Home General ମୋ ଘର କୁ ମିଳୁନି ଋଣ

ମୋ ଘର କୁ ମିଳୁନି ଋଣ

ଭୁବନେଶ୍ୱର : ମୋ ଘର ଯୋଜନାରେ ହିତାଧିକାରୀଙ୍କୁ ଋଣ ଦେବାକୁ ବ୍ୟାଙ୍କ୍‍ମାନେ ଅମଙ୍ଗ । ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ଯୋଜନାରେ ଯେତିକି ଲୋକଙ୍କ ଆବେଦନ ବ୍ୟାଙ୍କ୍‍ ନିକଟକୁ ପଠାଯାଇଛି ସେମାନଙ୍କ ମଧ୍ୟରୁ ଏକ ପ୍ରତିଶତଙ୍କ ପାଇଁ ଋଣ ମଞ୍ଜୁର ହୋଇନାହିଁ ।

ଗରିବ ଲୋକେ କିଭଳି ନିଜର ଘର ମରାମତି କରିବା ସହିତ ନୂଆ ଘର କରିବେ ସେଥିପାଇଁ ରାଜ୍ୟ ସରକାର ମୋ ଘର ଯୋଜନା ଆରମ୍ଭ କରିଛନ୍ତି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ଯୋଜନାରେ ୪ଲକ୍ଷ ଋଣ ମଞ୍ଜୁର ପାଇଁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ସବସିଡ୍‍ର ବ୍ୟବସ୍ଥା ବି ରହିଛି । ୨୦୨୩-୨୪ ବର୍ଷ ସକାଶେ ସବ୍‍ସିଡ୍‍ ବାବଦକୁ ୧୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ୨ଲକ୍ଷ ଲୋକଙ୍କୁ ଋଣ ଦେବାର ଲକ୍ଷ୍ୟ ରହିଛି । ଏଥିପାଇଁ ଜିଲ୍ଲାୱାରୀ ଲକ୍ଷ୍ୟଧାର୍ଯ୍ୟ ବି ହୋଇଛି । ଗଞ୍ଜାମ ଜିଲ୍ଲାପାଇଁ ସର୍ବାଧିକ ୧୫,୬୮୮ ଟି ଋଣ ଦେବାର ଲକ୍ଷ୍ୟ ଥିବାବେଳେ କଟକ ଜିଲ୍ଲାପାଇଁ ଦ୍ୱିତୀୟ ସର୍ବାଧିକ ୧୧,୨୮୫ ଏବଂ ଖୋର୍ଦ୍ଧା ଜିଲ୍ଲାପାଇଁ ୧୦,୫୦୧ ଋଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସବୁଠାରୁ କମ୍‍ ୨୦୦୯ ଟି ପାଇଁ ଲକ୍ଷ୍ୟ ରହିଛି ଦେବଗଡ ଜିଲ୍ଲା ପାଇଁ ।

ତେବେ ମୋ ଘର ଯୋଜନାରେ ଋଣ ପାଇବାପାଇଁ ଚଳିତବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ୧,୫୬,୧୪୯ଟି ଋଣ ଆବେଦନ ବ୍ଲକ ଦ୍ୱାରା ସୁପାରିଶ୍‍ କରାଯାଇ ବ୍ୟାଙ୍କ୍‍ମାନଙ୍କୁ ପଠାଯାଇଥିବାବେଳେ ସେମାନେ ୧୦୨୫ ଜଣଙ୍କ ସପକ୍ଷରେ ଋଣ ମଞ୍ଜୁର କରିଛନ୍ତି । ୩୮ହଜାରରୁ ଅଧିକ ସୁପାରିଶ୍‍କୁ ନାକଚ କରିଦେଇଥିବାବେଳେ ୧,୧୭,୦୮୯ଟି ସୁପାରିଶ୍‍ ଉପରେ ବିଚାର ଆଲୋଚନା ଚଳାଇଛନ୍ତି ।

