Home Energy ୫୪୭ ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ

୫୪୭ ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ

ଭୁବନେଶ୍ୱର : ରାଜ୍ୟରେ ଏବେ ୫ଶହ ମେଗାୱାଟରୁ ଅଧିକ ଅକ୍ଷୟ ଶକ୍ତି ଉତ୍ପାଦନ ହେଉଥିବା ବେଳେ ଏଥିରୁ ସୌରଶକ୍ତିର ପରିମାଣ ୪୨୭ ମେଗାୱାଟ୍‍ ରହିଛି । ଅଣସୌରଶକ୍ତିର ପରିମାଣ ୧୨୦ ମେଗାୱାଟରୁ ଅଧିକ ରହିଥିବା ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ୫୪୭.୧୫ ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦିତ ହେଉଛି । ସେଥିମଧ୍ୟରୁ ୪୨୭ ମେଗାୱାଟ ସୌରଶକ୍ତି ଉତ୍ସରୁ ଏବଂ ୧୨୦.୧୫ ମେଗାୱାଟ ଅଣସୌରଶକ୍ତି ଉତ୍ସରୁ ଉପଲବ୍ଧ ହେଉଛି । ଏହାଛଡା ଜଳ ବିଦ୍ୟୁତ କ୍ଷେତ୍ରରୁ ୨୦୯୩.୬୫ ମେଗାୱାଟ ଶକ୍ତି ମିଳୁଛି ।

ବର୍ତ୍ତମାନ ସମଗ୍ର ଦେଶରେ ୧୦୩ ଗିଗାୱାଟ୍‍ କ୍ଷମତାର ଅକ୍ଷୟ ଶକ୍ତି ଉପଲବ୍ଧ ଅଛି । ଅକ୍ଷୟ ଶକ୍ତି ବିକାଶ ପାଇଁ ଆବଶ୍ୟକୀୟ ଉତ୍ସର ପରିମାଣ ବିଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ଅଟେ । ଓଡ଼ିଶାରେ ସୌରଶକ୍ତି ବା ଅଣସୌରଶକ୍ତିର ବ୍ୟବହାରଯୋଗ୍ୟ ସମ୍ବଳର ପରିମାଣ ଅପେକ୍ଷାକୃତ କମ୍‍ । କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ଚଳିତବର୍ଷ ଜୁନ୍‍ ସୁଦ୍ଧା ୫ଟି ପଡୋଶୀ ରାଜ୍ୟରେ ୧୦,୦୬୬ ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦିତ ହେଉଛି ।

ଏଥିମଧ୍ୟରୁ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୮୫୦୫ ମେଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦିତ ହେଉଥିବା ବେଳେ ଛତିଶଗଡରେ ୫୯୮, ପଶ୍ଚିମବଙ୍ଗରେ ୫୬୮, ବିହାରରେ ୩୪୮ ଓ ଝାଡଖଣ୍ଡରେ ୪୭ ମେଗାୱାଟ ଅକ୍ଷୟ ଶକ୍ତି ମିଳୁଛି । ଆମ ରାଜ୍ୟରେ ଅକ୍ଷୟ ଶକ୍ତି ଉତ୍ସରୁ ଉତ୍ପାଦିତ ବିଦ୍ୟୁତକୁ କିଣିବା ପାଇଁ ଓଡ଼ିଶା ବିଦ୍ୟୁତ ନିୟମାକ ଆୟୋଗ ନିୟନ୍ତ୍ରକ-୨୦୧୫ ପ୍ରଚଳିତ ହୋଇଛି ।

ତଦନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ବିନିଯୋଗ ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ ଶକ୍ତିର ୧୧ ପ୍ରତିଶତ ଅକ୍ଷୟ ଶକ୍ତି ଉତ୍ସରୁ ବ୍ୟବହାର ନିମନ୍ତେ ନିୟମ କରାଯାଇଛି । ସେଥିମଧ୍ୟରୁ ସୌରଶକ୍ତି ଓ ଅଣସୌରଶକ୍ତି ଉତ୍ସରୁ ୫.୫ ପ୍ରତିଶତ କରି ରହିଛି । ଏହାଛଡା ରାଜ୍ୟ ସରକାର ଅକ୍ଷୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି ଅକ୍ଷୟ ଶକ୍ତି ନୀତି-୨୦୧୬ ପ୍ରଣୟନ କରିଛନ୍ତି ।

୨୦୨୪ ସୁଦ୍ଧା ରାଜ୍ୟରେ ଏନଏଚପିସି ଦ୍ୱାରା ୪୦ ମେଗାୱାଟ, ଗେଡକୋଲ ଦ୍ୱାରା ୮ ମେଗାୱାଟ, ଓରେଡା ଦ୍ୱାରା ପିଏମ କୁସୁମ ଯୋଜନାରେ ୨୦୦ ମେଗାୱାଟ, କୋଣାର୍କ ସୋଲାରାଇଜେସନ ସ୍କିମ୍‍ ମାଧ୍ୟମରେ ୧୦ ମେଗାୱାଟ ଏବଂ ଭୁବନେଶ୍ୱର ମଡେଲ ସୋଲାର ସିଟି ସ୍କିମ୍‍ ମାଧ୍ୟମରେ ୧୦ ମେଗାୱାଟ ସୌରଶକ୍ତି ଉତ୍ପାଦନ ପାଇଁ ଯୋଜନା ରହିଛି ।

ସୌରଶକ୍ତିରୁ ବିଦ୍ୟୁତ୍‍ ଶକ୍ତି ଉତ୍ପାଦନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଘରୋଇ ଉପଭୋକ୍ତାଙ୍କ ଲାଗି ଛାତ ଉପରେ ସୌରଶକ୍ତି ଯୋଜନାରେ ରିହାତି ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ଉପଭୋକ୍ତାମାନେ ୩ କିଲୋୱାଟ ପର୍ଯ୍ୟନ୍ତ ସୌର ପ୍ରକଳ୍ପ ସ୍ଥାପନ ପାଇଁ ୪୦ ପ୍ରତିଶତ ଏବଂ ୩ରୁ ୧୦ କିଲୋୱାଟ ପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ୨୦ ପ୍ରତିଶତ ସବସିଡି ପାଇପାରିବେ ।

ଏହାଛଡା ରାଜ୍ୟର ବୃହତ୍‍ ଜଳାଶୟଗୁଡିକରେ ଭାସମାନ ସୌର ପ୍ରକଳ୍ପ ମାଧ୍ୟମରେ ୩୦୦ ମେଗାୱାଟ ସୌରଶକ୍ତି ଉତ୍ପାଦନ କରିବାର ଯୋଜନା ରହିଛି । ଏହି ପ୍ରକଳ୍ପଗୁଡିକ ବରଗଡ ମୁଖ୍ୟ କେନାଲ, କୋଲାବ ଜଳଭଣ୍ଡାର ଓ ଇନ୍ଦ୍ରାବତୀ ଦକ୍ଷିଣପାଶ୍ୱର୍ ମୁଖ୍ୟ କେନାଲରେ କରାଯିବାର ଯୋଜନା ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।