ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଏକ ଶହ ବର୍ଷ ପୂର୍ତ୍ତି ଉତ୍ସବ ସମାରୋହପୂର୍ବକ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ଏହି ସମାରୋହକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ଆୟୋଜିତ ଏକ ସଂକ୍ଷିପ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶକ ରଂଜନ କୁମାର ଦାସ ଗାନ୍ଧିଜୀଙ୍କ ବିଚାରଧାରାକୁ ଆମକୁ ଗଭୀରତାର ସହ ହୃଦୟଙ୍ଗମ କରି ତାକୁ କାର୍ଯ୍ୟରେ ଲଗାଇଲେ ତାହା ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାନ୍ଧିଜୀଙ୍କ ସଂପର୍କରେ ଉଲ୍ଲେଖ କରି କହିଲେ ଯେ ସେ ଭାରତବର୍ଷର ଏପରି ମହାପୁରୁଷ ଯାହାଙ୍କ ପି୍ରୟଭଜନ ଶ୍ରବଣ ମାତ୍ରେ ଦେହରେ ଦେଶପ୍ରୀତିର ଶିହରଣ ଜାଗୃତ ହୁଏ ।
ସଭା ପରେ ଡ. ଗୌରାଙ୍ଗ ଚରଣ ଦାସଙ୍କ ନେତୃତ୍ୱରେ ପାଲଲହଡ଼ାର ପ୍ରସିଦ୍ଧ ରାବଣଛାୟା ଲୋକକଳା ମାଧ୍ୟମରେ ‘ଅନୁଗୋଳରେ ଗାନ୍ଧିଜୀ’ ଶୀର୍ଷକ ଏକ ଛାୟା ନାଟକ ପ୍ରଦର୍ଶନ କରାଯାଇଥିଲା । ପ୍ରାଧ୍ୟାପକ ଡ. ଗୌରାଙ୍ଗ ଚରଣ ଦାସଙ୍କୁ ସଚିବ ଅରଟ ପ୍ରତିକୃତି ସ୍ମୃତିଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ବିଜେତା ହୋଇଥିବା ଅଙ୍କିତା ମହାରଣା, ଦୀକ୍ଷିତା ବହିଦାର ଓ ପ୍ରିୟଦର୍ଶିନୀ ଜେନାଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସେହିପରି କାର୍ଯ୍ୟକ୍ରମ ଉପରେ ତତ୍କାଳ ବିବରଣୀ ଉପସ୍ଥାପନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।
ପରେ ଗାଳ୍ପିକା ପ୍ରାଚୀତାରାଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ଦାଶ ବେନ୍ହୁରଙ୍କ ଦ୍ୱାରା ଲିଖିତ ‘ତୁମେ କହିଥିଲ ବାପୁ’ ଗଳ୍ପର ସିଡ଼ିକୁ ଅତିଥିମାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଅନାବରଣ କରି ୮ଟି ଗଳ୍ପରୁ ଗୋଟିଏ ଗଳ୍ପର ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ସମସ୍ତେ ରାମ୍ଧୁନ୍ ଗାନ କରିଥିଲେ । ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ସ୍ୱାଗତ ଭାଷଣ ଦେଇଥିବାବେଳେ ଶୁୁଚିସ୍ମିତା ମନ୍ତ୍ରୀ ଓ ଡ. ଭାରତୀ ପାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।