Home Culture ରତ୍ନଭଣ୍ଡାର ପ୍ରସଙ୍ଗରେ ସମସ୍ତେ ନିରବ

ରତ୍ନଭଣ୍ଡାର ପ୍ରସଙ୍ଗରେ ସମସ୍ତେ ନିରବ

ଭୁବନେଶ୍ୱର : ଦୀର୍ଘ ୩୮ ବର୍ଷ ଧରି ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଘର ଖୋଲାଯାଇନଥିବା ପରିପ୍ରେକ୍ଷୀରେ ଏହି ଭଣ୍ଡାରଘରର ନିରାପତ୍ତା ଜନିତ ସ୍ଥିତି ସଂକ୍ରାନ୍ତରେ ଭାରତ ସରକାରଙ୍କ ପ୍ରତ୍ନତାତ୍ୱିକ ସଂସ୍ଥାଠାରୁ ଆରମ୍ଭକରି ଶ୍ରୀମନ୍ଦିରର ସେବାୟତ ଓ ମନ୍ଦିର ସହ ଜଡିତ ଅନ୍ୟ ସଂସ୍ଥାମାନେ ସମ୍ପୂର୍ଣ୍ଣ ନିରବ ।

ଶ୍ରୀମନ୍ଦିରରେ ଥିବା ବାହାର ରତ୍ନଭଣ୍ଡାର ବାରମ୍ବାର ଖୋଲାଯାଇ ବିଭିନ୍ନ ପର୍ବପର୍ବାଣି ଓ ଦୈନନ୍ଦିନ ନୀତିକାନ୍ତିରେ ଶ୍ରୀଜୀଉମାନଙ୍କ ଲାଗି ବ୍ୟବହାର ହେବାକୁ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀମାନ ନିଆଯାଇଥାଏ । ତେବେ ଭିତର ରତ୍ନଭଣ୍ଡାର କର୍ତ୍ତୃପକ୍ଷଙ୍କ ବିନାନୁମତିରେ ଖୋଲିନଥାଏ । ୧୯୮୪ ମସିହାରେ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଶେଷଥର ପାଇଁ ଖୋଲିଥିଲା । ଇତି ମଧ୍ୟରେ ୩୮ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏହି ଭିତର ରତ୍ନଭଣ୍ଡାର ଘରଟି ଅନ୍ଧକାର ମଧ୍ୟରେ ସମ୍ପୂର୍ଣ୍ଣ ବନ୍ଦହୋଇ ରହିଥିବାବେଳେ ଜଳ, ବାୟୁ ଓ ଉତ୍ତାପ ଜନିତ କାରଣରୁ ଏହି ଗୃହଟି କେତେଦୂର ନିରାପଦ ହୋଇ ରହିଛି ତାହା ଏବେ ବଡ ପ୍ରଶ୍ନବାଚୀ ।

୧୯୭୮ ମସିହାରେ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଗୃହ ଖୋଲାଯାଇଥିଲା । ଏଠାରେ ଥିବା ସାମଗ୍ରୀଗୁଡିକର ସୁମାରି କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟି ୧୯୭୮ ମସିହା ମଇ ୧୩ରୁ ଜୁଲାଇ ୨୩ ମଧ୍ୟରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରରେ ଥିବା ସମସ୍ତ ସାମଗ୍ରୀର ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇଥିଲା ।

ସରକରୀ ହିସାବ ମୁତାବକ ସେତେବେଳ ସୁଦ୍ଧା ୧୨,୮୩୧ ଭରି ଏକ ଅଣା ଓଜନର ସୁନା ଅଳଙ୍କାର ଓ ଅନ୍ୟାନ ଜିନିଷ ଓ ଏବଂ ୨୨,୧୫୩ ଭଳି ଓଜନର ରୂପା ବାସନ, ପୂଜାସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷର ସୁମାରି କରାଯାଇଥିଲା । ଏଥି ମଧ୍ୟରେ ବିଭିନ୍ନ କିସମର ମୂଲ୍ୟବାନ ପଥର ବି ଥିଲା । ଏହାଛଡା ସେତେବେଳେ ଆଉ ୧୪ଟି ସୁନା ଓ ରୂପା ସାମଗ୍ରୀ ବିଭିନ୍ନ କାରଣରୁ ଓଜନ କରାଯାଇ ପାରିନଥିବାରୁ ତାହା ଏହି ତାଲିକାରେ ଅର୍ନ୍ତଭୁକ୍ତ ହୋଇପାରି ନଥିଲା ।

