Home General ରାଜପଥ ପାଟ୍ରୋଲିଂ କଡାକଡି କର

ରାଜପଥ ପାଟ୍ରୋଲିଂ କଡାକଡି କର

ଭୁବନେଶ୍ୱର : ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ରୋକିବାପାଇଁ ରାଜପଥ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ପୁଲିସ୍‍ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କୁ କହିଛନ୍ତି । ଏହି ମର୍ମରେ ଆଜି ଶ୍ରୀମତୀ ପାଢୀ ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ ଏକ ପତ୍ର ଲେଖିଛନ୍ତି ।

ପତ୍ରରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତାହତ ସଂଖ୍ୟା ହ୍ରାସ ଲାଗି ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜାତୀୟ ରାଜପଥର ୫ଟି ସମ୍ବେଦନଶୀଳ ସ୍ଥାନରେ ପାଟ୍ରୋଲିଂ କାର୍ଯ୍ୟକାରୀ ହେଉଛି ଯେଉଁଥିରେ ୩୬ଟି ଛୋଟ ଛୋଟ ସ୍ଥାନ ଆସୁଛି । ଏଥିପାଇଁ ରାଜ୍ୟ ପୁଲିସ୍‍କୁ ୧୦କୋଟି ଟଙ୍କା ପ୍ରଦାନ କରାଯାଇଛି ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଦ୍ୱୈତନଗରୀ ପୁଲିସ୍‍ କମିଶନର ଏ ସଂକ୍ରାନ୍ତରେ କରିଥିବା ଅନୁଧ୍ୟାନ ସମୟରେ ମଙ୍ଗୁଳି ଠାରୁ ମଳିପଡା ମଧ୍ୟରେ ଥିବା ସମ୍ବେଦନଶୀଳ ସ୍ଥାନରେ ପାଟ୍ରୋଲିଂ ଲାଗି ଆବଶ୍ୟକ ଯାନ ଯୋଗାଇଦେବାକୁ କୁହାଯାଇଥିଲା । ଅନୁରୂପ ଭାବେ ପୁଲିସ୍‍ ମହାନିର୍ଦ୍ଦେଶକ ମଧ୍ୟ ନଖରା ଠାରୁ ଜୟଦେବବିହାର, ଜୟଦେବବିହାର ଠାରୁ ପିତାପଲ୍ଲୀ ଏବଂ ହାଇଟେକ ଛକ ଠାରୁ ଉତ୍ତରା ପର୍ଯ୍ୟନ୍ତ ପାଟ୍ରୋଲିଂ ପାଇଁ ଗାଡି ଯୋଗାଇଦେବାକୁ ଅନୁରୋଧ କରିଥିଲେ ।

ଉଲ୍ଲେଖନୀୟ ଯେ ୧୬ ନମ୍ବର ଜାତୀୟ ରାଜପଥର ଖୋରଧା ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାଜପଥକୁ ସମ୍ବେଦନଶୀଳ ଭାବେ ବିବେଚନା କରାଯାଉଛି । ସଡକ ଦୁର୍ଘଟଣା ତଥ୍ୟ ଅନୁଯାୟୀ ସଡକ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ମଧ୍ୟରୁ ୧୨ ପ୍ରତିଶତ ଏହି ସମ୍ବେଦନଶୀଳ ସ୍ଥାନରେ ହିଁ ଘଟୁଛି ।

ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ୍‍ ଏହି ସମ୍ବେଦନଶୀଳ ରାଜପଥରେ ପାଟ୍ରୋଲିଂ ପାଇଁ ଯୋଗାଇ ଦିଆଯାଇଥିବା ପାଣ୍ଠି ବାଦ୍‍ ଆଉ ତିନିଟି ପାଟ୍ରୋଲିଂ ଗାଡି ଯୋଗାଇ ଦିଆଯାଇଥିବା ଶ୍ରୀମତୀ ପାଢୀ କହିଛନ୍ତି । ତେବେ ଭୁବନେଶ୍ୱର ଡିସିପି ଯେଉଁ ସମ୍ବେଦନଶୀଳ ସ୍ଥାନ ଉଲ୍ଲେଖ କରିଛନ୍ତି ତାହା ଅତ୍ୟନ୍ତ ଛୋଟ ହୋଇଥିବା ରାଜପଥ ପାଟ୍ରୋଲିଂ ଯାନକୁ କଟକର କିଛି ଅଞ୍ଚଳକୁ ପରିବ୍ୟାପ୍ତ କରାଯାଇପାରେ । ସେହିଭଳି ରାଜପଥରେ ପାଟ୍ରୋଲିଂ କରୁଥିବା କର୍ମଚାରୀମାନଙ୍କୁ ଆବଶ୍ୟକ ତାଲିମ ଦେବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

କ୍ରାଇମବ୍ରାଞ୍ଚ ତଥ୍ୟ ଅନୁଯାୟୀ ୨୦୨୩ ମାର୍ଚ୍ଚରେ ରାଜପଥରେ ୬୯୨୩ଟି ଟ୍ରାଫିକ ଉଲ୍ଲଙ୍ଘନ ହୋଇଥିବା ରାଜପଥ ପାଟ୍ରୋଲିଂ ଟିମ୍‍ ନଜରକୁ ଆସିଛି । ପ୍ରତ୍ୟେକ ପାଟ୍ରୋଲିଂ ଟିମ୍‍ ଦୈନିକ ହାରାହାରି ୬.୪ଟି ଟ୍ରାଫିକ ଉଲ୍ଲଙ୍ଘନ ମାମଲା ଠାବ କରୁଛନ୍ତି । ତେବେ ଏହି ମାସକ ମଧ୍ୟରେ ୬ଟି ପାଟ୍ରୋଲିଂ ଟିମ୍‍ ଗୋଟିଏ ହେଲେ ଟ୍ରାଫିକ ଉଲ୍ଲଙ୍ଘନ ମାମଲା ଠାବ କରିପାରି ନାହାନ୍ତି ।

ଏପ୍ରିଲ୍‍ ୨୦୨୨ ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ରାଜପଥ ପାଟ୍ରୋଲିଂ ଟିମ୍‍ ୫୫,୦୦୭ଟି ଟ୍ରାଫିକ ଉଲ୍ଲଙ୍ଘନ ମାମଲା ଠାବ ହୋଇଥିଲା । ତେଣୁ ପ୍ରମୁଖ ସଚିବ ଶ୍ରୀମତୀ ପାଢୀ ରାଜପଥରେ ପାଟ୍ରୋଲିଂକୁ ଆହୁରି କଡାକଡି ସହିତ ଏଥିରେ ଉନ୍ନତି ଆଣିବାପାଇଁ ଏସ୍‍ପି ଓ ଡିସିପିମାନଙ୍କୁ ନିର୍ଦ୍ଦେଶ ଦେବା ଲାଗି ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ କହିଛନ୍ତି । (ତଥ୍ୟ)