ଭୁବନେଶ୍ଵର : ରାଜ୍ୟର ବିଭିନ୍ନ ପୌର ସଂସ୍ଥାରେ ନିୟୋଜିତ , ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ପ୍ରଫେସନାଲ୍ ମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଏହି କର୍ମଶାଳାକୁ ଉଦ୍ଘାଟନ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ କହିଲେ କୋଭିଡ଼-୧୯ ମହାମାରୀ ଦ୍ଵାରା ପ୍ରଭାବିତ ସହରାଞ୍ଚଳର ଆର୍ଥିକ ଅନଗ୍ରସର ତଥା ପ୍ରବାସୀ ଶ୍ରମଜୀବିଙ୍କ ପାଇଁ ବ୍ୟାପକ ସାମାଜିକ ସୁରକ୍ଷା ଓ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ର ଶୁଭାରମ୍ଭ କରାଯାଇଥିଲା। ସେ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘ଫାଇଭ-ଟି’ ମନ୍ତ୍ରରେ ଅନୁପ୍ରାଣିତ ‘ମୁକ୍ତା’ ହେଉଛି ଏକ ଅନ୍ତର୍ଭୁକ୍ତୀକରଣ କାର୍ୟ୍ୟକ୍ରମ। ଏହି କାର୍ୟ୍ୟକ୍ରମର ସମ୍ପୂର୍ଣ୍ଣ କ୍ରିୟାନ୍ୱୟନ ପ୍ରକ୍ରିୟା ସ୍ଵଚ୍ଛତା ତଥା ଉତ୍ତରଦାୟିତ୍ଵ ଆଧାରରେ ଗୋଷ୍ଠୀ ସଂଚାଳିତ ସହଭାଗିତା ଓ ନିମ୍ନ ସ୍ତରରୁ ଉପରକୁ ଯାଉଥିବା ପରିଚାଳନା ମାଧ୍ୟମରେ ସମ୍ପନ୍ନ ହୋଇଥାଏ ବୋଲି ସେ କହିଛନ୍ତି ।
ବିଗତ ୨୮ ମାସ ମଧ୍ୟରେ ‘ମୁକ୍ତା’ କାର୍ୟ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ୧୧୫ ପୌରସଂସ୍ଥାରେ ୩୫୦ କୋଟି ଟଙ୍କା ବ୍ୟୟରେ ୪୫,୦୦୦ ପ୍ରକଳ୍ପ କାର୍ୟ୍ୟକାରୀ କରାଯାଇଛି। ମୋଟ ୪୦ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି-ଶ୍ରମ ଦିବସ ସୃଷ୍ଟି କରାଯିବା ଫଳରେ ପ୍ରାୟ ୬ ଲକ୍ଷ ସହରାଞ୍ଚଳ ଆର୍ଥିକ ଅନଗ୍ରସର ତଥା ପ୍ରବାସୀ ଶ୍ରମଜୀବି ଉପକୃତ ହୋଇ ପାରିଛନ୍ତି ଯେଉଁମାନଙ୍କ ମଧ୍ୟରେ ୪୦% ମହିଳା ହିତାଧିକାରୀ ଅଛନ୍ତି। ‘ମୁକ୍ତା’ କାର୍ୟ୍ୟକ୍ରମ ଅଧୀନରେ ‘ବୃଷ୍ଟି ଜଳକୁ ଧରି ରଖ’ ଅଭିଯାନ ଅନ୍ତର୍ଗତ ୩୬୦୦୦ ବୃଷ୍ଟିଜଳ ଅମଳ ଢାଞ୍ଚା ନିର୍ମାଣ ଶେଷ ହୋଇଛି ।ପ୍ରାୟ ୧୮୦୦୦ ମିଶନ୍ ଶକ୍ତି ଗୋଷ୍ଠୀ ତଥା ବସ୍ତି ବାସିନ୍ଦା ସଂଘ ସମୂହ ‘ମୁକ୍ତା’ କାର୍ୟ୍ୟକ୍ରମର ସଫଳ ରୂପାୟନରେ ସହଭାଗୀ ଭୂମିକା ତୁଲାଇ ୪୫୦୦୦ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ସମ୍ପନ୍ନହୋଇଛି।
‘ମୁକ୍ତା’ କାର୍ୟ୍ୟକ୍ରମ ଅଧୀନରେ ସହରାଞ୍ଚଳ ଆର୍ଥିକ ଅନଗ୍ରସର ତଥା ପ୍ରବାସୀ ଶ୍ରମଜୀବିଙ୍କ ଦ୍ଵାର ଦେଶରେ ଜୀବିକା ସୁଯୋଗ ଉପଲବ୍ଧ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୦୦୦ କୋଟି ଟଙ୍କା ଆବଣ୍ଟନ କରିଥିବା ହେତୁ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ । ସମସ୍ତେ ଏକ ଟିମ୍ ଭାବରେ ଏକାଠି ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟର ବାସ୍ତବ ରୂପାନ୍ତରଣ ନିମନ୍ତେ, ନିରନ୍ତର ଉଦ୍ୟମ କରିବେ ଓ ‘ମୁକ୍ତା’ କାର୍ୟ୍ୟକ୍ରମ ଜରିଆରେ ରାଜ୍ୟର ସହରାଞ୍ଚଳ ବିକାଶ ଦୃଶ୍ୟପଟ୍ଟରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣି ପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଓଡ଼ିଶା ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାତନନ୍ କହିଥିଲେ ଯେ କୋଭିଡ଼ ପରିସ୍ଥିତିର ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୨୦୨୦ ମସିହା ଏପ୍ରିଲ୍ ମାସ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ସମଗ୍ର ଦେଶରେ ନିଆଯାଇଥିବା ଜୀବିକା ସୁରକ୍ଷା ପଦକ୍ଷେପ ମଧ୍ୟରେ ଥିଲା ସର୍ବପ୍ରଥମ।ଏହି ଅନନ୍ୟ ଉପକ୍ରମ ସମ୍ମାନଜନକ ଗୁଆଙ୍ଗଝାଓ ଆନ୍ତର୍ଜାତିକ ପୁରସ୍କାର ଅନ୍ତର୍ଗତ ଦୁଇଟି ଉଲ୍ଲେଖନୀୟ ବର୍ଗ ଯଥା ‘ମେଡାଲ୍ ଅଫ୍ ଅନର୍’ ଓ ‘ଅନଲାଇନ୍ ପପୁଲାର୍ ସିଟି ଆୱାର୍ଡ ‘ ରେ ସମ୍ମାନିତ ହୋଇଛି। ୨୦୨୧-୨୨ ଡବ୍ଲ୍ୟୁ. ଆର୍. ଆଇ ରସ୍ ସେଣ୍ଟର ପ୍ରାଇଜ୍ ଫର୍ ସିଟିଜ୍ ପାଇଁ ଶ୍ରେଷ୍ଠ ୫ ଟି ଚୂଡ଼ାନ୍ତ ଫାଇନାଲିଷ୍ଟଙ୍କ ମଧ୍ୟରେ ‘ମୁକ୍ତା’ ସ୍ଥାନୀତ ହୋଇଛି। କୋଭିଡ଼ ପରିସ୍ଥିତିରେ ସୁଧାର ଆଣିବା ପାଇଁ ସମଗ୍ର ଦେଶରେ ନିଆଯାଇଥିବା ଜୀବିକା ସୁରକ୍ଷା ପଦକ୍ଷେପ ମଧ୍ୟରୁ ଅଗ୍ରଣୀ କାର୍ୟ୍ୟକ୍ରମ ରୂପେ ସ୍ଵୀକୃତି ସ୍ବରୂପ ଏହି ଅନ୍ତର୍ଜାତୀୟ ପୁରସ୍କାରରେ ଓଡ଼ିଶା ସମ୍ମାନିତ ହୋଇ ପାରିଛି ବୋଲି ସେ ସୂଚନା ଦେଇଥିଲେ। ସ୍ଵଚ୍ଛତା ତଥା ଉତ୍ତରଦାୟିତ୍ଵ ସହ ଗୋଷ୍ଠୀ ସଂଚାଳିତ ସହଭାଗିତା ଓ ନିମ୍ନ ସ୍ତରରୁ ଊର୍ଦ୍ଧ୍ଵଗାମୀ ପରିଚାଳନା ମାଧ୍ୟମରେ ସମ୍ପନ୍ନ ‘ମୁକ୍ତା’ ର କାର୍ୟ୍ୟକାରିତାରେ କୌଣସି ଅବହେଳା ଦେଖାଗଲେ ଦୃଢ ପଦକ୍ଷେପ ନିଆଯିବ ବୋଲି ସେ ପ୍ରଫେସନାଲ୍ ମାନଙ୍କୁ ସତର୍କ କରାଇ ଦେଇଥିଲେ ।
ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ତାଙ୍କ ଅଭିଭାଷଣରେ ଏହି ଯୋଜନାରେ ପୌରସଂସ୍ଥାର ୱାର୍ଡ କୁ ବିକାଶର ଏକକ ଭାବେ ଗ୍ରହଣ କରାଯାଇଥାଏ ଓ ପରିପୃକ୍ତତା ଭିତ୍ତିରେ ସମସ୍ତ ୧୧୫ ପୌରସଂସ୍ଥାର ୨୦୫୫ ୱାର୍ଡ ମାନଙ୍କରେ ଦୀର୍ଘସ୍ଥାୟୀ ଗୋଷ୍ଠୀ ଭିତ୍ତିକ ସମ୍ପଦ ସୃଷ୍ଟି ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥାଏ ବୋଲି ଗୁରୁତ୍ବ ଆରୋପ କରିଥିଲେ। ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ଶାରଦା ପ୍ରସାଦ ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରି ‘ମୁକ୍ତା’ କାର୍ୟ୍ୟକ୍ରମର ଆଭିମୁଖ୍ୟ ଓ ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ । ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳାରେ ୧୧୫ ପୟର ସଂସ୍ଥାରୁ ୩୪୫ ଜଣ ‘ମୁକ୍ତା’ ପ୍ରଫେସନାଲ୍ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବୈଷୟିକ ଅଧିବେଶନରେ ଭାଗ ନେଇ ବିଭାଗୀୟ ଅଧିକାରୀ ବୃନ୍ଦ ତଥା ‘ମୁକ୍ତା’ ପ୍ରଫେସନାଲ୍ ମାନେ ସେମାନଙ୍କ ମତ ବିନିମୟ କରିଥିଲେ।