Home General ମହିଳାଙ୍କ ସଶକ୍ତିକରଣ ଚାହୁଁନାହାଁନ୍ତି ବିରୋଧୀ

ମହିଳାଙ୍କ ସଶକ୍ତିକରଣ ଚାହୁଁନାହାଁନ୍ତି ବିରୋଧୀ

ଭୁବନେଶ୍ୱର : ସଂସଦରେ ମହିଳା ସଂରକ୍ଷଣ ବିଲ କାଟ ଖାଇବା ପରେ ଓଡିଶା ବିଧାନସଭାରେ ଆଜି ଦିନିକିଆ ଅଧିବେଶନରେ ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ସ୍ବତନ୍ତ୍ର ଆଲୋଚନା ହୋଇଛି। ମହିଳା ସଶକ୍ତିକରଣ, ବିଶେଷଭାବେ ମହିଳାଙ୍କ ରାଜନୈତିକ ସଶକ୍ତିକରଣ ନେଇ ଘମାଘୋଟ ଆଲୋଚନା ହୋଇଥିଲା।

ସରକାରୀ ଓ ବିରୋଧୀ ଉଭୟ ମହିଳା ସଶକ୍ତିକରଣରେ ନିଜ ନିଜର ସଫଳତା ବଖାଣିବା ସହ ସଂସଦରେ ନରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ ପାଇଁ ପରସ୍ପର ଉପରେ ଆକ୍ଷେପ କରିଥିଲେ। ଏହି ଅବସରରେ ସ୍ବତନ୍ତ୍ର ଆଲୋଚନା ଆଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂସଦରେ ମହିଳା ବିଲକୁ ବିରୋଧ କରିଥିବା ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି। ପଞ୍ଚାୟତରେ ମହିଳାଙ୍କ ପାଇଁ ଶତ ପ୍ରତିଶନ ସଂରକ୍ଷଣ ହେଲେ ବି କେହି ବିରୋଧ କରିବେ ନାହିଁ। କିନ୍ତୁ ସଂସଦ ଓ ବିଧାନସଭା ପାଇଁ ସଂରକ୍ଷଣ ହେଲେ ବିରୋଧୀ ଦଳ ନେତାମାନଙ୍କୁ ବାଧୁଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମ୍ବିଧାନ ପ୍ରଣିତ ହେବାର ୭୫ ବର୍ଷ ପୁରିଛି, ଦେଶରେ ଅନେକ ପ୍ରଗତି ହୋଇଛି। କିନ୍ତୁ, ଦେଶର ଅଧା ଜନସଂଖ୍ୟା ଆଜି ନିଜକୁ ଠକି ହେଲା ପରି ମନେ କରୁଛନ୍ତି। ସବୁ ରାଜନୈତିକ ଦଳ ମହିଳା ସଶକ୍ତିକରଣ ବିଷୟରେ ଆଲୋଚନା କରୁଛନ୍ତି। କିନ୍ତୁ, ତାଙ୍କ ପାଇଁ ମହିଳା ସଶକ୍ତିକରଣର ସଂଜ୍ଞା ଅତି ସଙ୍କୁଚିତ। କାରଣ, ତାଙ୍କ ପାଇଁ ମହିଳା ସଶକ୍ତିକରଣର ଅର୍ଥ ହେଉଛି କେବଳ ଅର୍ଥନୈତିକ ସ୍ତରରେ ଆତ୍ମନିର୍ଭରଶୀଳତା। ତେଣୁ, ଏସଏଚଜି ଗଠନ କରି କିଛି ଟଙ୍କା ଦେଇଦେଲେ ସେମାନେ ଭାବନ୍ତି ଯେ ମହିଳାମାନେ ସଶକ୍ତ ହୋଇଗଲେ। ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ସଶକ୍ତ ହେବା ହିଁ ପ୍ରକୃତ ଅର୍ଥରେ ମହିଳା ସଶକ୍ତିକରଣ।

