ଭୁବନେଶ୍ୱର : ଆର୍ନ୍ତଜାତିକ ଅହିଂସା ଦିବସ ଅବସରରେ ପୂରପଲ୍ଲୀରୁ ଆରମ୍ଭ କରି ଜାତିସଂଘ ମୁଖ୍ୟାଳୟ ପର୍ଯ୍ୟନ୍ତ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜନ୍ମଦିବସ ଆଜି ପ୍ରତିପାଳିତ ହେଉଥିବାବେଳେ ଗାନ୍ଧୀପ୍ରେମୀମାନେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଖୋଜୁଛନ୍ତି ହଜି ଯାଇଥିବା ଗାନ୍ଧୀଭବନକୁ ।
ସଚିବାଳୟ ମାର୍ଗର ରବୀନ୍ଦ୍ରମଣ୍ଡପ ଓ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରେ ରାଜ୍ୟ ପାଠଗାର ଚାଲୁଛି ତାହା ଦିନେ ଗାନ୍ଧୀଭବନ ନାମରେ ସାରା ରାଜ୍ୟରେ ଖ୍ୟାତ ଥିଲା । ଗତ ଶତାବ୍ଦୀର ୮୦ଦଶକ ମଧ୍ୟଭାଗ ପର୍ଯ୍ୟନ୍ତ ଏହି ସୌଧରେ ଡିପିଆଇ ଅଫିସ ଚାଲୁଥିଲା । ସେତେବେଳେ ଅବିଭକ୍ତ ଶିକ୍ଷା ବିଭାଗର ଜଣେ ମାତ୍ର ନିର୍ଦ୍ଦେଶକ ଥିଲେ ଓ ତାଙ୍କୁ ଡିପିଆଇ ବୋଲି କୁହାଯାଉଥିଲା । ଏହି ସୌଧ ଉପରେ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଗାନ୍ଧୀ ଭବନ ବୋଲି ଲେଖା ରହିଥିଲା ଏବଂ ଡିପିଆଇଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରିବା ବାଟରେ ସୌଧ ଭିତରେ ଗାନ୍ଧୀଜୀଙ୍କର ଏକ ପୂର୍ଣ୍ଣାବୟବ ସୁଦୃଶ୍ୟ ପ୍ରତିମୂର୍ତ୍ତି ମଧ୍ୟ ରହିଥିଲା ।
ଏବର୍ଷ ଓଡିଶା ଗାନ୍ଧୀଜୀଙ୍କ ପ୍ରଥମ ଓଡିଶା ଗସ୍ତର ଶତବାର୍ଷିକୀ ପାଳନ କରୁଥିବାବେଳେ ୨ବର୍ଷ ତଳେ ପାଳନ କରୁଥିଲା ୧୫୦ତମ ଗାନ୍ଧୀ ଜୟନ୍ତୀ ବର୍ଷ । ଓଡିଶା ସରକାର ମଧ୍ୟ ସମ୍ବିଧାନର ମୁଖବନ୍ଧରେ ଗାନ୍ଧୀଜୀଙ୍କ ଅମୋଘ ଅସ୍ତ୍ର ‘ଅହିଂସା’କୁ ସ୍ଥାନିତ କରିବାପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବିକରି ଆସୁଛନ୍ତି । ତେବେ ରାଜ୍ୟ ସଚିବାଳୟ ଓ ବିଧାନସଭାର ଅନତି ଦୂରରେ ଥିବା ଗାନ୍ଧୀଭବନ ଉପରୁ କାହିଁକି ତାହାର ନାମଫଳକ ଖୋଲି ଦିଆଗଲା ସେ ସଂକ୍ରାନ୍ତରେ କେହି କିଛି କହିବାକୁ ନାରାଜ ।
