ଭୁବନେଶ୍ୱର : ଭୁବନେଶ୍ୱରକୁ ସବୁଜ ସୁନ୍ଦର କରିବା ସହ ତଟକା ଫଳ, ପନିପରିବା ଇତ୍ୟାଦି ନିଜ ବାଡ଼ିରୁ ପାଇବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ‘ମୋ ବାଡ଼ି-ମୋ ବଗିଚା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଏହାର ଶୁଭାରମ୍ଭ କରିଛନ୍ତି ।
ଚଳିତ ବର୍ଷ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱର ସହରର ଏକ ହଜାର ସରକାରୀ ବାସଭବନରେ ୨ଟି ଆମ୍ବ, ୨ଟି ପଣସ ଓ ୨ଟି ବେଲ ଚାରା ସହ ପନିପରିବା ପୁଡ଼ିଆ ଓ ଖତସାର ଇତ୍ୟାଦି ବଣ୍ଟନ କରିବା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଭୁବନେଶ୍ୱରର ସରକାରୀ କ୍ୱାଟରଗୁଡ଼ିକରେ ଥିବା ଖାଲି ଜାଗାରେ ଫଳଗଛ ଲଗାଇବା ଦ୍ୱାରା ପରିବେଶ ସନ୍ତୁଳନ ସହିତ ଗଛର ଛାଇ ଓ ସୁସ୍ୱାଦୁ ଫଳ ପାଇହେବ ।
ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଫଳଗଛ ଚାରା ଯଥା ଆମ୍ବ, ପଣସ ଓ ବେଲ ଚାରା ସହ ପନିପରିବା ମଂଜି କିଟ୍ ଏବଂ ଜୈବିକ ସାର ଓ ଔଷଧ ତଥା ରୋପଣ ବିଧିର ପୁସ୍ତିକା ବିନାମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା ରହିଛି । ତେଣୁ ସରକାରଙ୍କ ଏହି ପ୍ରୟାସରେ ସମସ୍ତଙ୍କୁ ଭାଗୀଦାର ହେବା ପାଇଁ ମନ୍ତ୍ରୀ ଡ. ସାହୁ ଆହ୍ୱାନ ଦେବା ସହିତ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରକୁ ସବୁଜସୁନ୍ଦର କରି ଗଢ଼ିତୋଳିବାରେ ସହାୟକ ହେବ ବୋଲି କହିଛନ୍ତି ।
ଏହି ଅବସରରେ ଜନସାଧାରଣଙ୍କ ମଧ୍ୟରେ ବୃକ୍ଷରୋପଣ ତଥା ଫଳଗଛ ଲଗାଇବା ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ପ୍ରଚାରଗାଡ଼ିକୁ ମନ୍ତ୍ରୀ ଡ. ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ
ଥିଲେ ।