ଅପରେସନ ସିନ୍ଦୁର ସମୟରେ ଭାରତୀୟ ସେନାର ଚେହେରା ଥିଲେ କୋଲୋନେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ। ଏହାହିଁ ହେଉଛି ଆଧୁନିକ ଭାରତର ନାରୀଶକ୍ତି। ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ଭୂମିକା ଆହୁରି ଗୁରୁତ୍ବପୂର୍ଣ୍ଣ। ତଥ୍ୟ ଅନୁସାରେ ୨୦୨୩-୨୪ ବର୍ଷ ପାଇଁ ସ୍କୁଲ ଶିକ୍ଷାରେ ୫୩.୩ ପ୍ରତିଶତ ହେଉଛନ୍ତି ଶିକ୍ଷୟତ୍ରୀ ଏବଂ ଉଚ୍ଚ ଶିକ୍ଷାରେ ଅଧ୍ୟାପିକାଙ୍କ ସଂଖ୍ୟା ହେଉଛି ୪୩ ପ୍ରତିଶତ। ଅର୍ଥାତ, ଦେଶର ଶିକ୍ଷାଦାନ ବ୍ୟବସ୍ଥା ଅଧିକାଂଶ ଭାବେ ମହିଳାଙ୍କ କାନ୍ଧ ଉପରେ ନ୍ୟସ୍ତ। ପୁରୁଷ ପ୍ରାଧାନ ସମାଜରେ ମହିଳାଙ୍କୁ ସୁଯୋଗ ଦେବା ପାଇଁ ସବୁବେଳେ କିଛି ନା କିଛି ଅନ୍ତରାୟ ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି।

