Home General ମୋ ସାଇକେଲ ପାଇଁ ଆପ୍‍ ହିଁ ସମସ୍ୟା

ମୋ ସାଇକେଲ ପାଇଁ ଆପ୍‍ ହିଁ ସମସ୍ୟା

ଭୁବନେଶ୍ୱର : ସରକାରଙ୍କ ମୋ ସାଇକେଲ କବାଡିଖାନାକୁ ଯିବାକୁ ନେଇ ବିବାଦ ତୁଟୁନଥିବାବେଳେ ଏଥିପାଇଁ ପ୍ରସ୍ତୁତ ‘ଆପ୍‍’ ପାଇଁ ହିଁ ଏହା ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେଲାନାହିଁ । ପ୍ରଥମରୁ ତିନିଟି କମ୍ପାନୀର ସାଇକେଲ ପାଇଁ ୩ପ୍ରକାର ଆପ୍‍ ଆବଶ୍ୟକ ହେଉଥିବାବେଳେ ବର୍ତ୍ତମାନ ଏହି ଆପ୍‍ ଏକ ପ୍ରକାର ଅଚଳ ।

୨୦୧୮ ମସିହାରେ ମୋ ସାଇକେଲ ଯୋଜନା ଆରମ୍ଭ ହୋଇଥିବାବେଳେ ଏଥିରେ ତିନିଟି କମ୍ପାନୀ ଯଥା ୟୁଲୁ, ହେକ୍ସି ଓ ୟୁନୋ କମ୍ପାନୀର ସାଇକେଲ ସାମିଲ ହୋଇଥିଲା । ଲୋକଙ୍କ ସୁବିଧା ପାଇଁ ମୋ ସାଇକେଲ ଆପ୍‍ ପ୍ରସ୍ତୁତ ହୋଇଥିଲେ ମଧ୍ୟ ତିନି କମ୍ପାନୀର ସାଇକେଲ ପାଇଁ ମୋବାଇଲ୍‍ରେ ତିନି ପ୍ରକାର ଆପ୍‍ ଅପଲୋଡ ସହିତ ଏଥିରେ ପଇସା ରଖିବାକୁ ପଡିଲା । କାରଣ ସବୁ ସ୍ଥାନରେ ସବୁ କମ୍ପାନୀର ସାଇକେଲ ଉପଲବ୍ଧ ହେଲା ନାହିଁ ।

ସେତେବେଳେ ରାଜଧାନୀର ୪୦୦ଟି ସ୍ଥାନରେ ୨୦୦୦ ନୂଆ ସାଇକେଲକୁ ନେଇ ଯୋଜନା ଆରମ୍ଭ ହୋଇଥିଲା । ବିଶେଷକରି ରାଜଧାନୀରେ ଦୈନିକ ୩୨ହଜାର ଲୋକଙ୍କ ବସ ଯାତ୍ରାକୁ ଦୃଷ୍ଟିରେ ରଖି ମୋ ସାଇକେଲ ଯୋଜନା ଆରମ୍ଭ ହୋଇଥିଲା । ସାଇକେଲ ପ୍ରତି ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରଥମ ୩୦ ମିନିଟ୍‍ ଚଳାଇବାକୁ ମାଗଣା କରାଯାଇଥିଲା । ହେଲେ ଯେତେବେଳେ ପଇସା ଦେବାକୁ ପଡିଲା ସେତେବେଳେ ଲୋକେ ଆଉ ତିନି ତିନୋଟି ଆପ୍‍ରେ ପଇସା ରଖି ସାଇକେଲ ଚଳାଇବାକୁ ଆଗ୍ରହ ପ୍ରକାଶ କଲେନାହିଁ ।

ପ୍ରାୟ ଦୁଇବର୍ଷ ପରେ କର୍ତ୍ତୃପକ୍ଷ ସମସ୍ୟା ସଂକ୍ରାନ୍ତରେ ସଚେତନ ହୋଇ ଗୋଟିଏ ଆପ୍‍ ଜରିଆରେ ସବୁ ସାଇକେଲ ଚାଳନା ସୁବିଧା ପାଇଁ ଅଣ୍ଟା ଭିଡିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ । ଏବେ ବି ମୋ ସାଇକେଲ ଆପ୍‍ରେ କେଉଁ ସ୍ଥାନରେ କେତୋଟି ସାଇକେଲ ଅଛି ତାହାର ସୂଚନା ଉପଲବ୍ଧ ହେଉନାହିଁ । ଅବସ୍ଥା ଏଭଳି ହୋଇଛି ଯେ ଏହି ଆପ୍‍ ଅତି ଖରାପ ବୋଲି ସୋସିଆଲ ମିଡିଆରେ ଲୋକେ ମତପ୍ରକାଶ କରିଛନ୍ତି ।

ଗୋଟିଏ ପଟେ ଏକାଧିକ ଆପ୍‍ର ସମସ୍ୟା ଓ ଅନ୍ୟପଟେ ସାଇକେଲଗୁଡିକ ରାସ୍ତାକଡରେ ଅତ୍ୟନ୍ତ ଅପରିଷ୍କାର ଅବସ୍ଥାରେ ରହୁଥିବାରୁ ବି ଲୋକେ ତାହାକୁ ନେବାକୁ ଡରିଲେ । ବିଶେଷକରି କରୋନା ସମୟରେ ଛୁଇଁବାକୁ ସାହସ କଲେନାହିଁ । କଲେଜକୁ ଛାତ୍ରଛାତ୍ରୀମାନେ ନିଜର ପୁରୁଣା ସାଇକେଲ ନେଇ ଗଲେ ପଛେ ମୋ ସାଇକେଲ ପ୍ରତି ଆଗ୍ରହ ଦେଖାଇଲେ ନାହିଁ । ରାଜଧାନୀ କଲେଜ ସମ୍ମୁଖରେ ଏକାଧିକ ଭଙ୍ଗା ଦଦରା ସାଇକେଲ ହେଉଛି ଏହାର କେବଳ ଗୋଟିଏ ଉଦାହରଣ ମାତ୍ର ।

ବର୍ତ୍ତମାନ ସାଇକେଲ କବାଡିଖାନାକୁ ଯିବା ନେଇ ରାଜନୀତି ସରଗରମ ହୋଇ ଥାନାରେ ମାମଲା ପହଞ୍ଚି ଥିବାବେଳେ ମୋ ସାଇକେଲ ଆପ୍‍କୁ କିନ୍ତୁ ଠିକ୍‍ କରାନଯିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ମୋ ସାଇକେଲ ଚଳାଇବାର ଏକମାତ୍ର ବାଟ ‘ଆପ୍‍’ ହୋଇଥିବାବେଳେ ଯଦି ଏହା ଠିକଣା ଭାବେ କାର୍ଯ୍ୟନକରେ ତେବେ ଆଗାମୀ ଦିନରେ ବାକିଆ ସାଇକେଲ କବାଡିଖାନା ଯିବା ଥୟ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)