Home Agriculture ମିଲେଟ ଉତ୍ପାଦନ ୫୭ହଜାର ଟନ୍‍

ମିଲେଟ ଉତ୍ପାଦନ ୫୭ହଜାର ଟନ୍‍

ଭୁବନେଶ୍ୱର : ତିନି ବର୍ଷ ମଧ୍ୟରେ ଓଡିଶାରେ ୫୭ହଜାର ମେଟ୍ରିକ ଟନ୍‍ ମିଲେଟ୍‍ ଉତ୍ପାଦନ ହୋଇଛି । ସେହିଭଳି ମିଲେଟର ପ୍ରୋତ୍ସାହନ ପାଇଁ ଓଡିଶା ସମେତ ଆସାମ, ଛତିଶଗଡ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଆଦି ରାଜ୍ୟ ମିଲେଟ ମିଶନ ଗଠନ କରିଥିବା ସଂସଦରେ ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ ୨୦୧୯-୨୦ ରୁ ୨୦୨୧-୨୨ ମଧ୍ୟରେ ଦେରେ ୧୭କୋଟି ମେଟ୍ରିକ ଟନ୍‍ରୁ ଅଧିକ ମିଲେଟ୍‍ ଉତ୍ପାଦନ ହୋଇଥିବାବେଳେ ଓଡିଶାରେ ଏହି ସମୟ ମଧ୍ୟରେ ୫୭ହଜାର ମେଟ୍ରିକ ଟନ୍‍ରୁ ଅଧିକ ମିଲେଟ ଉତ୍ପାଦନ ହୋଇଛି । ତେବେ ଏହି ସମୟରେ ରାଜସ୍ଥାନରେ ସର୍ବାଧିକ ୪.୮୬ କୋଟି ଟନ୍‍ରୁ ଅଧିକ ମିଲେଟ ଉତ୍ପାଦନ ହୋଇଥିବାବେଳେ କର୍ଣ୍ଣାଟକରେ ପ୍ରାୟ ୨.୪୦ କୋଟି ଟନ୍‍, ଉତ୍ତରପ୍ରଦେଶରେ ୨.୨୩ କୋଟି ଟନ୍‍ ଏବଂ ମଧ୍ୟପ୍ରଦେଶରେ କୋଟିଏ ଟନ୍‍ରୁ ଅଧିକ ମିଲେଟ ଉତ୍ପାଦନ ହୋଇଛି ।

କୃଷି ମନ୍ତ୍ରୀ କହିଛନ୍ତି ଯେ ଦେଶ ଓ ବିଦେଶରେ ମିଲେଟର ଚାହିଦା ବୃଦ୍ଧି ସହିତ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ୨୦୨୩କୁ ଆର୍ନ୍ତଜାତୀୟ ମିଲେଟ ବର୍ଷ ଘୋଷଣା ପାଇଁ ଭାରତ ସରକାର ମିଳିତ ଜାତିସଂଘକୁ ପ୍ରସ୍ତାବ ଦେଇଥିବାବେଳେ ଏହାକୁ ୭୨ଟି ଦେଶ ସମର୍ଥନ କରିଥିଲେ । ଏଥି ସହିତ ଭାରତକୁ ମିଲେଟକୁ ସହାୟତା ପାଇଁ ୫ଲକ୍ଷ ଆମେରିକୀୟ ଡଲାର ପ୍ରଦାନ କରାଯାଇଛି ।

ସେହିଭଳି ମିଲେଟର ପ୍ରୋତ୍ସାହନ ପାଇଁ କୃଷି ମନ୍ତ୍ରାଳୟ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଅଧିନରେ ମିଲେଟ ମିଶନକୁ ୨୦୧୮-୧୯ ବର୍ଷରୁ ୧୪ଟି ରାଜ୍ୟର ୨୧୨ଟି ଜିଲ୍ଲାରେ କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ଜରିଆରେ ଚାଷୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ସହିତ ପ୍ରମାଣୀକୃତ ବିହନର ଉତ୍ପାଦନ ଓ ବିତରଣ, ରୋଗପୋକ ନିୟନ୍ତ୍ରଣ, ମଞ୍ଜି ଥିବା ଛୋଟ ଛୋଟ ପ୍ୟାକେଟ, ଜଳ ସଂରକ୍ଷଣ ଯନ୍ତ୍ର ଆଦି କୃଷକମାନଙ୍କୁ ପ୍ରଦାନ କରାଯାଉଛି ।

ମିଲେଟ ପାଇଁ ବର୍ଷବ୍ୟାପି ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ମନ୍ତ୍ରାଳୟ ଦ୍ୱାରା ଏଥିପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ରାଜ୍ୟ ସରକାର ଏବଂ ଭାରତୀୟ ରାଷ୍ଟ୍ରଦୂତମାନେ ମିଲେଟର ଉତ୍ପାଦନ ଏବଂ ଚାହିଦା ବୃଦ୍ଧି ପାଇଁ ସଚେତନତା ସୃଷ୍ଟି କରୁଛନ୍ତି । ୨୦୨୩-୨୪ ବଜେଟ୍‍ରେ ଭାତରକୁ ମିଲେଟ ହବ୍‍ରେ ପରିଣତ ପାଇଁ ଘୋଷଣା ହୋଇଛି । ହାଇଦ୍ରାବାଦ ଠାରେ ଥିବା ଭାରତୀୟ ମିଲେଟ ଗବେଷଣା କେନ୍ଦ୍ରକୁ ଉନ୍ନତମାନର ଗବେଷଣା ଲାଗି ଆର୍ନ୍ତଜାତୀୟ ମାନର ଜ୍ଞାନକୌଶଳ ଉପଲବ୍ଧ ସହିତ ସେଣ୍ଟର ଅଫ୍‍ ଏକ୍ସଲେନ୍ସି ଭାବେ ଘୋଷଣା କରାଯାଇଛି । ଇତି ମଧ୍ୟରେ ମିଲେଟର ଚାହିଦାକୁ ଦେଖି ଗୁଆନାର ରାଷ୍ଟ୍ରପତି ତାଙ୍କ ଦେଶରେ ୨୦୦ ଏକର ଜମିରେ ମିଲେଟ ଚାଷ ପାଇଁ ଆଗ୍ରହ ପ୍ରକାଶ କରିଥିବା କେନ୍ଦ୍ର କୃଷିମନ୍ତ୍ରୀ ସୂଚନା ଦେଇଛନ୍ତି । (ତଥ୍ୟ)