Home News in Odia ଯାତ୍ରୀବାହୀ ରେଳଗାଡି ଚଳାଇବାକୁ ଦାବି

ଯାତ୍ରୀବାହୀ ରେଳଗାଡି ଚଳାଇବାକୁ ଦାବି

ଭୁବନେଶ୍ୱର : ହରିଦାସପୁର-ପାରାଦୀପ ରେଲ ଲାଇନ୍‍ରେ ତୁରନ୍ତ ଯାତ୍ରୀବାହୀ ରେଳଗାଡି ଚଳାଇବାକୁ ଦାବି କରିଛି ବିଜେଡି । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାକାଳପଡା ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ ଓ ପାଟକୁରା ବିଧାୟକ ସାବିତ୍ରୀ ଅଗୱାଲ ଏହି ଦାବି କରିଛନ୍ତି ।

ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ୮୨ କିଲୋମିଟର ଦୀର୍ଘ ଏହି ରେଳପଥରେ ଯାତ୍ରୀବାହୀ ରେଳଗାଡି ଚଳାଇବାକୁ ଦଳ ପକ୍ଷରୁ ଲଗାତାର ଭାବେ ଆନ୍ଦୋଳନ ଚଳାଯିବା ସହିତ ବିଭିନ୍ନ ଫୋରମରେ ଦାବି ପତ୍ର ଦିଆଯାଉଛି । ହେଲେ କେନ୍ଦ ସରକାର କିମ୍ବା ରେଳବାଇ କର୍ତ୍ତୃପକ୍ଷ ଏଥିପ୍ରତି କେହି କର୍ଣ୍ଣପାତ କରୁ ନାହାନ୍ତି ।

ଏହି ରେଳପଥରେ ଗତ ୨୦୨୦ ସେପ୍ଟେମ୍ବର ମାସରୁ ମାଲବାହୀ ଟ୍ରେନ୍ ଚଳାଚଳ କରୁଛି । ଏହି ଲାଇନରେ ନିୟମିତ ପ୍ରାୟ ୨୦ ରେକ୍ ମାଲବାହୀ ଟ୍ରେନ ଚଳାଚଳ କରିବା ସହିତ ଭାରତ ସରକାରଙ୍କୁ କୋଟି କୋଟି ରାଜସ୍ୱ ପ୍ରଦାନ କରୁଛି । ଯାତ୍ରୀବାହୀ ଟ୍ରେନ୍ ଚଳାଇବା ପାଇଁ ପରୀକ୍ଷା ମୂଳକ ଚଳାଚଳ ସମାପ୍ତ ହୋଇଛି ।

ପୂବତଟ ରେଳବାଇ ପକ୍ଷରୁ ଏହି ଲାଇନ୍‍ରେ ଯାତ୍ରୀବାହୀ ରେଳ ଚଳାଚଳକୁ ଆପତ୍ତି ବିହୀନ ପ୍ରମାଣପତ୍ର (ଏନଓସି) ପ୍ରଦାନ କରାଯାଇଥିବାବେଳେ କୋଲକତା ସ୍ଥିତ ପୂର୍ବାଞ୍ଚଳ ରେଳ ସୁରକ୍ଷା କମିଶନର ମଧ୍ୟ ଏହି ଲାଇନ୍‍ରେ ପାସେଞ୍ଜର ଟ୍ରେନ ଚଳାଚଳକୁ ସବୁଜ ସଙ୍କେତ ଦେଇଛନ୍ତି ।

