ଭୁବନେଶ୍ୱର : ବ୍ରିକ୍ସ ସହଯୋଗରେ ଜନ କୈନ୍ଦ୍ରିକ ଏବଂ ମାନବତା ପ୍ରଥମ ଆଭିମୁଖ୍ୟ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଶ୍ରୀ ଯୋଶୀ ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ଘୋଷଣାନାମା ଗୃହୀତ ହୋଇଛି ।
କେନ୍ଦ୍ର ମନ୍ତ୍ରୀ ବ୍ରିକ୍ସ ସହଯୋଗୀଙ୍କ ସହିତ ଘନିଷ୍ଠ ଭାବେ କାର୍ଯ୍ୟ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏହି ବୈଠକରେ ସୃଷ୍ଟି ହୋଇଥିବା ଧାରା ଫଳପ୍ରଦ ପରିଣାମ ଆଣିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଭାରତର ବ୍ରିକ୍ସ ଅଧ୍ୟକ୍ଷତା ୨୦୨୬ର ବାର୍ତ୍ତା ‘ଦୃଢ଼ତା, ନବସୃଜନ, ସହଯୋଗ ଏବଂ ଦୀର୍ଘସ୍ଥାୟିତ୍ୱ ପାଇଁ ନିର୍ମାଣ’ ବିଷୟରେ ଉଲ୍ଲେଖ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ, ଶିକ୍ଷା ବ୍ୟବସ୍ଥା ମାନବୀୟ ମୂଲ୍ୟବୋଧର ମୂଳଦୁଆରେ ଦୃଢ଼ ଭାବେ ତିଷ୍ଠି ରହିବା ସହିତ ଯୁବପିଢ଼ିଙ୍କୁ ପରିବର୍ତ୍ତିତ ସୁଯୋଗ ପାଇଁ ପ୍ରସ୍ତୁତ କରିବା ଉଚିତ୍ । ବିଦ୍ୟାର୍ଥୀ, ଶିକ୍ଷକ, ଗବେଷକ ଓ ଯୁବପିଢ଼ିଙ୍କୁ ନୀତି ନିର୍ଦ୍ଧାରଣ ଏବଂ ଅନ୍ତର୍ଜାତୀୟ ସହଯୋଗର କେନ୍ଦ୍ରରେ ରଖାଯିବା ଆବଶ୍ୟକ ।
ଶ୍ରୀ ଯୋଶୀ କହିଥିଲେ, ଶିକ୍ଷା ହେଉଛି ସମାବେଶୀ ବିକାଶ ଏବଂ ସହଭାଗୀ ସମୃଦ୍ଧିର ମୂଳଦୁଆ। ଆଜିର ବୈଠକରେ ଗୃହୀତ ହୋଇଥିବା ଘୋଷଣାନାମା ପାଞ୍ଚଟି ପ୍ରାଥମିକତା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛି । କେନ୍ଦ୍ର ମନ୍ତ୍ରୀ ନୂତନତ୍ୱ ଓ ଐତିହ୍ୟ ପରସ୍ପରର ପରିପୂରକ ବୋଲି ମତବ୍ୟକ୍ତ କରି ପାରମ୍ପରିକ ଏବଂ ସ୍ୱଦେଶୀ ଜ୍ଞାନ ପ୍ରଣାଳୀର ସଂରକ୍ଷଣ ଓ ପ୍ରୋତ୍ସାହନ ଉପରେ ଗୁରୁତ୍ୱ ଦେଇଥିଲେ । ପାରମ୍ପରିକ ଜ୍ଞାନକୁ ସଂରକ୍ଷଣ କରିବା, ଏହାକୁ ଗଭୀର ଭାବରେ ଅଧ୍ୟୟନ କରିବା ଏବଂ ଭବିଷ୍ୟତ ପିଢ଼ିକୁ ଏହାର ମୂଲ୍ୟ ପ୍ରଦାନ କରିବା ଲାଗି ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ସମୃଦ୍ଧ ସଭ୍ୟତା ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଛି ।