୧୯୭୮ରୁ ୨୦୨୨ ପର୍ଯ୍ୟନ୍ତ ଦୀର୍ଘ ୪୪ବର୍ଷ ଭିତରେ ଅନେକ ଭକ୍ତ ଓ ବଦାନ୍ୟ ବ୍ୟକ୍ତି ଶ୍ରୀଜୀଉମାନଙ୍କ ଲାଗି ହୁଣ୍ଡିରେ ଓ ଶ୍ରୀମନ୍ଦିର ଦପ୍ତରରେ ଅନେକ ମୂଲ୍ୟବାନ ସାମଗ୍ରୀ ଦେଇଛନ୍ତି । ଏଗୁଡିକର ମୋଟ ପରିମାଣ କେତେ ତାହା ବିଏବେ ପ୍ରଶ୍ନବାଚୀର ବଳୟ ମଧ୍ୟରେ ରହିଛି ।

ଶ୍ରୀମନ୍ଦିରର ସୁରକ୍ଷା ଘେନି ପୁରୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ଫୋରମରେ ଅନେକ ସ୍ୱର ଉଠୁଥିଲେ ବି ଶ୍ରୀମନ୍ଦିର ପରିଚାଳନା ସମିତି କେବେ ଆଇନ୍‍ ମୁତାବକ ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ସମ୍ପତ୍ତିର ସର୍ବଶେଷ ହିସାବ ପ୍ରସ୍ତୁତ କରିବେ ତାହା ଜଣାନାହିଁ । ତେବେ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଖୋଲା ମନ ରହିଛି ଓ ବିଧି ବ୍ୟବସ୍ଥା ମୁତାବକ ପ୍ରସ୍ତାବ ଆସିଲେ ତାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଭାଗୀୟ ବରିଷ୍ଠ ଅଧିକାରୀମାନେ କହୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିରର ନିରାପତ୍ତା ସ୍ଥିତି ପରଖିବା ଲାଗି ପ୍ରାୟ ୬ବର୍ଷ ତଳେ ଭିତର ରତ୍ନଭଣ୍ଡାର ଖୋଲାଯିବାର ଥିଲେ ମଧ୍ୟ ସେତେବେଳେ ଚାବି ହଜିବା ବିବାଦ ଯୋଗୁଁ ଏହା ଅଟକି ଯାଇଥିଲା । ଏହି ଚାବି ହଜିବା ପ୍ରସଙ୍ଗ ବି ଏକ ତଦନ୍ତ କମିଶନର ପରିସରଭୁକ୍ତ ଥିଲା । ଭକ୍ତମାନେ କହୁଛନ୍ତି ଯେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପତ୍ତିର ନିୟମିତ ଯାଞ୍ଚ ଯେତିକି ଆବଶ୍ୟକ ତାହାଠାରୁ ଢେର ଅଧିକଗୁଣା ଆବଶ୍ୟକ ପଡୁଛି ଶ୍ରୀମନ୍ଦିରର ସୁରକ୍ଷା । ଏହି ଦୃଷ୍ଟିରୁ ଭିତର ରତ୍ନଭଣ୍ଡାର ଗୃହ ଖୋଲାଯାଇ ତାହାର ସ୍ଥିତି ନିରୀକ୍ଷଣ କରାଯିବା ଏକାନ୍ତ ପ୍ରୟୋଜନ । (ତଥ୍ୟ)