ଭୁବନେଶ୍ୱର : ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମହିଳାଙ୍କ ଗଣତାନ୍ତ୍ରୀକ ଅଧିକାର ସମ୍ପର୍କରେ ଆଲୋଚନା ପାଇଁ ସରକାର ସ୍ବତନ୍ତ୍ର ଅଧିବେଶନ ଡାକିଥିବା ବେଳେ, ରାଜ୍ୟରେ ମହିଳାଙ୍କ ସ୍ଥିତି ଏବଂ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ଗୃହରେ ହଙ୍ଗାମା ଦେଖିବାକୁ ମିଳିଛି।
ଗୃହକୁ ସମ୍ବୋଧିତ କରି ବିରୋଧୀ ଦଳ ନେତା କହିଛନ୍ତି ଯେ, ରାଜ୍ୟରେ ମହିଳାଙ୍କ ସମ୍ମାନ ଆଜି ଭୂଲୁଣ୍ଠିତ। ଜଣେ ମହିଳାଙ୍କ ମୃତ୍ୟୁ ପ୍ରମାଣ ପାଇଁ ତାଙ୍କ ପରିବାରକୁ କବରରୁ କଙ୍କାଳ ଖୋଳି ବ୍ୟାଙ୍କକୁ ନେବାକୁ ପଡ଼ିଲା। ମୃତ ମହିଳାଙ୍କ ଭାଇ ବାରମ୍ବାର ବ୍ୟାଙ୍କ ଦୌଡ଼ିବା ସତ୍ତ୍ୱେ କେବଳ ପ୍ରମାଣ ପାଇଁ ତାଙ୍କୁ ହଇରାଣ କରାଗଲା। ଶେଷରେ କଙ୍କାଳ ଦେଖାଇ ଫେରିବା ବେଳେ ତାହାକୁ ପୁଣି ଚାଲି ଚାଲି କାନ୍ଧରେ ବୋହି ଆଣିବାକୁ ପଡ଼ିଲା। ତେବେ ମୁଁ ଥିଲା ପର୍ଯ୍ୟନ୍ତ ଓଡିଶାକୁ ତାର ହକରୁ କେହି ବଞ୍ଚିତ କରି ପାରିବ ନାହିଁ। ଓଡିଶାର ବିଜେପି ବିଧାୟକମାନେ ମହିଳା ମାନଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ୍ କରନ୍ତୁ ବୋଲି ନବୀନ କହିଛନ୍ତି।
କଙ୍କାଳ ପ୍ରସଙ୍ଗ ପ୍ରଶାସନର ଶୂନ୍ୟ ଉତ୍ତରଦାୟିତ୍ୱ ଏବଂ ସରକାରଙ୍କ ସମ୍ବେଦନହୀନତାର ଚରମ ସୀମା। ଏହି ଘଟଣାକୁ ନେଇ ଆଜି ବିବିସି ଓ ନ୍ୟୁୟର୍କ ପୋଷ୍ଟ ଭଳି ଆନ୍ତର୍ଜାତୀୟ ଗଣମାଧ୍ୟମରେ ଓଡ଼ିଶା ଚର୍ଚ୍ଚାରେ ରହିଛି। ଆମେରିକା ମଧ୍ୟ ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରି ଓଡ଼ିଶା ଆସିବାକୁ ବାରଣ କରିଛି। ରାଜ୍ୟରେ ଥିବା ବିଜେପି ସରକାରଙ୍କ ମହିଳାଙ୍କ ସମ୍ମାନ ଏବଂ ସଶକ୍ତିକରଣ ବିଷୟରେ କହିବାର କୌଣସି ଅଧିକାର ନାହିଁ। ଶାସନ କେବଳ ମିଛ ପ୍ରଚାର ଏବଂ ଦେଖାଣିଆ ପ୍ରଦର୍ଶନରେ ସୀମିତ ହୋଇ ରହିଛି। ମୁଖ୍ୟମନ୍ତ୍ରୀ କୌଣସି ବିବୃତି ଦେବା ପୂର୍ବରୁ ନିଜର ଆତ୍ମସମୀକ୍ଷା କରିବା ଉଚିତ। ଏପରି ଦୁଃଖଦ ଓ ଲଜ୍ଜାଜନକ ଘଟଣା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଘଟିବା ଓଡ଼ିଶାର ଶୋଚନୀୟ ସ୍ଥିତିର ଜ୍ୱଳନ୍ତ ଉଦାହରଣ।
ସେ କହିଛନ୍ତି ଯେ, ସମ୍ବିଧାନ ସଂଶୋଧନ ବିଲ୍ ପ୍ରସଙ୍ଗ କଥା ଯଦି ଉଠାଇବା, ତେବେ ଏଠାରେ ଦୁଇଟି ବିଷୟ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି। ପ୍ରଥମଟି ହେଉଛି ‘ମହିଳା ସଂରକ୍ଷଣ ବିଲ୍’; ଯାହା ୨୦୨୩ରେ ସଂସଦରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା। ବିଜେଡି ସଂସଦରେ ଏହି ବିଲ୍କୁ ଦୃଢ଼ ସମର୍ଥନ କରିଥିଲା ଏବଂ ଆଜି ମଧ୍ୟ ଆମେ ଦାବି କରୁଛୁ ଏହାକୁ ତୁରନ୍ତ ଲାଗୁ କରାଯାଉ। ସଂସଦରେ ପାରିତ ହୋଇସାରିଥିବା ‘ମହିଳା ସଂରକ୍ଷଣ ବିଲ୍’କୁ ପୁଣି ‘ସୀମା ପୁନଃନିର୍ଦ୍ଧାରଣ ବିଲ୍’ ସହିତ ଯୋଡ଼ିବା ହେଉଛି ବିନା ଆଲୋଚନାରେ ସୀମା ନିର୍ଦ୍ଧାରଣକୁ ଲୋକଙ୍କ ଉପରେ ଲଦି ଦେବାର ଏକ ଗୋପନୀୟ ଏବଂ ହୀନ ଚକ୍ରାନ୍ତ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ମୋର ଚିଠି ଏବଂ ଓଡ଼ିଶାର ସମସ୍ତ ୨୧ଜଣ ସାଂସଦଙ୍କୁ ମୋର ନିବେଦନ ବିଜୁ ଜନତା ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି ବୋଲି ସେ କହିଛନ୍ତି।

