Home Infrastructure ରାଉରକେଲା ବିମାନବନ୍ଦର ପାଇଁ ତତ୍ପରତା

ରାଉରକେଲା ବିମାନବନ୍ଦର ପାଇଁ ତତ୍ପରତା

ଭୁବନେଶ୍ୱର : ପୁରୁଷ ବିଶ୍ୱକପ ହକିକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ରାଉରକେଲା ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ହାତ ମିଳାଇଛନ୍ତି । ପୁରୁଷ ବିଶ୍ୱକପ୍‍ ହକିର ତାରିଖ ପାଖେଇ ଆସୁଥିବାରୁ ଆଜି ରାଉରକେଲା ବିମାନ ବନ୍ଦରର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଓଡିଶା ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୃହତ୍‍ କ୍ରୀଡା କାର୍ଯ୍ୟକ୍ରମ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଜାନୁଆରୀ ୧୩ ରୁ ୨୯ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ବିଶ୍ୱସ୍ତରୀୟ କ୍ରୀଡାରେ ପ୍ରାୟ ୧୬ ଟି ଦେଶ ଅଂଶଗ୍ରହଣ କରୁଛନ୍ତି ।

ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁ ପଦ ସେଠୀ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅତିରିକ୍ତ ସଚିବ ଉଷା ପାଢୀ, ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ), ଷ୍ଟିଲ ଅଥରିଟି ଅଫ୍‍ ଇଣ୍ଡିଆ ଲିମିଟେଡ୍ (ସେଲ୍‌) ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ମିଳିତ ବୈଠକ କରିଥିଲେ ।

ବିଶ୍ୱସ୍ତରୀୟ କ୍ରୀଡାକୁ ଦୃଷ୍ଟିରେ ରଖି ମିଳିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ସେଠୀ ଏଏଆଇ ଏବଂ ସେଲ୍‍ ର ବରିଷ୍ଠ ଅଧିକାରୀମାନଙ୍କୁ ଅନୁରୋଧ କରିଥିବାବେଳେ ଶ୍ରୀମତୀ ପାଢୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକ ଚିହ୍ନଟ କରିବାକୁ ଏବଂ ସେହି ଅନୁଯାୟୀ ରଣନୀତି ପ୍ରସ୍ତୁତ କରିବାକୁ କହିଥିଲେ ।

ନିକଟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ପ୍ରସଙ୍ଗରେ ବେସାମରିକ ବିମାନ ଚଳାଚଳ ଏବଂ ଇସ୍ପାତ ସଚିବଙ୍କୁ ଚିଠି ଲେଖିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରାଉରକେଲା ବିମାନ ବନ୍ଦରକୁ ଆରମ୍ଭ କରିବା ପାଇଁ କାର୍ଯ୍ୟ କରୁଥିବାବେଳେ ରାଜ୍ୟ ସରକାର ଉଠାଇଥିବା କେତେକ ପ୍ରସଙ୍ଗ ଚିନ୍ତାର ବିଷୟ ବୋଲି ଜଣାଯାଇଛି ।

ରାଜ୍ୟ ସରକାରଙ୍କ ଏଭଳି ପ୍ରସଙ୍ଗକୁ ଦୃଷ୍ଟିରେ ରଖି କେନ୍ଦ୍ର ଅତିରିକ୍ତ ସଚିବ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଚିନ୍ତାଧାରାକୁ ଦେଖି ଶ୍ରୀମତୀ ପାଢୀ ଏଏଆଇ କର୍ତ୍ତୃପକ୍ଷଙ୍କୁ ସମୟସୀମା ଧାର୍ଯ୍ୟ କରିବାକୁ ଏବଂ ରାଜ୍ୟ ସରକାର ଏବଂ ସେଲ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ରହିବାକୁ କହିଛନ୍ତି ।

ରାଉରକେଲା ବିମାନବନ୍ଦରର ଭିତ୍ତିଭୂମି କାର୍ଯ୍ୟ ଚାଲିଥିବାବେଳେ ଏଠାରୁ ଉଡାଣ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ର ଅନୁମତି ଆବଶ୍ୟକ । ଭିତ୍ତିଭୂମି କାର୍ଯ୍ୟ ସମାପ୍ତ ହେବା ପରେ, ରାଉରକେଲା ଠାରୁ ବିମାନ ଚଳାଚଳ ପାଇଁ ଯାଞ୍ଚ ଏବଂ ଅନୁମତି ପାଇଁ ଆବେଦନ ଡିଜିସିଏରେ ଦାଖଲ ହେବ ।

ରାଉରକେଲା ବିମାନବନ୍ଦର ୨ବି ବିମାନବନ୍ଦର ପାଇଁ ଯୋଜନା କରାଯାଇଥିଲା ଏବଂ ଲାଇସେନ୍ସ ପ୍ରାପ୍ତ ହୋଇଥିଲା, କାର୍ଯ୍ୟକ୍ଷମ ସମସ୍ୟାକୁ ଦେଖି ଏହାକୁ ୨ସି ବର୍ଗରେ ନବୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ଯେଉଁଥିପାଇଁ ଏଏଆଇ ଭିତ୍ତିଭୂମି କାର୍ଯ୍ୟ ହାତକୁ ନେଇଛି ।

ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀ ସେଠୀ ଏଏଆଇ କର୍ତ୍ତୃପକ୍ଷଙ୍କୁ ସମର୍ଥନ ଜଣାଇଥିବାବେଳେ ଶ୍ରୀମତୀ ପାଢୀ ଆନ୍ତରିକତାର ସହ ଏକ ବିଶ୍ୱସ୍ତରୀୟ କ୍ରୀଡା ଆୟୋଜନ କରୁଥିବା ରାଜ୍ୟ ପ୍ରତି ତାଙ୍କର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି । ସମୟ ସୀମା ମଧ୍ୟରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଦୁଇ ବରିଷ୍ଠ ଅଧିକାରୀ ମିଳିତ ହୋଇଥିବାରୁ ଆଶା କରାଯାଉଛି ଯେ ରାଜ୍ୟ ସରକାରଙ୍କ ଚିନ୍ତାଧାରା ଥିବା କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଶୀଘ୍ର ସମାଧାନ ହେବ ବୋଲି ଅଧିକାରୀମାନେ କହିଛନ୍ତି । (ତଥ୍ୟ)