ନୂଆଦିଲ୍ଲୀ : ଖାଦ୍ୟ ପ୍ରକ୍ରିୟାକରଣ କେବଳ ଆଉ ଏକ ଶିଳ୍ପ ନୁହେଁ। ଏହା ଆମ କୃଷକଙ୍କ ସମୃଦ୍ଧି, ଗ୍ରାମୀଣ ରୂପାନ୍ତର ଓ ଓଡ଼ିଶାର ଶିଳ୍ପ ଭବିଷ୍ୟତ ମଧ୍ୟରେ ସେତୁ। ଏହି କ୍ଷେତ୍ରରେ ପ୍ରତ୍ୟେକ ନିବେଶ କୃଷିକ୍ଷେତ୍ରରେ ମୂଲ୍ୟ ସୃଷ୍ଟି କରେ, ଗାଁରେ ନିଯୁକ୍ତି ସୃଷ୍ଟି କରେ, ରପ୍ତାନି ମଜବୁତ କରେ ଏବଂ ଏକ ଶକ୍ତିଶାଳୀ ଅର୍ଥନୀତି ଗଢ଼େ। ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣରେ ଭାରତର ପସନ୍ଦର ଗନ୍ତବ୍ୟସ୍ଥଳ ହେବାକୁ ପ୍ରସ୍ତୁତ ଏବଂ ମୁଁ ଶିଳ୍ପଜଗତକୁ ଏହି ଯାତ୍ରାରେ ଆମ ସହିତ ଭାଗୀଦାର ହେବାକୁ ଆମନ୍ତ୍ରଣ କରୁଛି’।
ଏହି ଦୃଷ୍ଟିକୋଣ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା ଫୁଡ୍ ପ୍ରୋ ୨୦୨୬ରେ ରାଜ୍ୟ ପାଇଁ ଏକ ନୂଆ ବିକାଶ ଏଜେଣ୍ଡା ଉପସ୍ଥାପନ କରିଛନ୍ତି। ଏହା ଓଡ଼ିଶା ବାହାରେ ଆୟୋଜିତ ରାଜ୍ୟର ପ୍ରଥମ ସେକ୍ଟର ଆଧାରିତ ନିବେଶ ରୋଡଶୋ। ଏହି ରୋଡ଼ଶୋ କେବଳ ଏକ ନିବେଶ କାର୍ଯ୍ୟକ୍ରମ ନୁହେଁ। ଏହା କୃଷିକୁ ଉତ୍ପାଦନ, ରପ୍ତାନି ଓ ବିଶ୍ୱ ବଜାର ସହିତ ଯୋଡ଼ି ଏକୀକୃତ ଖାଦ୍ୟ ପ୍ରକ୍ରିୟାକରଣ ପରିବେଶ ବିକାଶ ଦିଗରେ ଓଡ଼ିଶାର ରଣନୀତିକ ପରିବର୍ତ୍ତନକୁ ସଙ୍କେତ କରୁଛି।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଅନୁ ଗାର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଓଡ଼ିଶା ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ, ଆସୋଚାମର ପ୍ରତିନିଧି ତଥା ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ୩୦୦ରୁ ଅଧିକ ଶିଳ୍ପ ନେତା, ଖାଦ୍ୟ ପ୍ରକ୍ରିୟାକରଣ ସଂଗଠନ, ଉଦ୍ୟୋଗୀ, ନିବେଶକ ଓ ବ୍ୟବସାୟ ପ୍ରତିନିଧି ଯୋଗ ଦେଇଥିଲେ।
ଏହି ରୋଡଶୋରେ ୨୭ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି, ଯେଉଁଥିରେ ପ୍ରସ୍ତାବିତ ନିବେଶର ପରିମାଣ ହେଉଛି ୪୧,୭୪୮ କୋଟି ଏବଂ ୩୫,୨୫୨ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି। ଏହା ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ପରିବେଶ ପ୍ରତି ଶିଳ୍ପଜଗତର ବଢ଼ୁଥିବା ଆସ୍ଥାକୁ ପୁନଃସୁନିଶ୍ଚିତ କରୁଛି। ଏହା ବ୍ୟତୀତ ଓଡ଼ିଶା ସରକାର ୧୨ଟି ନିବେଶ ଇଚ୍ଛା ପତ୍ର ପାଇଛନ୍ତି, ଯେଉଁଥିରେ ୧,୬୮୯ କୋଟିର ନିବେଶ ପ୍ରସ୍ତାବ ସହ ୮,୦୬୪ ନିଯୁକ୍ତି ସୃଷ୍ଟିର ସମ୍ଭାବନା ରହିଛି। ମୋଟ ଉପରେ ପ୍ରଥମ ଦିନରେ ଓଡ଼ିଶା ସରକାର ୪୩,୪୩୭ କୋଟିର ନିବେଶ ପ୍ରସ୍ତାବ ସୁରକ୍ଷିତ କରିଛନ୍ତି। ଏହାଦ୍ୱାର ୪୩,୩୧୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ରାଜ୍ୟର ଦ୍ରୁତ ବିକଶିତ ଖାଦ୍ୟ ପ୍ରକ୍ରିୟାକରଣ ପରିବେଶ ପ୍ରତି ନିବେଶକଙ୍କ ଆଗ୍ରହକୁ ପ୍ରତିଫଳିତ କରୁଛି।
ନିବେଶକଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ବର୍ତ୍ତମାନ ଖାଦ୍ୟ ପ୍ରକ୍ରିୟାକରଣକୁ କେବଳ ଏକ ଶିଳ୍ପ କ୍ଷେତ୍ର ଭାବରେ ଦେଖୁନାହିଁ, ବରଂ ଏହା ଏକ ଆର୍ଥିକ ରୂପାନ୍ତର ଯାହା ସିଧାସଳଖ କୃଷକ, ମତ୍ସ୍ୟଜୀବୀ, ମହିଳା ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ ଏବଂ ଗ୍ରାମୀଣ ଉଦ୍ୟୋଗକୁ ଲାଭାନ୍ୱିତ କରେ।
ସରକାରଙ୍କ ଲକ୍ଷ୍ୟ ହେଉଛି ରାଜ୍ୟରେ ଉତ୍ପାଦିତ ପ୍ରତ୍ୟେକ ପ୍ରମୁଖ କୃଷି ଓ ସାମୁଦ୍ରିକ ଉତ୍ପାଦ ରାଜ୍ୟ ଭିତରେ ପ୍ରକ୍ରିୟାକରଣ ହେଉ, ଯାହା ଉତ୍ପାଦକଙ୍କ ଆୟ ବଢ଼ାଇବ ଏବଂ ଯୁବକଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ସୃଷ୍ଟି କରିବ। ଓଡିଶା ନିବେଶକଙ୍କୁ ପ୍ରଚୁର କଞ୍ଚାମାଲ, ଦଶଟି କୃଷି-ଜଳବାୟୁ ଅଞ୍ଚଳ, ୫୭୫ କିଲୋମିଟର ଉପକୂଳରେଖା, ବିକଶିତ ମତ୍ସ୍ୟଚାଷ, ବିସ୍ତାରିତ ବନ୍ଦର ଅବସ୍ଥାପନା, ଉନ୍ନତ ଲଜିଷ୍ଟିକ୍ସ ସଂଯୋଗ ଏବଂ ଭାରତର ଅନ୍ୟତମ ନିବେଶକ-ବନ୍ଧୁ ନୀତି ପରିବେଶ ପ୍ରଦାନ କରୁଛି। ଏହି ପ୍ରାକୃତିକ ସୁବିଧା ଶିଳ୍ପକୁ କଞ୍ଚାମାଲ ସଂଗ୍ରହରୁ ଉତ୍ପାଦନ, ରପ୍ତାନି ଓ ବିଶ୍ୱ ବଜାର ପ୍ରବେଶ ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ପରିବେଶ ପ୍ରଦାନ କରୁଛି ବୋଲି ସେ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପାଞ୍ଚଟି ରଣନୀତିକ ସ୍ତମ୍ଭ ଉପରେ ଆଧାରିତ ଏକ ଦୀର୍ଘକାଳୀନ ରୋଡମ୍ୟାପ୍ ମଧ୍ୟ ଉନ୍ମୋଚନ କରିଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ କ୍ଲଷ୍ଟର ସୃଷ୍ଟି, ଏକୀକୃତ କୋଲ୍ଡ-ଚେନ୍ ଓ ଗୋଦାମ ଅବସ୍ଥାପନା ବିସ୍ତାର, ଖାଦ୍ୟ ଗୁଣବତ୍ତା ଓ ପ୍ରମାଣୀକରଣ ବ୍ୟବସ୍ଥା ସୁଦୃଢ଼ୀକରଣ, ଏଫପିଓ, ଏମଏସଏମଇ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସଂଗଠିତ ଶିଳ୍ପ ସହିତ ଗଭୀର ଏକୀକରଣ ଏବଂ ବିଶ୍ୱସ୍ତରୀୟ ଦକ୍ଷ କାର୍ଯ୍ୟଶକ୍ତି ବିକାଶ। ସେ କହିଥିଲେ ଯେ, ଏହି ପଦକ୍ଷେପ ଆସନ୍ତା ଦଶକରେ ଓଡ଼ିଶାକୁ ମୂଲ୍ୟଯୁକ୍ତ ଖାଦ୍ୟ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା କରିବ।
