ଭୁବନେଶ୍ୱର : ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳଚଳାଚଳ ଦାବିରେ କେନ୍ଦ୍ରାପଡ଼ା ନଗର ଓ ବ୍ଲକ କଂଗ୍ରେସ ତରଫରୁ ଆଜି ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଠାରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆନ୍ଦୋଳନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟର କେନ୍ଦ୍ରାପଡ଼ା ପ୍ରତି ଏହା ଏକ ଅବିଚାର ବୋଲି ଆରୋପ କରିଥିଲେ ଓ ଜିଲ୍ଲା ସ୍ୱାର୍ଥଦୃଷ୍ଟିରୁ ଯାତ୍ରୀବାହୀ ରେଳ ଚଳାଚଳର ତୁରନ୍ତ ନିଷ୍ପତି ନେବାକୁ ରେଳ କତୃପକ୍ଷଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି ଓ ବରିଷ୍ଠ କଂଗ୍ରେସ ବିଧାୟକ ତଥା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଦାବିରେ ଯଥାର୍ଥତା ପ୍ରତିପାଦନ କରିବା ସହ ଅଯଥା ରେଳଚଳାଚଳରେ ବିଳମ୍ବ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଉଲ୍ଲେଖ କରିଥିଲେ ।
ଗଣେଶ୍ୱର ବେହେରା ତାଙ୍କ ବକ୍ତବ୍ୟରେ ଦର୍ଶାଇଥିଲେ ଯେ କଂଗ୍ରେସ ହରିଦାସପୁର- ପାରାଦ୍ୱୀପ ରେଳପଥର ଯାତ୍ରୀବାହୀ ରେଳ ଚଳାଚଳ ନିମନ୍ତେ ୨୦୨୧ରେ “ମାଟି ପାଇଁ ପାଟି ଖୋଲ” ଓ ଗୋପଠାରେ ରେଳ ରୋକା ଆନ୍ଦୋଳନ ସହ ୨୦୨୨ ରେ ମାଟି ପାଇଁ ମାଡ଼ିଚାଲ ଆନ୍ଦୋଳନ କରନ୍ତି । ଜିଏମଙ୍କୁ ଭେଟି ଦୁଇ ଦୁଇ ଥର ଦାବି ପତ୍ର ଦେଇଛି । ମାନ୍ୟବର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ମଧ୍ୟ ସେ ନିଜେ ତିନିଥର ଚିଠି ଲେଖି ବିଫଳ ହେବାରୁ ଆଜି ଗଣବିକ୍ଷୋଭ କରିବାକୁ ବାଧ୍ୟ ହୋଇଛନ୍ତି ଆଜିର ଆନ୍ଦୋଳନ ବ୍ୟର୍ଥ ହେଲେ “ମାଟି ପାଇଁ ଜେଲ ଚାଲ” ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।
ଗଣବିକ୍ଷୋଭ ସହ ପୂର୍ବତନ ରେଳପଥ ଜିଏମଙ୍କୁ ଏକ ପ୍ରତିନିଧି ଦଳ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଭେଟି ସ୍ମାରକପତ୍ର ମଧ୍ୟ ଦିଆଯାଇଛି । ସ୍ମାରକ ପତ୍ରରେ ରେଳ ବିଭାଗ ବର୍ଷକୁ ୨୦ ହଜାର କୋଟି ରାଜସ୍ୱ ପାଉଥିବା ଏବଂ ଯାତ୍ରୀବାହୀ ରେଳ ଚଳାଚଳ ନିମନ୍ତେ ତିନିଗୋଟି ଆବଶ୍ୟକତା ଯଥା ଏଚପିଆରସିଏଲ ଅନୁମତି କଲିକତା ସ୍ଥିତ ରେଳବାଇ ନିରାପତା କମିଶନଙ୍କ ସବୁଜ ସଂକେତ ଓ ୯ ଗୋଟି ଷ୍ଟେସନର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଶେଷ ହୋଇଥିବା ସତ୍ୱେ ରେଳ ଚଳାଚଳ ନିଷ୍ପତି ନହେବା ଅତ୍ୟନ୍ତ ଦୁଃଭାର୍ଗ୍ୟଜନକ ।
ରେଳ ବିଭାଗର ଏହି ଉଦାସୀନତା କେନ୍ଦ୍ରାପଡ଼ା ବାସୀଙ୍କୁ ବ୍ୟଥିତ କରିଛି । ଦାବି ପତ୍ରରେ ଦୁଇଟି ଯାତ୍ରୀବାହୀ ରେଳ ଯଥା କଟକ-ପାରଦ୍ୱୀପ ଭାୟା ହରିଦାସପୁର-କେନ୍ଦ୍ରାପଡ଼ା ଓ ଭଦ୍ରକ-ପାରଦ୍ୱୀପ ଭାୟ ହରିଦାସପୁର-କେନ୍ଦ୍ରାପଡ଼ା ଚଲାଇବା ପାଇଁ କୁହାଯାଇଛି । ବ୍ଲକ ଓ ନଗର କଂଗ୍ରେସ ତରଫରୁ ଜିଏମ ମହୋଦୟ ଏଥି ନିମନ୍ତେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।