Home Environment ରାଜଧାନୀର ଗଳିକନ୍ଦିରେ ନିଶା କାରବାର

ରାଜଧାନୀର ଗଳିକନ୍ଦିରେ ନିଶା କାରବାର

ରାଜଧାନୀର ରାଜରାସ୍ତା ଠାରୁ ଆରମ୍ଭକରି ଗଳିକନ୍ଦି ପର୍ଯ୍ୟନ୍ତ ଚାରିଆଡେ ଏବେ ଚୋରା ନିଶାର ପ୍ରାବଲ୍ୟ ବଢି ଚାଲିଛି । ଏଥିଯୋଗୁଁ ସାଧାରଣ ଲୋକଙ୍କ ଧନଜୀବନ ବିପନ୍ନ ହେବା ସହ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେଉଛି ଏବଂ ଦୁର୍ଘଟଣା ସମେତ ରୋଗବ୍ୟାଧି ବି ବ୍ୟାପୁଛି ।

ପ୍ରାୟ ପ୍ରତିଦିନ କମିଶନରେଟ ପୁଲିସ୍‍ ଗଞ୍ଜେଇ, ବ୍ରାଉନସୁଗାର ଓ ଅନ୍ୟାନ୍ୟ ଚୋରା ନିଶା ସାମଗ୍ରୀ ଜବତ କରୁଛି । ଏହା ସତ୍ୱେ ବି ନିଶା ପ୍ରସାର ନିୟନ୍ତ୍ରିତ ହେବା ପରିବର୍ତ୍ତେ ଲଗାମଛଡା ଭାବେ ବଢିଚାଲିଛି ।

କରୋନା ଲକ୍‍ଡାଉନ୍‍ ସମୟରେ ମଦ ଠାରୁ ଆରମ୍ଭକରି ସିଗାରେଟ, ପାନ, ଗୁଟ୍‍ଖା ଦୋକାନ ଆଦି ବନ୍ଦ ରହିବା ସମୟରେ ନିଶାଡିଙ୍କ ଦୌରାତ୍ମ୍ୟ ପ୍ରାୟତଃ ଦେଖିବାକୁ ମିଳୁନଥିଲା । ଏବେ ଅଧିକାଂଶ ପାନ ଦୋକାନରୁ ଆରମ୍ଭକରି ଡାଲି ଚାଉଳ ଦୋକାନ ପର୍ଯ୍ୟନ୍ତ ନିଶା ସାମଗ୍ରୀ ଉପଲବ୍ଧ ହେଉଛି । ସେହିଭଳି ଲକ୍‍ଡାଉନ୍‍ ପରେ କାମଧନ୍ଦା ହରାଇ ପେଟପାଟଣା ପାଇଁ ପରିବା ବେପାରକୁ ପେଶା କରିଥିବା ଅନେକ ଲୋକ ଏବେ ଚୋରା ନିଶା ବେପାରକୁ ଆୟର ମୁଖ୍ୟ ମାଧ୍ୟମ ଭାବେ ଧରି ନେଇଛନ୍ତି ।

ପୁଲିସ୍‍ ବସ୍ତା ବସ୍ତା ଗଞ୍ଜେଇ ଜବତ କରୁଥିବାବେଳେ ଗଞ୍ଜେଇ ସିଗାରେଟ ପ୍ରସ୍ତୁତି କେତେକ ଅଞ୍ଚଳରେ କୁଟୀର ଶିଳ୍ପରେ ପରିଣତ ହୋଇଛି । ଏମିତିକି ନିଶାଡିଙ୍କୁ ଆକର୍ଷିତ କରିବାପାଇଁ ସିଗାରେଟରେ ବି ବ୍ରାଉନସୁଗାର ମିଶାଇ ଦିଆଯାଉଛି । ଫଳରେ ନିର୍ଦ୍ଧିଷ୍ଟ ଚା’ ପାନ ଦୋକାନରେ ନିଶାଡିମାନଙ୍କ ଅତ୍ୟଧିକ ଭିଡ ଜମୁଛି । କେବଳ ସେତିକି ନୁହେଁ, ଏସବୁ ସ୍ଥାନରେ ମଧ୍ୟ ମଦ୍ୟପାନ ମୁକ୍ତାକାଶ ବାର୍‍ ଭଳି ହୋଇଛି ।

ବିଭିନ୍ନ ବ୍ରାଣ୍ଡ୍‍ର ସିଗାରେଟଖୋଳ ଭିତରେ ଗଞ୍ଜେଇ ସିଗାରେଟ ଓ ଗଞ୍ଜେଇ ବିଡି ରଖି ଏମାନେ ବେପାର କରୁଛନ୍ତି । ନିଶା ବେପାରୀମାନେ ଆଉ କେତେକ ପାର୍କ ଓ ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ନିକଟରେ ସେମାନଙ୍କ ପସରା ମେଲାଉଛନ୍ତି । ଏମିତିକି ମୋବାଇଲ୍‍ ମେସେଜ ମାଧ୍ୟମରେ ଘରେ ଘରେ ଚୋରା ନିଶା ସାମଗ୍ରୀ ପହଞ୍ଚାଯାଇ ପାରୁଛି । ତେବେ କରୋନା କଟକଣା ସମୟରେ ଅନ୍‍ଲାଇନ୍‍ ମଦ କାରବାର ଆରମ୍ଭ ହୋଇଥିବାବେଳେ ଏହା ଏବେ ମଦ ସହିତ ଗଞ୍ଜେଇ, ବ୍ରାଉନସୁଗାର ଭଳି ନିଷିଦ୍ଧ ନିଶା ପରିବହନର ମୁଖ୍ୟ ମାଧ୍ୟମ ପାଲଟିଛି ।

ବିଶେଷକରି କରୋନା ପରିପ୍ରେକ୍ଷୀରେ ରୋଜଗାର ହରାଇଥିବା ଅନେକ ବ୍ୟକ୍ତି ଏହି ଧନ୍ଦାରେ ମାତିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ପୁଲିସ୍‍ର ବ୍ୟାପକ ପଇଁତରା ସତ୍ୱେ ଏବେ ରାଜଧାନୀରେ ଛିନ୍‍ତାଇ ଠାରୁ ଆରମ୍ଭକରି ଅନ୍ୟାନ୍ୟ ଛୋଟବଡ ଅପରାଧ ବଢି ଚାଲିଛି । ବିଶେଷକରି ବରିଷ୍ଠ ନାଗରିକ ଓ ମହିଳାମାନଙ୍କୁ ଏହି ଗୋଷ୍ଠି ଟାର୍ଗେଟ କରୁଛନ୍ତି । ନିଶା ସେବନ ପାଇଁ ଅର୍ଥ ଯୋଗାଡ ଲାଗି ଏଭଳି ଅପରାଧ ଘଟୁଥିବା କୁହାଯାଉଛି । କେବଳ ସେତିକି ନୁହେଁ କରୋନା ସଂକ୍ରମଣ କ୍ଷେତ୍ରରେ ମଧ୍ୟ ଏହି ନିଶାଡି, ନିଶା ବେପାରୀ ଓ ଉତ୍ସୃଙ୍ଖଳ ଯୁବକମାନେ ଭୂମିକା ନିଭାଉଛନ୍ତି ।