ଭୁବନେଶ୍ୱର : ଅପରାଧିକ ମାମଲା ଫଏସଲା ହାର ୧୦ ପ୍ରତିଶତରୁ କମ୍ ରହୁଥିବା ଏବଂ ଯେତିକି ବି ମାମଲା ଫଏସଲା ହେଉଛି ସେଥିରୁ ଅଧିକାଂଶରେ ଅଭିଯୁକ୍ତ ଖଲାସ ହୋଇଯାଉଥିବା ଆଇନ୍ଶୃଙ୍ଖଳା ସମସ୍ୟା ବଢାଇ ଚାଲିଛି ।
ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ସର୍ବଶେଷ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଓଡିଶାରେ ମହିଳା ଓ ଶିଶୁଙ୍କ ପ୍ରତି ହିଂସା, ଅର୍ଥନୈତିକ ଅପରାଧ, ଦୁର୍ନୀତି ନିବାରଣ ମାମଲା, ଭାରତୀୟ ଦଣ୍ଡବିଧି ଆଇନ୍ ଅନୁଯାୟୀ ରୁଜୁ ମାମଲା, ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପ୍ରତି ଅତ୍ୟାଚାର ମାମଲା ଆଦିରେ ଫଏସଲା ହାର ଓଡିଶାରେ ଢେର କମ୍ ।
ବିଚାର ପ୍ରତୀକ୍ଷାରେ ଅଦାଲତ ନିକଟରେ ଏହି କିସମର ଯେତେ ମାମଲା ରହୁଛି ସେଥିରୁ ବର୍ଷରେ ୫ ପ୍ରତିଶତ ମାମଲା ବି ଫଏସଲା ହେଉନାହିଁ । ଆଇପିସି ମାମଲା ବର୍ଷରେ ମାତ୍ର ଅଢେଇ ପ୍ରତିଶତ ଫଏସଲା ହେଉଥିବାବେଳେ ମହିଳାମାନଙ୍କ ପ୍ରତି ଘଟୁଥିବା ହିଂସା ମାମଲାର ଫଏସଲା ହାର ୩.୫ ପ୍ରତିଶତରେ ସୀମିତ ।
ଆର୍ଥିକ ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡିକ ମଧ୍ୟରୁ ବର୍ଷରେ ମାତ୍ର ୨.୮ ପ୍ରତିଶତ ଫଏସଲା ହେଉଥିବାବେଳେ ଦୁର୍ନୀତି ନିବାରଣ ଆଇନ୍ ଆଧାରରେ ଥିବା ମାମଲାଗୁଡିକରୁ ବର୍ଷରେ ୪.୬ ପ୍ରତିଶତ ଫଏସଲା ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଏହାଛଡା ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପ୍ରତି ଘଟୁଥିବା ହିଂସା, ନିର୍ଯ୍ୟତନା ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ଫଏସଲା ହାର ଏକ ପ୍ରତିଶତ ବି ନୁହେଁ ।
କ୍ରାଇମ ଇନ୍ ଇଣ୍ଡିଆର ସର୍ବଶେଷ ରିପୋର୍ଟର ତଥ୍ୟ ମୁତାବକ ଓଡିଶାରେ ଆଇପିସି ମାମଲାରେ ଦଣ୍ଡବିଧାନ ହାର ୨୧.୫ ପ୍ରତିଶତ ଥିବାବେଳେ ଦୁର୍ନୀତି ନିବାରଣ ମାମଲାରେ କିନ୍ତୁ ଏହି ହାର ପାଖାପାଖି ୫୦ ପ୍ରତିଶତ ରହୁଛି । ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାରେ ଦଣ୍ଡବିଧାନ ହାର ମାତ୍ର ୧୦ ପ୍ରତିଶତରେ ସୀମିତ ।