ନିବେଶ ସୁବିଧା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇବା ସହ ମୁଖ୍ୟମନ୍ତ୍ରୀ ଶିଳ୍ପଜଗତକୁ ଆଶ୍ୱାସନା ଦେଇଥିଲେ ଯେ, ଟିମ୍ ଓଡ଼ିଶା ପ୍ରକଳ୍ପ ଧାରଣାରୁ ଆରମ୍ଭ କରି କମିଶନିଂ ପର୍ଯ୍ୟନ୍ତ ସ୍ୱଚ୍ଛତା, ଦ୍ରୁତ ଅନୁମୋଦନ ଓ ନିରନ୍ତର ସାଂସ୍ଥାନିକ ସହଯୋଗ ମାଧ୍ୟମରେ ନିର୍ବିଘ୍ନ ସମର୍ଥନ ଜାରି ରଖିବ। ସେ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶାର ଉନ୍ନତିଶୀଳ ନିବେଶ ପରିବେଶ ନୀତି ସ୍ଥିରତା, କାର୍ଯ୍ୟକାରିତା ଓ ନିବେଶକ ଆସ୍ଥା ଉପରେ ସରକାରଙ୍କ ଗୁରୁତ୍ୱକୁ ପ୍ରତିଫଳିତ କରେ।
ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ, ‘ଆମର ଲକ୍ଷ୍ୟ ହେଉଛି ଆମର କୃଷି ଓ ସାମୁଦ୍ରିକ ସମ୍ପଦର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୋଚନ କରି ଓଡ଼ିଶାକୁ ମୂଲ୍ୟ ଯୋଗ ଖାଦ୍ୟ ପ୍ରକ୍ରିୟାକରଣର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ରୂପାନ୍ତରିତ କରିବା। ଆମେ ଏକ ଏକୀକୃତ ପରିବେଶ ଗଢ଼ୁଛୁ ଯେଉଁଠି କୃଷକ, ଏମଏସଏମଇ, କୃଷକ ଉତ୍ପାଦକ ସଂଗଠନ, ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ଓ ବିଶ୍ୱ ଶିଳ୍ପ ଏକ ସହିତ ବଢ଼ିବ, ଗୁଣାତ୍ମକ ନିଯୁକ୍ତି ସୃଷ୍ଟି କରିବ, ଗ୍ରାମୀଣ ଆୟ ବଢ଼ାଇବ ଏବଂ ସ୍ଥାୟୀ ଶିଳ୍ପ ବିକାଶକୁ ଆଗେଇ ନେବ। ପ୍ରଗତିଶୀଳ ସଂସ୍କାର, ଦକ୍ଷ ମାନବ ପୁଞ୍ଜି, ବିଶ୍ୱସ୍ତରୀୟ ଅବସ୍ଥାପନା ଓ ପ୍ରତିକ୍ରିୟାଶୀଳ ଶାସନ ସହିତ ଓଡ଼ିଶା ଆଜି ନିବେଶକଙ୍କୁ କେବଳ ସୁଯୋଗ ନୁହେଁ, ବରଂ ଦୀର୍ଘକାଳ ପାଇଁ ନିର୍ମାଣ, ନବୀକରଣ ଓ ବୃଦ୍ଧି କରିବାର ଆସ୍ଥା ପ୍ରଦାନ କରୁଛି’।
ପରେ ମୁଖ୍ୟମନ୍ତ୍ରୀ ପ୍ରମୁଖ ଶିଳ୍ପ ନେତାଙ୍କ ସହିତ ୱାନ ଟୁ ୱାନ ବୈଠକ ଅନୁଷ୍ଠିତ କରି ପ୍ରକଳ୍ପ-ନିର୍ଦ୍ଦିଷ୍ଟ ନିବେଶ ସୁଯୋଗ, ରଣନୀତିକ ଭାଗୀଦାରୀ ଓ ଖାଦ୍ୟ ପ୍ରକ୍ରିୟାକରଣ ତଥା ସମ୍ବନ୍ଧିତ କ୍ଷେତ୍ରରେ ଦୀର୍ଘକାଳୀନ ସହଯୋଗ ବିଷୟରେ ଆଲୋଚନା କରିଥିଲେ।

