Home General ଯୋଜନା ଚୟନ ସ୍ୱାତନ୍ତ୍ରତା ଦିଅ

ଯୋଜନା ଚୟନ ସ୍ୱାତନ୍ତ୍ରତା ଦିଅ

ଭୁବନେଶ୍ୱର : ରାଜ୍ୟର ଆବଶ୍ୟକତା ଅନୁଯାୟୀ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଗୁଡିକୁ ଚୟନ କରିବା ପାଇଁ ଓଡିଶା ସରକାରଙ୍କୁ ସ୍ୱାତନ୍ତ୍ରତା ଦେବାକୁ କେନ୍ଦ୍ରକୁ କୁହାଯାଇଛି । ଭାରତ ଭଳି ବିଶାଳ ଦେଶ ପାଇଁ “ସମସ୍ତଙ୍କ ଲାଗି ଗୋଟିଏ ଆକାର” ବ୍ୟବସ୍ଥା ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରକୁ ଦେଇଥିବା ସ୍ମାରକପତ୍ରରେ ଓଡିଶା ସରକାର ଉଲ୍ଲେଖ କରିଛନ୍ତି ।

ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଭାରତ ସରକାରଙ୍କର ଅଧିକ ଯୋଗଦାନ ଆବଶ୍ୟକ ହେଉଥିବାବେଳେ ଏହି ପ୍ରକଳ୍ପଗୁଡିକୁ ଅନୁକୂଳ କରିବା ସହିତ ଯୋଜନାର ପ୍ରଭାବ ହ୍ରାସପାଇଁ ଏହାକୁ ଚୟନ ଲାଗି ରାଜ୍ୟକୁ ସ୍ୱାତନ୍ତ୍ରତା ଦିଆଯିବା ଆବଶ୍ୟକ । ତଦନୁଯାୟୀ ପ୍ରକଳ୍ପରୁ କିଭଳି ଅଧିକ ଲାଭ ମିଳିବ ଓ ଏହାର ପ୍ରଭାବ ଅଧିକ ରହିବ ସେଥିପାଇଁ ରାଜ୍ୟ ପ୍ରଶାସନକୁ ଯୋଜନା ଚୟନ କ୍ଷେତ୍ରରେ ଏଭଳି ସୁଯୋଗ ଦେବାକୁ କୁହାଯାଇଛି । ଅନୁରୂପ ଭାବେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଦିଆଯାଉଥିବା ଅର୍ଥ ପ୍ରଦାନ ଢାଞ୍ଚାରେ ପରିବର୍ତ୍ତନ ଲାଗି କେନ୍ଦ୍ର ସରକାର ମୋଡିଫାଏଡ ଷ୍ଟେଟ ନୋଡାଲ ଏଜେନ୍ସି (ଏସଏନଏ) ବ୍ୟବସ୍ଥା ଆପଣେଇବା ଲାଗି ରାଜ୍ୟ ସରକାରଙ୍କୁ କୁହାଯାଇଛି ।

ଦିଆଯାଇଥିବା ସ୍ମାରକପତ୍ରରେ ରାଜ୍ୟ ସରକାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ କହିଛନ୍ତି ଯେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଅର୍ଥ ପ୍ରଦାନ ବ୍ୟବସ୍ଥାରେ ପରିବର୍ତ୍ତନ ଯୋଗୁଁ ରାଜ୍ୟ ସରକାର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାରଙ୍କ ଆର୍ଥିକ ସଙ୍କଟକୁ ବିଚାର କରି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ପ୍ରଦାନ କରାଯାଉଥିବା ଅର୍ଥ ରାଶି ବଦ୍ଧୃି ଆବଶ୍ୟକ ହୋଇପଡିଛି । କେନ୍ଦ୍ରୀୟ ଅଂଶଧନ ଟିକସକୁ ଦୃଷ୍ଟିରେ ରଖି ଏହା କରାଯିବା ଆବଶ୍ୟକ, ଯାହା ହେଉନାହିଁ ।

