Home Health ମିଠା ଦୋକାନରେ ବିଏମସିର ଚଢଉ

ମିଠା ଦୋକାନରେ ବିଏମସିର ଚଢଉ

ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ମିଷ୍ଟାନ୍ନ ଭଣ୍ଡାର ଉପରେ ଆଜି ବିଏମ୍‍ସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢଉ ହୋଇଥିଲା । ଦୀପାବଳୀ ଅବସରରେ ଲୋକମାନେ ନେଉଥିବା ମିଠା ଦ୍ରବ୍ୟକୁ କିଭଳି ସ୍ୱାସ୍ଥ୍ୟପ୍ରଦ ଭାବେ ଦିଆଯାଉଛି ତାହାକୁ ଯାଞ୍ଚ କରିବା ପାଇଁ ବିଏମ୍‍ସିର ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ଖାଦ୍ୟ ସୁରକ୍ଷା ସ୍କ୍ୱାଡ୍‍ ସହରର ବିଭିନ୍ନ ମିଠା ଦୋକାନକୁ ଯାଇ ଯାଞ୍ଚ କରିଛନ୍ତି ।

ଅତିଶୟ ଭିଡ଼, ମିଷ୍ଟାନ୍ନର ମାନ, ଏହାକୁ ପ୍ୟାକିଂ କରିବା ଏବଂ ଖାଦ୍ୟରେ ରଙ୍ଗ ମିଶାଇବା ଇତ୍ୟାଦିରେ ରହିଥିବା ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ପରିଚ୍ଛନ୍ନତା କିପରି ପାଳନ ହେଉଛି ଏହା ବୁଝାଇବା ସହିତ ସମ୍ପୃକ୍ତ ମିଠା ଦୋକାନ ଗୁଡ଼ିକରୁ ନମୁନା ସଂଗ୍ରହ କରାଯାଇଛି ।

ରାଜମହଲ, ମାଷ୍ଟରକ୍ୟାଣ୍ଟିନ, ରାମ ମନ୍ଦିର ଏବଂ ସହିଦନଗର ଇତ୍ୟାଦିରେ ଥିବା ପ୍ରମୁଖ ମିଠା ଦୋକାନ ଗୁଡ଼ିକୁ ଯାଇ ଏହି ସ୍କ୍ୱାର୍ଡ଼ ବିଭିନ୍ନ ଖାଦ୍ୟ ପଦାର୍ଥ ଯାଞ୍ଚ କରିବା ସହିତ ଅସ୍ୱାସ୍ଥକର ଖାଦ୍ୟ ପଦାର୍ଥକୁ ନଷ୍ଟ କରଛନ୍ତି ଏବଂ ଯାଞ୍ଚ ଖାଦ୍ୟ ମଧ୍ୟରୁ ୧୮ ଗୋଟି ଖାଦ୍ୟ ପଦାର୍ଥର ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।

କେବଳ ଖାଦ୍ୟ ଯାଞ୍ଚ ନୁହେଁ ଏହା ସାଙ୍ଗକୁ ବିଏମସି ର ସେଣ୍ଟ୍ରାଲ୍ ସ୍କ୍ୱାର୍ଡ଼ ଯାଇ ଏହି ସମସ୍ତ ମିଠା ଦୋକାନରେ ନିୟମ ଉଲ୍ଲଙ୍ଘନ ପୂର୍ବକ ଅନୁମତି ନଥିବା ପଲିଥିନ୍ ଜରିର ବ୍ୟବହାରକୁ ଯାଞ୍ଚ କରିଛନ୍ତି । ସମୁଦାୟ ୧୫ ଗୋଟି ଦୋକାନରୁ ପ୍ରାୟ ୪୦ କେ.ଜି ଏକକ ବ୍ୟବହୃତ ପଲିଥିନ୍ ଜବତ ହୋଇଥିବା ବେଳେ ସମ୍ପୃକ୍ତ ଦୋକାନ ଗୁଡ଼ିକୁ ମୋଟ୍‍ ୨୩,୦୦୦ ଟଙ୍କାର ଜୋରିମାନା କରାଯାଇଛି ।

ସୂଚନାଯୋଗ୍ୟକି, ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ୍‌-୨୦୦୬ ତଥା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬ କୁ ଭିତିକରି ଏହି ପ୍ରକାର ପଦକ୍ଷେପ ନିଆଯାଇଛି । ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ଓ ପରିମଳ ଜନିତ ଆବଶ୍ୟକତାକୁ ଧ୍ୟାନ ଦେଇ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ବିଏମସିର ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ୍ ପଟେଲ୍ ।