Home General ରାଜଧାନୀରେ କମୁଛି ଭୂତଳ ଜଳସ୍ତର

ରାଜଧାନୀରେ କମୁଛି ଭୂତଳ ଜଳସ୍ତର

ଭୁବନେଶ୍ୱର : ରାଜଧାନୀରେ ପାଖାପାଖି ଅଧା ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଉଛି । କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଦ୍ୱାରା ଭୁବନେଶ୍ୱରର ୪୧ଟି ଭୂତଳ ଜଳ ଉତ୍ସରେ ହୋଇଥିବା ଅନୁଧ୍ୟାନରୁ ଏହି ସୂଚନା ମିଳିଛି ।

ଦେଶର ବଛା ବଛା ସହରାଞ୍ଚଳରେ ଭୂତଳ ସ୍ତରର ସ୍ଥିତି ଜାଣିବାପାଇଁ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା । ଏଥିରେ ଓଡିଶାର ଭୁବନେଶ୍ୱର ସହରକୁ ସାମିଲ କରାଯାଇଥିଲା । ଏହି ଅନୁଧ୍ୟାନରେ ଭୁବନେଶ୍ୱର ସହରର ୪୧ଟି ଜଳ ଉତ୍ସକୁ ସାମିଲ କରାଯାଇଥିଲା । ଏଥିରୁ ଜଣାଯାଇଛି ଯେ ଦୁଇ ମିଟର ପର୍ଯ୍ୟନ୍ତ ଗଭୀର ଥିବା ୨୨ଟି, ୨ରୁ ୪ ମିଟର ଗଭୀର ଥିବା ଦୁଇଟି ଓ ୪ ମିଟରରୁ ଅଧିକ ଗଭୀର ଥିବା ଗୋଟିଏ ଜଳ ଉତ୍ସରେ ଜଳ ସ୍ତର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା ।

ତେବେ ଦୁଇ ମିଟର ପର୍ଯ୍ୟନ୍ତ ଗଭୀର ଥିବା ୧୪ ଏବଂ ଦୁଇ ରୁ ଚାରି ମିଟର ପର୍ଯ୍ୟନ୍ତ ଗଭୀର ଥିବା ଦୁଇଟି ଜଳ ଉତ୍ସରେ ଜଳସ୍ତର ହ୍ରାସ ପାଉଥିବା ଅନୁଧ୍ୟାନ ସମୟରେ ଜଣାପଡିଥିଲା । ତଦନୁଯାୟୀ ସହରରେ ପାଖପାଖି ଅଧାଅଧି ଅଞ୍ଚଳରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି ।

ତେବେ ରାଜଧାନୀରେ ଜଳସ୍ତରର ସ୍ଥିତି ଧିରେ ଧିରେ ବିଗୁଡୁଥିବା ପରିବେଶବିତ୍‍ମାନେ ମତ ଦେଉଛନ୍ତି । ସେମାନଙ୍କ କହିବାକଥା ଯେ ସହରର କେନ୍ଦ୍ରସ୍ଥଳ ସମେତ ସହରତଳି ଅଞ୍ଚଳରେ ଗଢି ଉଠୁଥିବା ଶହ ଶହ ଆପାର୍ଟମେଣ୍ଟ ସେମାନଙ୍କର ଚାହିଦା ମେଣ୍ଟାଇବାପାଇଁ ମନଇଚ୍ଛା ଭୂତଳ ଜଳ ଶୋଷୁଛନ୍ତି । ଏମାନେ କେତେ ପରିମାଣରେ ଜଳ କେଉଁ ଅଞ୍ଚଳରୁ ଶୋଷଣ କରୁଛନ୍ତି ତାହାର ହିସାବ ପ୍ରାୟତଃ କାହାରି ପାଖରେ ନାହିଁ ।

କେବଳ ଆପାର୍ଟମେଣ୍ଟ ନୁହେଁ, ଅନେକ ଘରୋଇ ଅନୁଷ୍ଠାନ ଓ ବେସରକାରୀ ଘରଗୁଡିକ ମଧ୍ୟ ଜଳକଷ୍ଟରୁ ରକ୍ଷା ପାଇବାପାଇଁ ଭୂତଳ ଜଳସ୍ତର ଶୋଷିବାରେ ଲାଗିଛନ୍ତି । ବିନାନୁମତିରେ ଉଚ୍ଚ କ୍ଷମତାସମ୍ପନ୍ନ ମୋଟର ଲଗାଇ ପାଣି ଟାଣିବା ବେଆଇନ୍‍ ହୋଇଥିଲେ ମଧ୍ୟ ତାହାକୁ ସହରରେ କେହି ମାନିବାକୁ ପ୍ରସ୍ତୁତ ନୁହନ୍ତି । ବିଡିଏ ଠାରୁ ବିଏମ୍‍ସି ପର୍ଯ୍ୟନ୍ତ ସମସ୍ତେ ଏ କ୍ଷେତ୍ରରେ ଏକ ପ୍ରକାର ନିରବଦ୍ରଷ୍ଟା ।

ରାଜଧାନୀରେ ଦିନକୁ ଦିନ ଆପାର୍ଟମେଣ୍ଟ ସଂଖ୍ୟା ବଢି ଚାଲିଥିବାବେଳେ ଏମାନେ ଜଳ କେଉଁଠୁ ଆଣୁଛନ୍ତି ସେ ସଂକ୍ରାନ୍ତରେ ଅନୁସନ୍ଧାନ କରିବାର ସମୟ ଆସିଯାଇଛି । ବ୍ୟାପକ ବୃକ୍ଷରୋପଣ ସହିତ ରାଜଧାନୀରେ ଭୂତଳ ଜଳ ଶୋଷଣକୁ ରୋକାନଗଲେ ଅଳ୍ପବର୍ଷ ମଧ୍ୟରେ ରାଜଧାନୀବାସୀ ଗୁରୁତର ଜଳ ସମସ୍ୟାର ସମ୍ମୁଖୀନ ହେବେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଲେଣି ।

ଭୂତଳ ଜଳସ୍ତର ବୃଦ୍ଧି ପାଇଁ ବର୍ଷାଜଳ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ହୋଇଥିବାରୁ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମଡେଲ ବିଲ୍ଡିଂ ବାଇ ଲ ୨୦୧୬ ରେ ଜାରି କରାଯିବା ସହିତ ସହରାଞ୍ଚଳରେ ୧୦୦ ଫୁଟ କିମ୍ବା ତଦୁର୍ଦ୍ଧ ଅଞ୍ଚଳରେ ଘର ତିଆରି କରୁଥିବା ଲୋକଙ୍କ ପାଇଁ ବର୍ଷାଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ବାଧ୍ୟତାମୂଳକ କରାଯାଇଛି । ତେବେ ଭୁବନେଶ୍ୱର ସହରରେ ଏହାକୁ ପ୍ରାୟତଃ କେହି ପାଳନ କରୁନାହାନ୍ତି । (ତଥ୍ୟ)