସୀତାବିଞ୍ଜ ଜାତୀୟ ସ୍ତରରେ ଚର୍ଚ୍ଚିତ ହେଉନାହିଁ ।
ପୁରାଣର କଥାବସ୍ତୁ ଅନୁଯାୟୀ ରାମ, ଲକ୍ଷ୍ମଣ, ଜାନକୀ ଚତ୍ରୋତ୍ପଳା, ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ପ୍ରାଚୀ, ଋଷିକୂଲ୍ୟା ଆଦି ବିଭିନ୍ନ ନଦୀରେ ସ୍ନାନ କରିଛନ୍ତି । ଯାଜପୁରର ବିରଜାକ୍ଷେତ୍ର, ଚନ୍ଦ୍ରଭାଗାର ଅର୍କକ୍ଷେତ୍ର, ପ୍ରାଚୀନଦୀର ରାମଘାଟ, କୋଣାର୍କ ପୁରୀ ବେଳାଭୂମିର ରାମଚଣ୍ଡି, ରାମେଶ୍ୱର, ବେଲେଶ୍ୱର, ଲକ୍ଷ୍ମଣଚଣ୍ଡି ଆଦିଙ୍କ ସହିତ ସେମାନଙ୍କ ବନବାସର ମଧ୍ୟ ସମ୍ପର୍କ ରହିଛି । ଭୁବନେଶ୍ୱରର ବିନ୍ଦୁ ସରୋବରରେ ଏମାନେ ସ୍ନାନ କରିଥିବା ଓ ଏକାମ୍ରକ୍ଷେତ୍ରରେ ସୀତାମଠ ସ୍ଥାପନ ବି ଓଡିଶା ସହ ରାମାୟଣର ସ୍ମୃତିକୁ ଦର୍ଶାଏ । ଏଠାରେ ଥିବା ରାମେଶ୍ୱର, ଲକ୍ଷ୍ମଣେଶ୍ୱର ଓ ଭରତେଶ୍ୱର ମନ୍ଦିରର ପୁରାଣ ଯୁଗ ସହ ସମ୍ପର୍କ ରହିଥିବା କୁହାଯାଏ । ଶ୍ରୀକ୍ଷେତ୍ର ପୁରୀ ସହିତ ବି ଶ୍ରୀରାମଚନ୍ଦ୍ରଙ୍କ ସମ୍ପର୍କ ଜଡିତ ।
ବନବାସ କାଳରେ ରାମ, ଲକ୍ଷ୍ମଣ, ଜାନକୀ ଋଷିକୂଲ୍ୟ ପାରିହୋଇ ଦଣ୍ଡକାରଣ୍ୟ କ୍ଷେତ୍ରରେ ପ୍ରବେଶ କରିଥିଲେ ଏବଂ ଦଣ୍ଡକାରଣ୍ୟରୁ ହିଁ ରାବଣ ସୀତାଙ୍କୁ ଚୋରିକରି ନେଇଥିଲା । ଆନ୍ଧ୍ର-ଓଡିଶା ସୀମାନ୍ତରେ ଗୋଟିଏ ଜାତି ଅଛନ୍ତି ଯେଉଁମାନଙ୍କର ଭାଷା ହେଉଛି ବାଲ୍ମିକୀ । କେବଳ ସେତିକି ନୁହେଁ, ଏ ଅଞ୍ଚଳରେ ବି ଜାମ୍ବକା ଓ ପ୍ରାଶକା ଗୋତ୍ରର ଲୋକେ ରୁହନ୍ତି । ଏମାନଙ୍କ ପୂର୍ବଜମାନେ ସେତୁବନ୍ଧ ଗଠନରେ କାମ କରିଥିବା କୁହାଯାଏ । ଓଡିଶାର ମାଲ୍ୟବନ୍ତଗିରି ଓ ଗନ୍ଧମାର୍ଦ୍ଦନ ସହ ବି ରାମାୟଣର କଥାବସ୍ତୁ ଜଡିତ । ଏଗୁଡିକ ଛଡା ଓଡିଶାରେ ରାମାୟଣର ସ୍ମୃତି ବହନ କରୁଥିବା ଆଉ ଅନେକ ସ୍ଥାନ ରହିଛି । ରାମଭକ୍ତମାନେ କହୁଛନ୍ତି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଦେଶର ଅନ୍ୟ ସ୍ମାରକସ୍ଥଳୀଗୁଡିକୁ ଯେଭଳି ଗୁରୁତ୍ୱ ଦିଆଗଲା ଓଡିଶାକୁ କିନ୍ତୁ ତାହା ମିଳିପାରିଲା ନାହିଁ । (ତଥ୍ୟ)