ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା କରି ଓଡ଼ିଶାରେ ୫୬ଟି ବୃହତ୍ ଇସ୍ପାତ କାରଖାନା ସ୍ଥାପନ ହୋଇଛି । ଏଗୁଡିକ ମଧ୍ୟରୁ କେତେକ ଆଂଶିକ ଓ ଆଉ କେତେକ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ।
ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀ କହିଛନ୍ତି ଯେ ୫୬ଟି ବୃହତ୍ ଇସ୍ପାତ କାରଖାନା ସ୍ଥାପନ ହୋଇଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଢ଼ିଙ୍କିଆ-ଗୋବିନ୍ଦପୁର ଇଲାକାରେ ଜିନ୍ଦଲ ଇସ୍ପାତ କାରଖାନା ଲାଗି ୨୦୧୮ ମସିହାରେ ଅନୁମତି ମିଳିଥିଲା ।
ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୪ବର୍ଷ ଓ ଶେଷ ପର୍ଯ୍ୟାୟ କାର୍ଯ୍ୟ ୯ବର୍ଷ ମଧ୍ୟରେ ସାରିବାକୁ ଆକଳନ ହୋଇଛି । ଜିନ୍ଦଲ କାରଖାନା ପ୍ରତିଷ୍ଠା ନିମନ୍ତେ ୪୧୦୦ ଏକର ଜମି ଏବଂ ୧୦୦ କ୍ୟୁସେକ୍ ଜଳର ଆବଶ୍ୟକ ରହିଛି । ପ୍ରକଳ୍ପ ଅନ୍ତର୍ଗତ ୩ଟି ପଞ୍ଚାୟତ ଯଥା: ଗଡକୁଜଙ୍ଗ, ନୂଆଗାଁ ଏବଂ ଢିଙ୍କିଆର ଅଧିକାରୀମାନଙ୍କ ସହ ପ୍ରକଳ୍ପ ପ୍ରତିଷ୍ଠା ସଂକ୍ରାନ୍ତରେ ଜଗତସିଂହପୁର ଜିଲ୍ଲାପାଳ ଆଲୋଚନା ଚଳାଇଛନ୍ତି । (ତଥ୍ୟ)