ଭୁବନେଶ୍ୱର : ମୋତେ ମିଳିଥିବା ଜୀବନ ବ୍ୟାପି ସାଧାନ ପୁରସ୍କାର ହେଉଛି ରାଜ୍ୟର ୪.୫ କୋଟି ଲୋକଙ୍କର । ସେମାନଙ୍କର ଆର୍ଶିବାଦ ଯୋଗୁଁ ଆଜି ମୋତେ ଏହି ସମ୍ମାନ ମିଳିଛି । ଆଜି ନୂଆଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଇଥିବା ଜୀବନ ବ୍ୟାପି ସାଧାନ ପୁରସ୍କାର ପାଇବା ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମାନ୍ୟବର ବିଚାରପତି ଜଷ୍ଟିସ୍ ଶ୍ରୀ ଏନ୍.ଭି.ରମନ୍ନା, ମାନ୍ୟବର ବିଚାରପତି ଜଷ୍ଟିସ୍ ଶ୍ରୀ ପଟ୍ଟନାୟକ, ବିଶିଷ୍ଟ ଅତିଥିବୃନ୍ଦ, ପୁରସ୍କାରପ୍ରାପ୍ତ ବ୍ୟକ୍ତି, କ୍ୟାପିଟାଲ୍ ଫାଉଣ୍ଡେସନ୍ର ସଦସ୍ୟ, ମହିଳା ଏବଂ ଉପସ୍ଥିତ ଜନତାଙ୍କୁ ସମ୍ଭାଷଣ ପ୍ରଦାନ କରି କହିଛନ୍ତି ଯେ ବର୍ଷ ବର୍ଷ ଧରି କ୍ୟାପିଟାଲ୍ ଫାଉଣ୍ଡେସନ୍ ବିକଶିତ ହୋଇଛି ଏବଂ ଖୋଲା ବିତର୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଭାବରେ ପ୍ରତିଷ୍ଠିତ ହୋଇପାରିଛି, ଏବଂ ଏହା ସାଧାରଣ ନୀତିର ବିଭିନ୍ନ ଦିଗ, ଗଣତାନ୍ତ୍ରିକ ଶାସନ ଏବଂ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଉପରେ ଆଲୋଚନା କରିଥାଏ ଯାହା ନୀତି ର୍ନିମାତାମାନଙ୍କୁ ପ୍ରଭାବିତ କରିଥାଏ ।
ତିନି ଦଶନ୍ଧିରୁ ଅଧିକ ସମୟ ଧରି ଫାଉଣ୍ଡେସନ ବିଭିନ୍ନ ନୀତି ପସ୍ତୁତକାରୀମାନଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିଛି ଯାହା ଦ୍ୱାରା ସେମାନଙ୍କର ମତାମତକୁ ସ୍ୱାଧିନ ଭାବରେ ଉପସ୍ଥାପନ କରାଯାଉଛି ଏବଂ ସାମଗ୍ରିକ ଶାସନରେ ଏହାର ଅବଦାନ ରହିଛି । ମୁଁ କ୍ୟାପିଟାଲ୍ ଫାଉଣ୍ଡେସନ୍ ଦ୍ୱାରା ଜୀବନ ବ୍ୟାପି ସାଧନା ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି ।
ଏହି ପୁରସ୍କାର ପ୍ରଦାନ କରିଥିବାରୁ ମୁଁ ମାନ୍ୟବର ବିଚାରପତି ଜଷ୍ଟିସ ରମନ୍ନାଙ୍କୁ ଏବଂ ଏହି ଫୋରମର ଅଭିବୃଦ୍ଧିରେ ସକ୍ରିୟ ଯୋଗଦାନ ଦେଇଥିବାରୁ ବିଚାରପତି ଜଷ୍ଟିସ ପଟ୍ଟନାୟକଙ୍କୁ ମୋର ବିଶେଷ ଧନ୍ୟବାଦ ଜଣାଉଛି । ସମସ୍ତ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ତରଫରୁ ବିଭିନ୍ନ କ୍ଷେତ୍ରରେ ଘଟୁଥିବା ଭଲ କାର୍ଯ୍ୟକୁ ଚିହ୍ନିବା ଏବଂ ପ୍ରଶଂସା କରିଥିବାରୁ ମୁଁ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଉଛି ।
