Home Election ଆନ୍ଧ୍ରକୁ ନିର୍ବାଚନୀ ଜବାବ

ଆନ୍ଧ୍ରକୁ ନିର୍ବାଚନୀ ଜବାବ

ଭୁବନେଶ୍ୱର : କୋଟିଆ ଗ୍ରାମ ପଞ୍ଚାୟତରେ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ସମସ୍ତ ପଦକ୍ଷେପ ନେଇଥିବାବେଳେ କୋଟିଆକୁ ନିଜର ବୋଲି ଦାବି କରୁଥିବା ଆନ୍ଧ୍ର ପାଇଁ ଏହା କଡା ଜବାବ ହୋଇଛି । ପଞ୍ଚାୟତ ର୍ନିବାଚନ ନେଇ ନିକଟରେ ଜିଲ୍ଲାପାଳ ଓ ଏସ୍‍ପିମାନଙ୍କ ସହିତ ଆଲୋଚନା ସମୟରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅଧିନରେ ଥିବା କୋଟିଆ ପଞ୍ଚାୟତରେ ନିର୍ବାଚନ ଯେଭଳି ସୁରୁଖୁରୁରେ ହେବ ତାହା ଉପରେ ଦୃଷ୍ଟି ଦେବାକୁ କହିଛନ୍ତି ।

ଗତବର୍ଷ ଫେବୃଆରୀ ମାସରେ ଆନ୍ଧ୍ରପ୍ରଦେଶ ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ ଲାଗି ବିଜ୍ଞପ୍ତି ଜାରି କରିଥିବାବେଳେ ଓଡିଶା ସରକାର ଏ ନେଇ ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋଟିଆର ୨୧ଟି ଗ୍ରାମକୁ ନେଇ ଦୀର୍ଘଦିନ ହେଲା ଓଡିଶା ଓ ଆନ୍ଧ୍ର ମଧ୍ୟରେ ଆଇନ୍‍ଗତ ଯୁଦ୍ଧ ଚାଲିଛି । ଆନ୍ଧ୍ର ସରକାର କୋଟିଆରେ କେତେକ ଜନମଙ୍ଗଳ କାର୍ଯ୍ୟକ୍ରମ ଚଳାଇଥିବାବେଳେ ଓଡିଶା ସରକାର ବି ୨୦୧୮ରେ ଏହି ଅଞ୍ଚଳ ପାଇଁ ୧୫୦କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ।

୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ମାଲକାନଗିରିର ୧୮ ପଞ୍ଚାୟତ ସମତେ ଚିତ୍ରକୋଣ୍ଡା ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଜୋନ୍‍ରେ ସୁରକ୍ଷା କାରଣରୁ ନିର୍ବାଚନ ହୋଇପାରି ନଥିଲା । ତେଣୁ ଚଳିତ ଥର ଏହିସବୁ ଅଞ୍ଚଳରେ ର୍ନିବାଚନ ଯେଭଳି ସୁରୁଖୁରୁରେ ହେବ ତାହା ଉପରେ ନିର୍ବାଚନ କମିଶନ ଗୁରୁତ୍ୱ ଦେଉଛନ୍ତି ।

ତେବେ ଅତି ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ ସିସିଟିଭି ଲଗାଇବାପାଇଁ କମିଶନ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସହିତ ସ୍ୱତନ୍ତ୍ର ଭାବେ ଜଣେ ଭିଡିଓଗ୍ରାଫର ରହିବା ସହିତ ମତଦାନ ଦିନ ପ୍ରତି ବ୍ଲକରେ ଜଣେ କିମ୍ବା ଦୁଇଜଣ ଭିଡିଓଗ୍ରାଫର ମୁତୟନ ହେବେ । ତେବେ ସିସିଟିଭି ଖଞ୍ଜିବା ପୂର୍ବରୁ କମିଶନଙ୍କ ଅନୁମତି ନେବାକୁ ପଡିବ ।

ପଞ୍ଚାୟତ ସ୍ତରରେ ୱାର୍ଡମେମ୍ବର ଓ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ଦାଖଲ ହେଉଥିବାବେଳେ ବ୍ଲକରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମସ୍ତ କାର୍ଯ୍ୟ ସିସିଟିଭିରେ ରେକର୍ଡିଂ କରାଯିବ । ଆଜି ଠାରୁ ଆରମ୍ଭ ହୋଇଥିବା ନାମାଙ୍କନପତ୍ର ଦାଖଲ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଚାଲିବ । ଚୂଡାନ୍ତ ପ୍ରାର୍ଥୀ ତାଲିକା ୨୫ତାରିଖରେ ପ୍ରକାଶ ପାଇବ । ତେବେ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ଯେଉଁମାନେ ମିଥ୍ୟା ସତ୍ୟପାଠ ଦାଖଲ କରିବେ ସେମାନଙ୍କ ବିରୁଦ୍ଧରେ ଆଇନ୍‍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଚଳିତ ତ୍ରିସ୍ତରୀୟ ର୍ନିବାଚନ ପାଇଁ ଆସନ୍ତା ମାସ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମତଦାନ ହେବ । ସକାଳ ୭ରୁ ଦିନ ଗୋଟାଏ ମଧ୍ୟରେ ଲୋକେ ଭୋଟ ଦେବେ । ଫେବୃଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି କରାଯିବ । କୋଭିଡ ସଂକ୍ରମଣ ପାଇଁ ଚଳିତ ର୍ନିବାଚନରେ ସାଧାରଣ ସଭା, ସମାବେଶ, ଶୋଭଯାତ୍ରା ଉପରେ କମିଶନ କଟକଣା ଲଗାଇବା ସହିତ କେବଳ ଡିଜିଟାଲ ପ୍ରଚାରକୁ ଅନୁମତି ଦେଇଛନ୍ତି । (ତଥ୍ୟ)