Home General ରାଜ୍ୟରେ ବୃଦ୍ଧିପାଉଛି ବୃଦ୍ଧାଶ୍ରମ

ରାଜ୍ୟରେ ବୃଦ୍ଧିପାଉଛି ବୃଦ୍ଧାଶ୍ରମ

ଭୁବନେଶ୍ୱର : ସାକ୍ଷରତା ଓ ମୁଣ୍ଡପିଛା ଆୟ ବୃଦ୍ଧି ସହିତ ତାଳଦେଇ ରାଜ୍ୟରେ ବୃଦ୍ଧାଶ୍ରମ ସଂଖ୍ୟା ବି ବଢିବାରେ ଲାଗିଛି । ବର୍ତ୍ତମନା ସୁଦ୍ଧା ରାଜ୍ୟରେ ୧୪୧ଟି ବୃଦ୍ଧାଶ୍ରମ ଥିବାବେଳେ ରାଜ୍ୟ ସରକାର ଆଉ ୫ଟି ବୃଦ୍ଧାଶ୍ରମ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ପ୍ରଦାନ କରୁଛନ୍ତି ।

ବୃଦ୍ଧ ବାପ ମା’ଙ୍କୁ ଲୋକେ ଘରେ ରଖିବା ବଦଳରେ ଏବେ ବୃଦ୍ଧାଶ୍ରମରେ ଛାଡି ଦେଉଥିବାରୁ ରାଜ୍ୟରେ ବୃଦ୍ଧାଶ୍ରମ ସଂଖ୍ୟା ବଢିବାରେ ଲାଗିଛି । ଏହାଛଡା ପାରିବାରିକ କାରଣ ଯୋଗୁଁ ଅନେକ ବୁଢା ବୁଢୀ ମଧ୍ୟ ବୃଦ୍ଧାଶ୍ରମରେ ରହୁଛନ୍ତି । ବିଦେଶରେ ରୋଜଗାର କରୁଥିବା କିଛି ଲୋକ ମଧ୍ୟ ନିଜ ବାପ ମା’ଙ୍କୁ ବୃଦ୍ଧାଶ୍ରମରେ ଛାଡି ଦେଉଛନ୍ତି । ଏମାନଙ୍କ ଛଡା ଅନେକ ନିରାଶ୍ରୟ ବୁଢା ବୁଢୀ ମଧ୍ୟ ବୃଦ୍ଧାଶ୍ରମକୁ ନିଜର ଠିକଣା ଭାବେ ବାଛି ନେଉଛନ୍ତି । ଏଥିପାଇଁ ସେମାନେ ଆବଶ୍ୟକ ଅର୍ଥ ମଧ୍ୟ ପ୍ରଦାନ କରୁଛନ୍ତି ।

ଦିନକୁ ଦିନ ଏଭଳି ଧାରା ଜାରି ରହିଥିବାରୁ ରାଜ୍ୟରେ ବୃଦ୍ଧାଶ୍ରମ ସଂଖ୍ୟା ବଢିବାରେ ଲାଗିଛି । ବୃଦ୍ଧାଶ୍ରମ ପ୍ରତିଷ୍ଠା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା ଯୋଗାଇ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟୋର ୮୮ଟି ବୃଦ୍ଧାଶ୍ରମ ଚାଲୁଥିବାବେଳେ ରାଜ୍ୟ ସରକାରଙ୍କ ଅନୁଦାନରେ ୫ଟି ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ୫ଟି ବୃଦ୍ଧାଶ୍ରମ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେଉଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବୃଦ୍ଧାଶ୍ରମଗୁଡିକୁ କେନ୍ଦ୍ରରୁ ସିଧାସଳଖ ଅନୁଦାନ ଆସିଥାଏ । ରାଜ୍ୟ ସରକାରଙ୍କ ଅନୁଦାନରେ ପରିଚାଳିତ ୨୫ଶଯ୍ୟା ବିଶିଷ୍ଟ ବୃଦ୍ଧାଶ୍ରମଗୁଡିକୁ ବାର୍ଷିକ ୧୫ଲକ୍ଷରୁ ଅଧିକ ସହାୟତା ସହାୟତା ପ୍ରଦାନ କରାଯାଉଛି ।

ତେବେ ରାଜ୍ୟରେ ବୁଢା ବୁଢୀମାନଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ରାଜ୍ୟ ସରକାର ଚଳିତବର୍ଷ ପୁରୀ, ଗଞ୍ଜାମ, କନ୍ଧମାଳ, ସମ୍ବଲପୁର ଜିଲ୍ଲାରେ ୫୦ ଶଯ୍ୟା ବିଶିଷ୍ଟ ଆଉ ୫ଟି ବୃଦ୍ଧାଶ୍ରମ ପ୍ରତିଷ୍ଠାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେହିପରି ମାଲକାନଗିରି, ଅନୁଗୁଳ, ବରଗଡ, ଓ ସୁନ୍ଦରଗଡ ଜିଲ୍ଲାରେ ଥିବା ୬ଟି ବୃଦ୍ଧାଶ୍ରମକୁ ଅନୁଦାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ୍‍ କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବୃଦ୍ଧାଶ୍ରମଗୁଡିକୁ ଅନୁଦାନ ଯୋଗାଇଦେବା ଓ ପ୍ରତି ଜିଲ୍ଲାରେ ଏହାର ଚାହିଦା ବୃଦ୍ଧି ପାଉଥିବାରୁ ବେସରକାରୀ ସଂସ୍ଥାମାନେ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।

ତେବେ ରାଜ୍ୟରେ ମୁଣ୍ଡପିଛା ଆୟ ବଢିବା ସହିତ ସାକ୍ଷରତାର ହାର ବଢିଥିବାବେଳେ ଜନ୍ମିତ ପିତା ମାତାଙ୍କୁ ପରିବାର ସଦସ୍ୟମାନେ ଅଲୋଡା ଭାବେ ବୃଦ୍ଧାଶ୍ରମରେ ଛାଡିବାର ଧାରା ଜାରି ରହିଛି । ବିଶେଷକରି ଯୁବବର୍ଗମାନେ ବୁଢା ବୁଢୀଙ୍କୁ ସେମାନଙ୍କ ପାଇଁ ବୋଝ ବୋଲି ବିଚାରୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ସହରାଞ୍ଚଳରେ ନିଜ ଘରଠାରୁ ଅଳ୍ପ ଦୂରରେ ଥିବା ବୃଦ୍ଧାଶ୍ରମରେ ଅର୍ଥ ପ୍ରଦାନ କରି ପିତାମାତାଙ୍କୁ ଛାଡିବାକୁ ଲୋକେ ପଛାଉ ନାହାନ୍ତି । ବୃଦ୍ଧ ବୟସରେ ଲୋକଙ୍କୁ ସହାୟତା ପାଇଁ ବଢି ଚାଲିଥିବା ଏହି ବୃଦ୍ଧାଶ୍ରମ ସଂଖ୍ୟା ଆଗାମୀ ଦିନରେ ଗୁରୁତର ସାମାଜିକ ଓ ପାରିବାରିକ ସମସ୍ୟା ସୃଷ୍ଟି କରିବ ବୋଲି ଏ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । (ତଥ୍ୟ)