ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଶ୍ରୀରାମ ନବମୀରେ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନର ଶୁଭାରମ୍ଭ ଅବସରରେ କଟକ ରେଳ ଷ୍ଟେସନ ଠାରେ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିବେ । ଶୁଭାରମ୍ଭ ଦିବସରେ ଏହି ଟ୍ରେନ୍ କଟକ ଷ୍ଟେସନରୁ ଛାଡିବ କିନ୍ତୁ ଏହି ଟ୍ରେନ ର ନିୟମିତ ସେବା 31 ମାର୍ଚ୍ଚ 2023 ରୁ ଉଭୟ ପାର୍ଶ୍ୱରୁ ପ୍ରାରମ୍ଭ କରାଯିବ ।
ଏହି ଟ୍ରେନ ର ପ୍ରଚଳନ ଉଭୟ ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲାର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିପାରିବ । ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶର ଭିତ୍ତିପ୍ରସ୍ତର ସମାରୋହରେ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଏକ ନୂତନ ଟ୍ରେନ୍ ଚଳାଚଳ କରାଇବାକୁ ଘୋଷଣା କରିଥିଲେ ।
ଏହି ଅଞ୍ଚଳର ଯାତ୍ରୀମାନଙ୍କ ଆରାମ ତଥା ସୁବିଧା ପାଇଁ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ପ୍ରଚେଷ୍ଟାର ଏହା ହେଉଛି ଫଳାଫଳ । ମଧ୍ୟବର୍ତ୍ତୀ ଷ୍ଟେସନ ମାନଙ୍କରେ ଟ୍ରେନ ବଦଳାଇବା ପରିବର୍ତ୍ତେ ଏହି ଟ୍ରେନ ସିଧା ସଳଖ ଭାବେ ଯାତ୍ରା ପାଇଁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କୁ ସୁବିଧା ଯୋଗାଇବ । ଏହି ନୂତନ ଟ୍ରେନ୍ ଏହାର ଶୁଭାରମ୍ଭ ଦିନରେ ଅର୍ଥାତ୍ 30 ମାର୍ଚ୍ଚ 2023 ରେ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରିବ ।
08555/08556 ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ୍ ମେମୁ ଟ୍ରେନ ଭଦ୍ରକରୁ ସକାଳ 05ଘ.45ମି.ରେ ଛାଡି ପୂର୍ବାହ୍ନ 11ଘ.55ମି.ରେ ନୟାଗଡ଼ ଟାଉନରେ ପହଞ୍ଚିବ । ଫେରିବା ମାର୍ଗରେ ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ଅପରାହ୍ନ 05ଘ.05ମି.ରେ ଛାଡି ଭଦ୍ରକ ଠାରେ ରାତ୍ରି 10ଘ.45ମି.ରେ ପହଞ୍ଚିବ । ଏହି ଟ୍ରେନ୍ ଉଭୟ ଦିଗରୁ ଭଦ୍ରକ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଥିବା ସମସ୍ତ ଷ୍ଟେସନ୍ ଏବଂ ପାସେଞ୍ଜର ହଲ୍ଟ ମାନଙ୍କରେ ରହଣି କରିବ ।