ସମସ୍ତ ଔପଚାରିକତା ସମାପ୍ତ ହୋଇଥିବାବେଳେ ଯାତ୍ରୀବାହୀ ଟ୍ରେନ୍ କାହିଁକି ଏହି ଲାଇନ୍‍ରେ ଚଳାଚଳ ଆରମ୍ଭ କରୁନାହିଁ ଆମେ ଆମେ ବୁଝି ପାରୁନାହୁଁ । ଉଲ୍ଲେଖନୀୟ ଯେ ହରିଦାସପୁରରୁ ପାରାଦୀପ୍‍ ପର୍ଯ୍ୟନ୍ତ ରେଳଲାଇନ୍‍ ବିଛାଇବାପାଇଁ ବିଜୁ ପଟ୍ଟନାୟକ ଉଦ୍ୟମ ଆରମ୍ଭ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ରେଳଲାଇନ୍‍ର ନିର୍ମାଣ କାର୍ଯ୍ୟର ନିୟମିତ ସମୀକ୍ଷା କରିବା ସହିତ ଏ ନେଇ ରେଳବାଇ କର୍ତ୍ତୃପକ୍ଷଙ୍କ ସହିତ ବାରମ୍ବାର ଆଲୋଚନା କରିଛନ୍ତି ଏବଂ ଲିଖିତ ଭାବେ ଏହି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରି ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଲିଖିତ ଭାବେ ମଧ୍ୟ ଅନୁରୋଧ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବାରମ୍ବାର ଅନୁରୋଧ ସତ୍ୱେ ଯାତ୍ରୀବାହୀ ଟ୍ରେନ ଚଳାଇବାରେ କେନ୍ଦ୍ରର ଟାଳଟୂଳ ନୀତି ଅତ୍ୟନ୍ତ ପରିତାପର ବିଷୟ ।

ଏହି ରେଳପଥରେ ଥିବା ସମସ୍ତ ୯ଟି ଷ୍ଟେସନ୍‌ର ନିର୍ମାଣ ସମାପ୍ତ ହେବା ସହିତ କାର୍ଯ୍ୟକ୍ଷମ ହୋଇଛି । ଯେହେତୁ ଆମେ ଜାଣୁ ରେଳ ହେଉଛି ଆମ ଦେଶର ଜୀବନ ରେଖା ତେଣୁ ଏହି ଲାଇନ୍‍ରେ ରେଳ ଚଳାଚଳ କଲେ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ସମ୍ପ୍ରଦାୟର ଅର୍ଥନୀତିରେ ଉନ୍ନତି ଘଟିବ । କେନ୍ଦ୍ରାପଡା ଜିଲ୍ଲା ଏବେ ବି ଶିଳ୍ପ କ୍ଷେତ୍ରରେ ପଛୁଆ ରହିଛି, ଏପରିକି ଅତୀତରେ କେନ୍ଦ୍ର ଇସ୍ପାତ ଏବଂ ଖଣି ମନ୍ତ୍ରୀ ମଧ୍ୟ ଏଠାରୁ ର୍ନିବାଚିତ ହୋଇଥିଲେ । ବର୍ତ୍ତମାନ ଏହି ଅଞ୍ଚଳର ଦୀର୍ଘ ଦିନର ଆଶା ଆକାଂକ୍ଷା ପୂରଣ କରିବାର ସମୟ ଆସିଛି ଏବଂ ଯାତ୍ରୀବାହୀ ରେଳ ଚଳାଚଳ ହିଁ ଏହି ସଫଳତା ଆଣିଦେବ ।

ତେଣୁ ହରିଦାସପୁର ଏବଂ କେନ୍ଦ୍ରାପଡା ଦେଇ କଟକରୁ ପାରାଦୀପ ପର୍ଯ୍ୟନ୍ତ ଗୋଟିଏ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଫଳରେ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଏହି ଅଞ୍ଚଳର ଲୋକମାନେ ସୁରୁଖୁରୁରେ ଯାତାୟତ କରିପାରିବେ । ଭଦ୍ରକରୁ ପାରାଦୀପକୁ ହରିଦାସପୁର ଏବଂ କେନ୍ଦ୍ରାପଡା ଦେଇ ଅନ୍ୟ ଏକ ଟ୍ରେନ୍ ଚଳାଚଳ କଲେ କୋଲକତାରେ କାର୍ଯ୍ୟରତ ଲୋକଙ୍କୁ ତାହା ସହାୟକ ହେବ । ଏହି ଦୁଇଟି ଯାତ୍ରୀବାହୀ ଟ୍ରେନ୍ ତୁରନ୍ତ ଚଲାଇବାକୁ ଅନୁରୋଧ କରାଯାଉଛି । ଏହା ଚଳାଚଳ କଲେ ସମଗ୍ର କେନ୍ଦ୍ରାପଡା ଜିଲ୍ଲାବାସୀ କୃତଜ୍ଞ ରହିବେ ।