Home Editorial ମୋ କଲେଜ ଅଭିଯାନର ଶୁଭାରମ୍ଭ

ମୋ କଲେଜ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : ମୋ କଲେଜ ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆରମ୍ଭ କରିବା ସହ ଭର୍ଚୁଆଲ ପ୍ଲାଟଫର୍ମରେ ୱବ୍‌ପୋର୍ଟାଲ୍‌ ଲୋକାର୍ପଣ କରଛନ୍ତି ଏବଂ ସମଗ୍ର ବିଶ୍ୱରେ ଥିବା ଓଡ଼ିଆ ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ମାତୃଭୂମିରେ ଥିବା ସେମାନଙ୍କ ଶିକ୍ଷାନୁଷ୍ଠାନଗୁଡ଼ିକର ପୁନଃର୍ନିମାଣରେ ସହଯୋଗୀ ଶକ୍ତି ହେବାକୁ ଆହ୍ୱାନ ଦେଇଛନ୍ତି । ଉଚ୍ଚଶିକ୍ଷାର ଗଠନ ତଥା କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି ।

ଲାଇଭ୍‌ ଷ୍ଟି୍ରମ୍‌ ମାଧ୍ୟମରେ ସଂଯୁକ୍ତ ହୋଇଥିବା ବିଭିନ୍ନ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭ୍ୟ ଏବଂ ସମଗ୍ର ବିଶ୍ୱର ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରି କହିଛନ୍ତି ଯେ ଏହି ଅଭିଯାନ ଓଡ଼ିଆ ଆଲୁମିନିମାନଙ୍କୁ ଭାବପ୍ରବଣତା ସହିତ ବିନିଯୋଗ କରିବା ପାଇଁ ଏକ ମଞ୍ଚ ଏବଂ ଆମ କଲେଜ୍‌ ଦିନର ସ୍ମୃତିର ରୋମନ୍ଥନଠୁ ଅଧିକ ଲାଭପ୍ରଦ କିଛି ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଅଭିଯାନ କେବଳ ଛାତ୍ରମାନଙ୍କ ପାଇଁ ସୀମିତ ନୁହେଁ । ଅଣ-ଆଲୁମିନି ସମାଜସେବୀ, ଦାନଶୀଳ ସଂଗଠନ, ଗୋଷ୍ଠୀ ଏବଂ ଅନୁଷ୍ଠାନ ମଧ୍ୟ ଏହି ଅଭିଯାନର ଅଂଶ ହୋଇପାରିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ସୁସ୍ଥ ଶୈକ୍ଷିକ ବାତାବରଣ ପାଇଁ ମିଶନର ପ୍ରଚେଷ୍ଟା କରିବ ଏବଂ ଏହା ରାଷ୍ଟ୍ରନିର୍ମାଣ, ଦକ୍ଷତା ବିକାଶ ଏବଂ ଦଳଗତ କାର୍ଯ୍ୟକୁ ପ୍ରୋତ୍ସାହନ କରିବ, ଯାହା ଦ୍ୱାରା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧ୍ୟୟନ ପାଇଁ ଏକ ଅଭିନବ ତଥା ରୋମାଞ୍ଚକର ସ୍ଥାନ ହୋଇପାରିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସମସ୍ତେ ନିଜ ନିଜ ଶିକ୍ଷାନୁଷ୍ଠାନକୁ ଫେରାଇବାର ଆନନ୍ଦ ଅନୁଭବ କରିବା ଉଚିତ, ଯେଉଁଠାରେ ଆମେ ଆମର ଯୌବନର ଅତ୍ୟନ୍ତ ମୂଲ୍ୟବାନ ସମୟ ଅତିବାହିତ କରିଥିଲା ଏବଂ ଆମ ଭବିଷ୍ୟତ ନିର୍ମାଣ କରିଥିଲୁ ।

ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।