ଭୁବନେଶ୍ୱର : ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କୁ ଯଥାଶୀଘ୍ର ପେନ୍ସନ ପ୍ରଦାନ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ମହାପାତ୍ର ଏହି ମର୍ମରେ ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ଏବଂ ଶାସନ ସଚିବମାନଙ୍କୁ ପତ୍ର ଲେଖିଛନ୍ତି ।
ପେନ୍ସନ ଅଧିନିୟମର ଧାରା ୮ ଅନୁଯାୟୀ ସରକାରୀ କର୍ମଚାରୀମାନଙ୍କୁ ଅବସର ନେବାପରେ ତୁରନ୍ତ ପେନ୍ସନ ପ୍ରଦାନ କରାଯିବା କଥା । ଅର୍ଥ ବିଭାଗ ପକ୍ଷରୁ ୨୦୧୧ ମସିହାରେ ଜାରି ବିଜ୍ଞପ୍ତିରେ ଏହାର ସଂଶୋଧନ ସହିତ ପେନ୍ସନ ପ୍ରଦାନ କରିବାକୁ ଥିବା କର୍ତ୍ତୃପକ୍ଷ ଅବସର ନେଉଥିବା ସରକାରୀ କର୍ମଚାରୀ ଚାକିରି ସମାପ୍ତିର ବର୍ଷକ ପୂର୍ବରୁ କେଉଁ ଦପ୍ତରରେ କାର୍ଯ୍ୟ କରୁଥିଲେ କେବଳ ତାହାର ଅନୁଧ୍ୟାନ କରିବେ ।
ଏଥି ସହିତ ଜାନୁୟାରୀ ୨୦୨୦ ଏବଂ ଅକ୍ଟୋବର ୨୦୨୨ରେ ଅର୍ଥ ବିଭାଗ ପକ୍ଷରୁ ଜାରି ସର୍କୁଲାରରେ ସରକାରୀ କର୍ମଚାରୀମାନଙ୍କୁ ତୁରନ୍ତ ପେନ୍ସନ ପ୍ରଦାନ ଲାଗି ବ୍ୟବସ୍ଥାର ସରଳୀକରଣ କରାଯାଇଛିା ଏସବୁ ସତ୍ୱେ ବିଭାଗୀୟ ମୁଖ୍ୟ ଏବଂ ପେନ୍ସନ ପ୍ରଦାନ କରିବାକୁ ଥିବା କର୍ତ୍ତୃପକ୍ଷ କର୍ମଚାରୀମାନଙ୍କୁ ସେମାନଙ୍କ ସମ୍ପୂର୍ଣ୍ଣ ଚାକିରିକାଳର ନୋ ଡିମାଣ୍ଡ ସାର୍ଟିଫିକେଟ (ଏନ୍ଡିସି) ଦେବାକୁ କହୁଛନ୍ତି ଯାହା ଫଳରେ ମହାଲେଖାକାରଙ୍କ ଦପ୍ତରରେ ଚୂଡାନ୍ତ ପେନ୍ସନ କାଗଜ ଦାଖଳରେ ଅହେତୁକ ବିଳମ୍ବ ହେଉଛି । ମୁଖ୍ୟ ସଚିବ ତାଙ୍କ ପତ୍ରରେ ସ୍ପଷ୍ଟଭାବେ ଏହା ଉଲ୍ଲେଖ କରିଛନ୍ତି ।
ସେ କହିଛନ୍ତି ଯେ ବିଭାଗଗୁଡିକ ସଂଶୋଧିତ ପେନ୍ସନ ଅଧିନିୟମକୁ ଅନୁଧ୍ୟାନ କରିବା ସହିତ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ସେହିଭଳି ପଡି ରହିଥିବା ପେନ୍ସନ ଅଭିଯୋଗଗୁଡିକର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଫସଲା ପାଇଁ ମୁଖ୍ୟ ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଖିଲାପ କଲେ ତାହାକୁ ଗୁରୁତର ଭାବେ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ଉଲ୍ଲେଖନୀୟ ଯେଉଁ ଦପ୍ତରରେ ସରକାରୀ କର୍ମଚାରୀମାନେ ନିଜର ଜୀବନର ଅଧିକାଂଶ ସମୟ କାର୍ଯ୍ୟ କରିଥିଲେ ବି ଅବସର ପରେ କିନ୍ତୁ ସେହି ଦପ୍ତରରୁ ତତ୍କାଳ ନିଜର ପେନ୍ସନ ଗଣ୍ଡାକ ପାଇବାରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯଦିଓ ଅର୍ଥ ବିଭାଗ ଏ ନେଇ ଏକାଧିକ ନିର୍ଦ୍ଦେଶନାମା ଜାରି କରିଛନ୍ତି ତେବେ ଅନେକ ପେନ୍ସନ ପ୍ରଦାନକାରୀ କର୍ତ୍ତୃପକ୍ଷ ଏହାକୁ ମାନୁ ନାହାନ୍ତି । ବିନା ଯାଞ୍ଚରେ ପେନ୍ସନ ପ୍ରଦାନ କରିଦେଲେ ସେମାନେ ଅକଳରେ ପଡିବା ଆଶଙ୍କାରେ ଏଭଳି କରୁଥିବା ଜଣ।।ଇଛି । ହେଲେ ଏଥର କିନ୍ତୁ ମୁଖ୍ୟ ସଚିବଙ୍କ ଜରିଆରେ ଅର୍ଥ ବିଭାଗ ଏହି ପତ୍ର ଜାରି କରିଥିବାରୁ ପୁରୁଣା ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡିବ ବୋଲି ଆଶା କରାଯାଉଛି । (ତଥ୍ୟ)