ଅଶୀ ଦଶକ ପର୍ଯ୍ୟନ୍ତ ରାଜ୍ୟରେ ଯେଉଁ ଶିକ୍ଷକମାନେ ଡିପିଆଇ ଅଫିସକୁ ଆସୁଥିଲେ ମଧ୍ୟ ଏହି ଦପ୍ତରରେ ଯେଉଁମାନେ କାମ କରୁଥିଲେ ଓ ସେ ସମୟର ଛାତ୍ରନେତାମାନେ କହୁଛନ୍ତି ଯେ ସେତେବେଳେ ଡିପିଆଇ ଅଫିସର ଠିକଣା, ଚିଠିପତ୍ର ଆଦିରେ ଗାନ୍ଧୀଭବନ ଲେଖା ରହୁଥିଲା । ପୂର୍ବ ତ୍ରୁଟିକୁ ସୁଧାରି ଏହି ସୌଧକୁ ପୁର୍ନବାର ଗାନ୍ଧୀଭବନ ଭାବେ ନାମିତ କରିବା କିମ୍ବା ଗାନ୍ଧୀଜୀଙ୍କ ସ୍ମାରକୀ ଉଦ୍ଦେଶ୍ୟରେ ଅନ୍ୟଏକ ଭବନ ନିର୍ମାଣ ଲାଗି ଦାବି ଉଠୁଛି ।
କେବଳ ସେତିକି ନୁହେଁ, ଭୁବନେଶ୍ୱରରେ ଶହେ ଫୁଟ ଉଚ୍ଚର ଗାନ୍ଧୀ ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ ଯୋଜନା ଥିଲା । ଏବେ ଯେଉଁଠି ରାଜ୍ୟ ବିଧାନସଭା ସଚିବାଳୟ ରହିଛି ତାହା ଅତୀତରେ ଗାନ୍ଧୀ ଉଦ୍ୟାନ ନାମରେ ଖ୍ୟାତ ଥିଲା । ଏବେ ସମସ୍ତେ ବିଲୁପ୍ତ ହୋଇଯାଇଥିବା ଗାନ୍ଧୀ ଉଦ୍ୟାନ ଓ ଶାସନ ବ୍ୟବସ୍ଥାର ସ୍ମୃତିରୁ ଅପସରି ଯାଇଥିବା ଗାନ୍ଧୀସ୍ମୃତି ସ୍ତମ୍ଭକୁ ବି ଭୁଲିଗଲେଣି । ମାଷ୍ଟର କ୍ୟାଣ୍ଟିନରୁ ବିଧାନସଭା ପର୍ଯ୍ୟନ୍ତ ରାସ୍ତାଟି ମହାତ୍ମାଗାନ୍ଧୀମାର୍ଗ ନାମରେ ନାମିତ ଥିବାବେଳେ ଏହାର ନାମ ବଦଳାଇବାପାଇଁ ବି ଗୋଟିଏ ସମୟରେ ଉଦ୍ୟମ ହୋଇଥିଲା ଏବଂ ପ୍ରଚଣ୍ଡ ବିରୋଧ ଯୋଗୁଁ ତାହା ହୋଇପାରିନଥିଲା ।
ସେହିପରି ଗାନ୍ଧୀ ସ୍ମାରକୀ ନିର୍ମାଣ ଲାଗି କଟକ ଷ୍ଟେଟବ୍ୟାଙ୍କ୍ ମାଲଖାନାରେ ପ୍ରାୟ ୪୫ବର୍ଷ ରହିଥିବା ଗାନ୍ଧୀଜୀଙ୍କ ଚିତାଭଷ୍ମ ପଡି ରହିବାପରେ ଓଡିଶା ସରକାରଙ୍କର ଅନାଗ୍ରହ ଯୋଗୁଁ ସୁପ୍ରିମ୍କୋର୍ଟଙ୍କ ହସ୍ତକ୍ଷେପ କ୍ରମେ ୧୯୯୬ରେ ଜାନୁୟାରୀ ୩୦ ତାରିଖରେ ଆହ୍ଲାବାଦର ତ୍ରିମେଣୀ ସଙ୍ଗମରେ ବିସର୍ଜନ କରାଯାଇଥିଲା । ଏ ପରିପ୍ରେକ୍ଷୀରେ ଗାନ୍ଧୀଭବନ ପ୍ରସଙ୍ଗକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେବାପାଇଁ ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ପ୍ରହଲାଦ କୁମାର ସିଂହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । (ତଥ୍ୟ)