ତେବେ ଭାରତୀୟ ଷ୍ଟେଟ୍‍ବ୍ୟାଙ୍କ୍‍ ନିକଟକୁ ବ୍ଲକଗୁଡିକ ୫୦ହଜାର ସୁପାରିଶ୍‍ ପଠାଇଥିବାବେଳେ ଏହି ବ୍ୟାଙ୍କ୍‍ ମାତ୍ର ୫୮ଟି ସପକ୍ଷରେ ଋଣ ମଞ୍ଜୁର କରିଛି । ୧୦ହଜାରର ଅଧିକ ଦରଖାସ୍ତ ପାଇଥିବା ୟୁକୋ ବ୍ୟାଙ୍କ୍‍ ୧୯ଟି ଋଣ ମଞ୍ଜୁର କରିଥିବାବେଳେ ପଞ୍ଜାବ ନେସନାଲ ବ୍ୟାଙ୍କ୍‍ ୨୨ଟି ଦରଖାସ୍ତ ସପକ୍ଷରେ ଋଣ ମଞ୍ଜୁର କରିଥିବା ଜଣାଯାଇଛି ।

ତେବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସର୍ବାଧିକ ୩୩୮ଟି ଋଣ ମଞ୍ଜୁର କରିଥିବାବେଳେ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ୍‍ ଦ୍ୱିତୀୟ ସର୍ବାଧିକ ୨୧୮ଟି, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ୍‍ ୧୩୦ଟି ମୋଘର ଋଣ ଦେଇଛନ୍ତି । ସମବାୟ ବ୍ୟାଙ୍କ୍‍ର ସକରାତ୍ମକ ମନୋଭାବ ଯୋଗୁଁ ଏହି ଯୋଜନାରେ ଋଣ ମଞ୍ଜୁର ସଂଖ୍ୟା ହଜାରେ ଟପିଥିବାବେଳେ ରାଜ୍ୟରେ ଥିବା ୨୩ଟି ବ୍ୟାଙ୍କ୍‍ ଗୋଟିଏ ହେଲେ ଋଣ ମଞ୍ଜୁର କରିନାହାନ୍ତି ।

ହିତାଧିକାରୀଙ୍କୁ ମୋ ଘର ଯୋଜନାରେ ଋଣ ମଞ୍ଜୁର ପାଇଁ ଆଦୌ ଆଗ୍ରହୀ ନଥିବା ବ୍ୟାଙ୍କ୍‍ ତାଲିକାରେ ବ୍ୟାଙ୍କ୍‍ ଅଫ୍‍ ବରୋଦା, ବ୍ରହ୍ମପୁର କେନ୍ଦ୍ର ସମବାୟ ବ୍ୟାଙ୍କ୍‍, ଆକ୍ସିସ୍‍ ବ୍ୟାଙ୍କ୍‍, ଆଇଡିବିଆଇ, ଏଚଡିଏଫ୍‍ସି, ଫେଡେରାଲ, ବନ୍ଧନ ବ୍ୟାଙ୍କ୍‍ ଆଦି ରହିଛନ୍ତି । ଏହି ତାଲିକାରେ କେତେକ ସମବାୟ ବ୍ୟାଙ୍କ୍‍ ବି ରହିଥିବା ଜଣାଯାଇଛି ।

ରାଜ୍ୟ ସରକାର ମୋ ଘର ଯୋଜନାରେ ଅଧିକରୁ ଅଧିକ ଆବେଦନକାରୀଙ୍କୁ ଋଣ ପ୍ରଦାନ ଉପରେ ଗୁରୁତ୍ୱ ଦେଉଥିବାବେଳେ ବ୍ୟାଙ୍କ୍‍ମାନେ ଯେଭଳି ନକରାତ୍ମକ ମନୋଭାବ ପ୍ରଦର୍ଶନ କରୁଛନ୍ତି ତାହା ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ବିଶେଷକରି ବ୍ଲକ ଦ୍ୱାରା ସୁପାରିଶ୍‍ ହୋଇ ଆସୁଥିବା ଲକ୍ଷ ଲକ୍ଷ ଦରଖାସ୍ତ ଉପରେ ବ୍ୟାଙ୍କ୍‍ମାନେ ବିଚାର ବିମର୍ଶ ଚଳାଇଥିବାରୁ ଏଭଳି ସ୍ଥିତି ଉପୁଜିଛି । (ତଥ୍ୟ)