ତେବେ କେନ୍ଦ୍ର ସରକାର ଇତି ମଧ୍ୟରେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଅର୍ଥ ପ୍ରଦାନ ଢାଞ୍ଚାରେ ପରିବର୍ତ୍ତନ ସହିତ ରାଜ୍ୟ ପାଇଁ ଏସଏନଏକୁ ବାଧ୍ୟତାମୂଳକ ଏବଂ ପ୍ରତ୍ୟେକ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ଭାବେ ଆକାଉଣ୍ଟ ଖୋଲିବାକୁ କହିଛନ୍ତି । ଏଥି ସହିତ ସିଏସଏସ୍‍ ପାଇଁ ସ୍ୱତନ୍ତ୍ର ଆକାଉଣ୍ଟ ଖୋଲିବା ସହିତ କେନ୍ଦ୍ରୀୟ ଅର୍ଥକୁ ରାଜ୍ୟ ଟ୍ରେଜେରୀ ୨୧ ଦିନ ମଧ୍ୟରେ ସେହି ଆକାଉଣ୍ଟକୁ ପଠାଇବା ଏବଂ ରାଜ୍ୟ ଅଂଶଧନ ୪୧ ଦିନ ମଧ୍ୟରେ ଦେବାକୁ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ ସରକାର ସୃଷ୍ଟି ହେବାକୁ ଥିବା ଏହି ଦୁଇ ପ୍ରକାର ସମସ୍ୟା ନେଇ ଚିନ୍ତାପ୍ରକଟ କରିଛନ୍ତି ।

ଗୋଟିଏ ପଟେ ଯୋଜନା କାର୍ଯ୍ୟକାରୀ କରୁଥିବା ସଂସ୍ଥାଙ୍କ କାର୍ଯ୍ୟରେ ବିଳମ୍ବ ଯୋଗୁଁ ବ୍ୟାଙ୍କ୍‍ରେ ଟଙ୍କା ପଡି ରହୁଛି । ଅନ୍ୟ ପଟେ କେନ୍ଦ୍ର ସରକାର ତାଙ୍କ ଅଂଶଧନ ପ୍ରଦାନରେ ବିଳମ୍ବ ଓ ବାରମ୍ବାର ପରିବର୍ତ୍ତନ କରୁଥିବାରୁ ରାଜ୍ୟ ସରକାର ଖୋଲା ବଜାରରୁ ଋଣ କରିବାକୁ ବାଧ୍ୟ ହେଉଥିବା ଜଣେ ବରିଷ୍ଠ ଅଧିକାରୀ ଦର୍ଶାଇଛନ୍ତି । ତେଣୁ କେନ୍ଦ୍ର ସରକାର ତୁରନ୍ତ ଏହି ବ୍ୟବସ୍ଥାରେ ପରିବର୍ତ୍ତନ କରିବା ଆବଶ୍ୟକ ଯେଉଁଥିରେ କେବଳ ଯୋଜନା ଆକାଉଣ୍ଟକୁ ଆବଶ୍ୟକ ଅନୁଯାୟୀ ଅର୍ଥ ପ୍ରଦାନ କରାଯିବ ।

ତେବେ ସବୁଠାରୁ ଭଲ ହେଉଛି ଟ୍ରେଜେରୀ ସିଙ୍ଗଲ ଆକାଉଣ୍ଟ (ଟିଏସ୍‍ଏ) ବ୍ୟବସ୍ଥା ଯହାକୁ ଗ୍ରହଣ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ କହିବା ସହିତ ଦର୍ଶାଇଛନ୍ତି ଯେ ଏହାଦ୍ୱାରା ବ୍ୟାଙ୍କ୍‍ ଖାତାରେ ଅର୍ଥ ଅଭାବକୁ ରୋକାଯାଇ ପାରିବ ଏବଂ ଖୋଲା ବଜାରରୁ ଋଣ ଉଠାଣକୁ ହ୍ରାସ କରାଯାଇ ପାରିବ । (ତଥ୍ୟ)