ମୁଁ ଏହି ପୁରସ୍କାରକୁ ଓଡିଶାର ୪.୫ କୋଟି ଲୋକଙ୍କୁ ଉତ୍ସର୍ଗ କରୁଛି ଯେଉଁମାନେ ଗତ ୨୨ ବର୍ଷ ଧରି ସେମାନଙ୍କୁ ସେବା କରିବା ପାଇଁ କ୍ରମାଗତ ଭାବରେ ମୋତେ ଆଶୀର୍ବାଦ କରିଆସୁଛନ୍ତି । ମୋ ଉପରେ ଥିବା ବିଶ୍ୱାସ ହେଉଛି ଏକ ସଶକ୍ତ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ସବୁଠାରୁ ବଡ଼ ପ୍ରେରଣା । ଗତ ୨୨ ବର୍ଷ ମଧ୍ୟରେ ଓଡ଼ିଶା ଏକ ଦୀର୍ଘ ପଥ ଅତିକ୍ରମ କରିଛି । ୧୯୯୯ ର ମହାବାତ୍ୟା ପରେ କିଏ ଭାବିଥିଲା ଯେ ଓଡିଶା ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱ ମାନଦଣ୍ଡ ସ୍ଥିର କରିବ ଏବଂ ମିଳିତ ଜାତିସଂଘ ଦ୍ୱାରା ପୁରସ୍କୃତ ହେବ ।
ଦିନେ ଦାରିଦ୍ର୍ୟ ପାଇଁ ପରିଚିତ ଓଡ଼ିଶା ବର୍ତ୍ତମାନ ଆମ ଦେଶରେ ଦ୍ରୁତତମ “ଦାରିଦ୍ର୍ୟ ହ୍ରାସ’ ପାଇଁ ଜଣାଶୁଣା । ମହିଳାମାନଙ୍କର ସଶକ୍ତିକରଣରେ ନିହିତ ପ୍ରଶାସନିକ ମଡେଲ୍ ହେଉଛି ଆମର “ମିଶନ୍ ଶକ୍ତି” ଯେଉଁଥିପାଇଁ ଆମେ ପ୍ରକୃତରେ ଗର୍ବିତ ।
ଅନୁରୂପ ଭାବେ ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣ ସର୍ବଦା ମୋ ହୃଦୟରେ ରହିଛି ଏବଂ ଜଙ୍ଗଲ ନିବାସୀ ଅଧିନିୟମ ଅନୁଯାୟୀ ଜମି ଅଧିକାର ପ୍ରଦାନ କରିବାରେ ଓଡିଶା ଦେଶର ନେତୃତ୍ୱ ନେଇଛି । ଆମ ହଷ୍ଟେଲରେ ପାଞ୍ଚ ଲକ୍ଷରୁ ଅଧିକ ଆଦିବାସୀ ବାଳିକା ରହି ପାଠ ପଢୁଛନ୍ତି ।
କୃଷକମାନେ ସର୍ବଦା ଆମ ରାଜ୍ୟର ମେରୁଦଣ୍ଡ ଏବଂ ସେମାନଙ୍କର ପରିଶ୍ରମ ଯୋଗୁଁ ଓଡିଶା ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ପାଇଛି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାରେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ।
ଓଡ଼ିଶା ଦେଶ ପାଇଁ ସର୍ବାଧିକ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦନ କରିଥାଏ । ମୁଁ ଏଠାରେ ଉଲ୍ଲେଖ କରିବା ଉଚିତ ଯେ ଗତ ୨ ଦଶନ୍ଧି ମଧ୍ୟରେ ଓଡିଶା ତାର ଇସ୍ପାତ ଉତ୍ପାଦନକୁ ପ୍ରାୟ ୧୦ ଗୁଣ ବୃଦ୍ଧି କରି କୋଭିଡ ସଙ୍କଟ ସମୟରେ ଦେଶକୁ ସାହାଯ୍ୟ କରିଛି । କୋଭିଡ ମହାମାରୀ ସମୟରେ ଓଡିଶା ୧୭ ଟି ରାଜ୍ୟକୁ ଜୀବନ ରକ୍ଷାକାରୀ ଅମ୍ଳଜାନ ଯୋଗାଉଥିଲା । ଉତ୍ପାଦନ କ୍ଷେତ୍ରରେ ଓଡିଶା ଦେଶରେ ସର୍ବାଧିକ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିଥାଏ ।
ଓଡିଶା କ୍ରମାଗତ ଦୁଇଥର ହକି ବିଶ୍ୱକପ ଆୟୋଜନ କରିବାକୁ ଯାଉଛି ଏବଂ ବିଭିନ୍ନ କ୍ରୀଡ଼ାରେ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ପ୍ରତିଷ୍ଠା କରିଛି, ଭାରତର କ୍ରୀଡ଼ା ରାଜଧାନୀ ପାଲଟିଥିବା ଓଡ଼ିଶା ଅନ୍ୟ ରାଜ୍ୟଗୁଡିକ ପାଇଁ ମାନଦଣ୍ଡ ସ୍ଥିର କରିଛି । ଓଡିଶାରେ ଦକ୍ଷତା ହେଉଛି ଏକ ବ୍ରାଣ୍ଡ୍ ଯାହା କେବଳ ଓଡିଶା ନୁହେଁ ଦେଶ ପାଇଁ ଗର୍ବର ବିଷୟ ।
ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କ ପାଇଁ ଜମି ଅଧିକାର ବିଶ୍ୱର ସହରୀ ଯୋଜନାକାରୀଙ୍କୁ ପୁନର୍ବିଚାର କରିବା ସହିତ ବସ୍ତି ବାସିନ୍ଦାଙ୍କୁ ସଶକ୍ତ କରିବାର ଆମର ମଡେଲ୍ ଉପରେ ଏକ ଗମ୍ଭୀର ଦୃଷ୍ଟି ରଖିବାକୁ ବାଧ୍ୟ କରିଛି ।
ଆମର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପଦକ୍ଷେପ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଓଡିଶାର ୮୦% ରୁ ଅଧିକ ଲୋକଙ୍କୁ ସର୍ବଭାରତୀୟ ସ୍ୱାସ୍ଥ୍ୟ ନିଶ୍ଚିତତା ପ୍ରଦାନ କରିଥାଏ । ଆମର ୫ଟି ନୀତି ଏବଂ ମୋ ସରକାର ପଦକ୍ଷେପ ମାନବିକତାର ସହିତ ବୃତ୍ତିଗତ ଶାସନ ଉପରେ ଲୋକଙ୍କ ବିଶ୍ୱାସକୁ ଦୃଢ କରିଛି ।
ଯେତେବେଳେ ମୁଁ ନମ୍ରତାର ସହିତ ଏହି ଜୀବନ ବ୍ୟାପି ସାଧନା ପୁରସ୍କାର ଗ୍ରହଣ କରୁଛି, ମୋର ଆଜୀବନ ସଫଳତା ହେଉଛି ଏକ ସଶକ୍ତ ଏବଂ ଆବେଗିକ ଓଡିଶାକୁ ଏକ ନୂତନ ଆଲୋକରେ ବିକଶିତ କରିବା ।
ଆମେ ସଠିକ୍ ରାସ୍ତାରେ ଅଛୁ ଏବଂ ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଆମ ଲୋକଙ୍କ ସମର୍ଥନ ଦ୍ୱାରା ଆମେ ଶୀଘ୍ର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା । ମୁଁ ପୁଣି ଥରେ ଓଡିଶା ଏବଂ ତା’ର ଲୋକଙ୍କୁ ଏହି ମହାନ ସମ୍ମାନ ପ୍ରଦାନ କରିଥିବାରୁ କ୍ୟାପିଟାଲ୍ ଫାଉଣ୍ଡେସନକୁ ଧନ୍ୟବାଦ ପ୍ରଦାନ କରୁଛି । ଧନ୍ୟବାଦ ।