ଭୁବନେଶ୍ୱର : ସମସ୍ତ ପ୍ରକାର ପ୍ରଚେଷ୍ଟା ସତ୍ୱେ ୫ବର୍ଷ ତଳେ ଆରମ୍ଭ ହୋଇଥିବା ‘ମୋ ସାଇକେଲ’ ଯୋଜନା ରାଜଧାନୀବାସୀଙ୍କୁ ଆକୃଷ୍ଟ କରିପାରି ନାହିଁ । ଏବେ ରାଜଧାନୀର ବିଭିନ୍ନ ସ୍ଥାନରେ ଶହ ଶଡ ସାଇକେଲ ଉପରେ ଧୂଳି ଜମିବା ସହିତ ଭାଙ୍ଗିରୁଜି ଗଲାଣି ।
୨୦୧୮ ମସିହାରେ ରାଜଧାନୀରେ ଆରମ୍ଭ ହୋଇଥିଲା ମୋ ସାଇକେଲ ଯୋଜନା । ସେତେବେଳେ ସହରରେ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ହୋଇଥିବାରୁ ସାଇକେଲର ଚାହିଦା ଢେର ବଢିଥିଲା । ନୂଆ କରି ଯୋଜନା ଆରମ୍ଭ ହୋଇଥିବାରୁ ସହରବାସୀ ବି ସାଇକେଲ ଚଢି ବୁଲିଥିଲେ । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ସାଇକେଲ ଷ୍ଟାଣ୍ଡ ସହିତ ଏହାର ସହଜ ବ୍ୟବହାର ପାଇଁ ଆପ୍ ପ୍ରସ୍ତୁତ ହୋଇଥିଲା । ପ୍ରଥମେ ବିନା ମୂଲ୍ୟରେ ଓ ପରେ ଅଳ୍ପ ପଇସା ଦେଇ ଲୋକେ ସାଇକେଲ ଚାଳନା କରିଥିଲେ ।
ସହର ଭିତରେ ଲୋକେ ସହଜରେ ସାଇକେଲରେ ଯାତାୟତ ପାଇଁ ସାଇକେଲ ଟ୍ରାକ ପ୍ରସ୍ତୁତ ହେବା ସହିତ ଏଥିରେ ଲାଲ୍ ରଙ୍ଗ ଦିଆଯାଇଥିଲା । ହେଲେ ଏତେ ସବୁ ସତ୍ୱେ ବି ମୋ ସାଇକେଲ ଲୋକଙ୍କୁ ଆକୃଷ୍ଟ କରିପାରି ନାହିଁ । ବିଦେଶରୁ ଆସିଥିବା ଏହି ୨୫ହଜାର ଟଙ୍କିଆ ସାଇକେଲ ଚଢିବାକୁ ଲୋକେ ନାରାଜ ।
ଉଲ୍ଲେଖନୀୟ ଯେ ବିଏମ୍ସି ପକ୍ଷରୁ ୫ କୋଟି ଟଙ୍କା ବ୍ୟୟରେ ତିନିଟି କମ୍ପାନୀ ହେକ୍ସି, ୟୁନା ଏବଂ ୟୁଲୁରୁ ୨୦୦୦ ସାଇକେଲ କିଣାଯାଇଥିଲା । ହେକ୍ସି କମ୍ପାନୀରୁ ୧୦୦୦ ସାଇକେଲ ଆସିଥିବାବେଳେ ଅନ୍ୟ ଦୁଇ କମ୍ପାନୀରୁ ୫୦୦ କରି ସାଇକେଲ କିଣାଯାଇଥିଲା । ତେବେ ସାଇକେଲ ପ୍ରତି ଲୋକଙ୍କ ଅନାଗ୍ରହ ଦେଖିବା ଓ ଏଥିରୁ କେତେକ ଚୋରି ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ ଚର୍ଚ୍ଚାରେ ଥିବାବେଳେ କିଛି ସାଇକେଲକୁ କବାଡିଆଙ୍କୁ ବିକ୍ରି ହୋଇଥିଲା । ଏହି ମାମଲା ପରେ ଥାନାକୁ ଯିବା ସହିତ ମାମଲା ବି ରୁଜୁ ହୋଇଥିଲା ।
ତେବେ ଇତି ମଧ୍ୟରେ ସହରରେ ଚାଲୁଥିବା ମୋ ବସ୍ ପ୍ରତି ଲୋକଙ୍କ ଆଗ୍ରହ ଓ ଏଥିରେ ପ୍ରବଳ ଭିଡ ହେଉଥିବାବେଳେ ମୋ ସାଇକେଲ ଚଳାଇବାକୁ କିନ୍ତୁ ଆଉ ଲୋକଙ୍କର ଆଗ୍ରହ ନାହିଁ । ଫଳରେ ଖରା, ବର୍ଷା ପଡି ପଡି ଅନେକ ମୋ ସାଇକେଲ ଅଚଳ ଅବସ୍ଥାକୁ ଆସିଗଲାଣି । କାହାର ସିଟ୍ ଛିଡି ଗଲାଣି ତ ଆଉ କାହାର ଟାୟାର ଖରାପ ହେଲାଣି । ସାଇକେଲ ପାଇଁ ଉଦ୍ଦିଷ୍ଟ ରହଣି ସ୍ଥାନ ବ୍ୟତିତ କିଛି ସାଇକେଲ ନାଳ ନର୍ଦ୍ଦମାରୁ ବି ଉଦ୍ଧାର ହେଉଛି ।
ବର୍ତ୍ତମାନ ମୋ ସାଇକେଲର ଦାୟିତ୍ୱ ଭୁବନେଶ୍ୱର ସ୍ମାର୍ଟସିଟି ହାତରେ ଥିଲେ ବି ସ୍ମାର୍ଟସିଟି ଲୋକେ କିନ୍ତୁ ଏହାକୁ ଚଳାଇବାକୁ ନାରାଜ । ତେଣୁ ଆଉ ପୂର୍ବଭଳି ସାଇକେଲ ଟ୍ରାକ୍ରେ ରଙ୍ଗ ମରାଯାଉ ନାହିଁ କି ସାଇକେଲ ରଖିବା ସ୍ଥାନର ରକ୍ଷଣା ବେକ୍ଷଣ ହେଉନାହିଁ । ମୋ ସାଇକେଲର ଅବସ୍ଥା ଯେଉଁ ସ୍ଥିତିରେ ଯାଇ ପହଞ୍ଚିଛି ଏହି ଯୋଜନା ଖୁବ୍ଶୀଘ୍ର ରାଜଧାନୀରେ ଇତିହାସ ପାଲଟିବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)