ଅପସରପ୍ରାପ୍ତ ବିଚାରପତି, ବରିଷ୍ଠ ଆଇନ୍ଜୀବୀ ଓ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ବିଭିନ୍ନ କାରଣରୁ ଆଇନ୍ ଅଦାଲତରେ ଅପରାଧିକ ମାମଲାଗୁଡିକ ବର୍ଷ ବର୍ଷ ଧରି ଗଡୁଛି । ଫଳରେ ଅନେକ କ୍ଷେତ୍ରରେ ବିଳମ୍ବିତ ବିଚାର ଯୋଗୁଁ ଏହି ମାମଲା ସବୁ ଅଧିକାଂଶ କ୍ଷେତ୍ରରେ ପ୍ରାସଙ୍ଗିକତା ହରାଉଛି । ମାମଲା ବିଚାରରେ ବିଳମ୍ବ ହେବା ଫଳରେ ବହୁ କ୍ଷେତ୍ରରେ ସାକ୍ଷ୍ୟ ପ୍ରମାଣ ମଧ୍ୟ ଦୁର୍ବଳ ହୋଇପଡୁଛି । ଫଳରେ ଅଭିଯୁକ୍ତମାନେ ଦୋଷମୁକ୍ତ ହୋଇ କିମ୍ବା ଜାମିନରେ ଆସି ପୁଣି ଅପରାଧ ଘଟାଉଛନ୍ତି । କୋହଳ ଦଣ୍ଡବିଧାନ ଓ ବିଳମ୍ବିତ ବିଚାର ଯୋଗୁଁ ପେଶାଦାର ଅପରାଧିମାନେ ବେଧଡକ ଆଇନ୍ଶୃଙ୍ଖଳା ସମସ୍ୟା ସୃଷ୍ଟି କରୁଛନ୍ତି ।
ଜନସଂଖ୍ୟା ବୃଦ୍ଧି, ସହରୀକରଣ, ସାଂସ୍କୃତିକ ଓ ନୈତିକ ଅବକ୍ଷୟ, ବେକାରୀ ଆଦି ବିଭିନ୍ନ କାରଣରୁ ଅପରାଧମାନ ବଢୁଛି । ଅପରାଧ ନିୟନ୍ତ୍ରଣ ପାଇଁ କଡା ଆଇନ୍ ଥିଲେ ମଧ୍ୟ ଏହାର ତ୍ୱରିତ ଅନୁପାଳନ ହେଉନଥିବାରୁ ଆଇନ୍ର ଗଳାବାଟ ଦେଇ ଅପରାଧିମାନେ ଖସିଯାଉଛନ୍ତି । ଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ଗଞ୍ଜେଇ, ବ୍ରାଉନସୁଗାର ଓ ଚୋରାମଦ ଭଳି ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ ହେଉଥିବା ସମାଚାର ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି ।
କିନ୍ତୁ ଏ କ୍ଷେତ୍ରରେ ବି ଦଣ୍ଡବିଧାନ ହାର ଢେର କମ ରହୁଥିବାରୁ ଚୋରା ନିଶାବେପାରୀମାନେ ଏକ ପ୍ରକାର ଆଇନ୍କୁ ଖାତିର କରୁନାହାନ୍ତି । ବିଶେଷକରି ଅବକାରୀ ମାମଲାରେ ଦଣ୍ଡବିଧାନ ହାର ୧୦ ପ୍ରତିଶତରୁ କମ୍ ରହିବାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ । ମାମଲାର ତ୍ୱରିତ ଫଏସଲା ସହ ସଠିକ୍ ପରିଚାଳନା ଆଦି ପାଇଁ ରାଜ୍ୟ ସରକାର ୨୦୧୧ରୁ ଓଡିଶା ମାମଲା ନୀତି ପ୍ରଣୟନ କରିଥିଲେ ମଧ୍ୟ ଏହାର ବି ଠିକଣା ଅନୁପାଳନ ହେଉନଥିବା ମାମଲାର ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି । (ତଥ୍ୟ)