୧୯୮୪ ମସିହାରେ କଂଗ୍ରେସର ଲୋକସଭାରେ ୪୧୪ ସିଟ ଏବଂ ରାଜ୍ୟ ସଭାରେ ୧୫୯ ସିଟ ଥିଲା। ତିନି-ଚତୁର୍ଥାଂଶ ଆସନ ଥିଲା କଂଗ୍ରେସର । କିନ୍ତୁ, କାହିଁକି ସେମାନେ ଏହି ମହତ୍ବପୂର୍ଣ୍ଣ ବିଲକୁ ପାଶ କରି ନ ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜୁ ଜନତା ଦଳ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ମହିଳା ସଂରକ୍ଷଣକୁ ନେଇ ବାହାବା ଲୁଟିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ, ଯେତେବେଳେ ବିଧାନସଭା ଓ ଲୋକସଭା ପାଇଁ ଆରକ୍ଷଣ କଥା ଉଠୁଛି ସେମାନେ କାହିଁକି ମହିଳା ବିରୋଧୀ ଆଭିମୁଖ୍ୟ ନେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନର ବିଧାନସଭାର ସଦସ୍ୟ ଓ ସଦସ୍ୟା କିମ୍ବା ତାଙ୍କ ଦଳର ଆଗାଧାଡିର ନେତାମାନେ ଆଉ ସରପଞ୍ଚ କି ଜିଲ୍ଲା ପରିଷଦ ନିର୍ବାଚନ ଲଢିବେ ନାହିଁ। ତେଣୁ ତାଙ୍କର ପଞ୍ଚାୟତ ନିର୍ବାଚନରେ ୧୦୦ ପ୍ରତିଶତ ଆରକ୍ଷଣ ହେଲେ ବି ତାଙ୍କର କିଛି ଅସୁବିଧା ନାହିଁ। କିନ୍ତୁ, ବିଧାନସଭା ଓ ଲୋକସଭା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁହେଲେ, ତାଙ୍କର ସ୍ଵାର୍ଥ ବାଧିତ ହେବ। ତେଣୁ, କୌଣସି ନା କୌଣସି ବାହାନାରେ ଏହି ବିଲ ବିରୋଧରେ ତାଙ୍କର ମତାମତ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଆକ୍ଷେପ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷରେ ମହିଳାଙ୍କ ଜୀବନଧାରଣର ମାନରେ ବ୍ୟାପକ ପରିବର୍ତ୍ତନ ଆସିଛି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୬୯ ପ୍ରତିଶତ ଋଣ ଏବଂ ଷ୍ଟାଣ୍ଡ-ଅପ୍ ଇଣ୍ଡିଆର ୮୪ ପ୍ରତିଶତ ହିତାଧିକାରୀ ମହିଳା। ପିଏମ ଆବାସ ଯୋଜନା ଅଧୀନରେ ୭୨ ପ୍ରତିଶତ ଘର ମହିଳାଙ୍କ ନାମରେ ପଞ୍ଜିକୃତ ହୋଇ ସେମାନଙ୍କୁ ପରିବାରରେ ମାଲିକାନା ସ୍ୱତ୍ୱ ପ୍ରଦାନ କରାଯାଇଛି। ଏହି ଯାତ୍ରାରେ ଓଡ଼ିଶାର ମା’ ଓ ଭଉଣୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ପାଇଁ ଆମେ ଆରମ୍ଭ କରିଛୁ ଯୁଗାନ୍ତକାରୀ ‘ସୁଭଦ୍ରା ଯୋଜନା’। ଏହା କେବଳ ଏକ ସହାୟତା ରାଶି ନୁହେଁ, ବରଂ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ‘ଆତ୍ମନିର୍ଭର’ କରିବାର ଏକ ପ୍ରୟାସ। ଗତ ମେ ୧୪ ତାରିଖରୁ ରାଜ୍ୟର ‘ମମତା ଯୋଜନା’ ଏବଂ କେନ୍ଦ୍ରର ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’କୁ ଏକୀକୃତ କରାଯାଇଛି। ଏହି ମିଳିତ ପ୍ରୟାସ ଦ୍ୱାରା ୨୦୨୫-୨୬ ବର୍ଷରେ ୪ ଲକ୍ଷ ୫୭ ହଜାର ମହିଳାଙ୍କୁ ପ୍ରାୟ ୪୯୬ କୋଟି ୩୭ ଲକ୍ଷ ଟଙ୍କାର ସହାୟତା ମିଳିଛି। ଦେଶର ତୃଣମୂଳ ସ୍ତରରେ ପ୍ରାୟ ୧୪.୫ ଲକ୍ଷ ମହିଳା ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ନିର୍ବାଚିତ ପ୍ରତିନିଧି ଭାବେ କାର୍ଯ୍ୟ କରି ଦକ୍ଷତା ପ୍ରମାଣିତ କରୁଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମ ଏହି ପ୍ରତିନିଧିତ୍ୱକୁ ଅଧିକ ଗତି ଦେବା ପାଇଁ ଉଦ୍ଦିଷ୍ଟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ବିରୋଧୀ ଦଳ ନେତା ସୀମା ପୁନଃନିର୍ଦ୍ଧାରଣକୁ ନେଇ ଯେଉଁ ଆଶଙ୍କା ପ୍ରକାଶ କରିଥିଲେ ସେ ନେଇ ସାଂସଦରେ ଗୃହମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ ଲୋକସଭାରେ ଆସନ ସଂଖ୍ୟା ୮୫୦ କୁ ବୃଦ୍ଧି ପାଇବ। ସେହି ଅନୁପାତରେ ଓଡିଶା ବିଧାନସଭା ଆସନ ସଂଖ୍ୟା ବି ୫୦ ପ୍ରତିଶତ ବୃଦ୍ଧି ପାଇଥାଆନ୍ତା। ତେଣୁ, ବିରୋଧୀ ଦଳଙ୍କ ଆଶଙ୍କା ସଂପୂର୍ଣ୍ଣ ଅମୂଳକ ଥିଲା ଏବଂ ଏହାଦ୍ଵାରା ତାଙ୍କ ସ୍ଵାର୍ଥରେ କୌଣସି ଆଞ୍ଚ ବି ଆସି ନଥାନ୍ତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।