ଭୁବନେଶ୍ୱର : ମାମଲା ନୀତିର ସଠିକ ଅନୁପାଳନ ସହ ସରକାରୀ ସ୍ତରରେ ଆପତ୍ତି ଅଭିଯୋଗଗୁଡିକର ଠିକଣା ଭାବେ ତ୍ୱରିତ ଫଏସଲା କରାଯାଇ ପାରିଲେ ମାମଲା ସଂଖ୍ୟା ହ୍ରାସ ପାଇପାରନ୍ତା ବୋଲି ବିଚାର ପ୍ରକ୍ରିୟା ସହ ଜଡିତ ଅଭିଜ୍ଞ ବ୍ୟକ୍ତିମାନେ ମତବ୍ୟକ୍ତ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ପ୍ରାୟ ୧୨ବର୍ଷ ତଳେ ଜାତୀୟ ମାମଲା ନୀତି ପ୍ରସ୍ତୁତ ହୋଇଥିଲା ଏବଂ ଏହି ଆଧାରରେ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ବି ରାଜ୍ୟ ମାମଲା ନୀତି ପ୍ରଣୟନ କରାଯାଇଥିଲା । ଏହି ମାମଲା ନୀତିର ସଠିକ ଅନୁପାଳନ ଲାଗି ୨୦୧୧ ମଇ ୩୦ତାରିଖରେ ଆଇନ୍ ବିଭାଗ ମଧ୍ୟ ସ୍ୱତନ୍ତ୍ର ଗେଜେଟ ବିଜ୍ଞପ୍ତି ଜାରି କରିଥିଲା ।
ମାମଲା ନୀତିର ଚତୁର୍ଥ ଅନୁଚ୍ଛେଦ ଅନୁଯାୟୀ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବି ଗଢାଯାଇଥିଲା । ଏହି କମିଟି ଆଇନ୍ ବିଭାଗ ସମେତ ଅନ୍ୟ କେତେକ ବିଭାଗରେ ବରିଷ୍ଠ ଅଧିକାରୀ ସଦସ୍ୟ ରହିଥିଲେ ଏବଂ ଅନୁରୂପ ଭାବେ ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ବି କମିଟିମାନ ଗଢାଯାଇଥିଲା । ତେବେ ନିୟମିତ ବ୍ୟବଧାନରେ ଏହି କମିଟିଗୁଡିକର ବୈଠକ ଅନୁଷ୍ଠିତ ହେଉନାହିଁ । ଫଳରେ ମାମଲା ସଂଖ୍ୟା ହ୍ରାସ କରିବାପାଇଁ ମାମଲାନୀତିରେ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ଏକ ପ୍ରକାର ପରାହତ ହେଉଛି ।
ମାମଲା ନୀତି ପ୍ରଣୟନ ପରେ କେବଳ ଓଡିଶାରେ ନୁହେଁ ଜାତୀୟ ସ୍ତରରେ ବି ମାମଲା ସଂଖ୍ୟା କମିବା ପରିବର୍ତ୍ତେ ବଢି ବଢି ଚାଲୁଛି । ଏହି ନୀତିରେ ଥିବା ବ୍ୟବସ୍ଥାନୁଯାୟୀ ସୀମିତ ସମୟ ମଧ୍ୟରେ ୫ବର୍ଷରୁ ପୁରୁଣା ମାମଲାଗୁଡିକର ଫଏସଲା ସହ ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଇ ଲୋକଙ୍କୁ ମାମଲାର ହରଡଘଣାରୁ ଉଦ୍ଧାର କରାଯିବାକଥା ।
ଏବେ ସାରା ଦେଶରେ ପ୍ରାୟ ସାଢେ ଚାରିକୋଟି ମାମଲା ବିଚାରାଧିନ ରହିଥିବାବେଳେ ଓଡିଶାରେ ଏହି ସଂଖ୍ୟା ପ୍ରାୟ ୧୭ଲକ୍ଷ ବୋଲି ସରକାର ସ୍ୱୀକାର କରୁଛନ୍ତି । ଏହି ମାମଲାଗୁଡିକ ମଧ୍ୟରୁ ୧୨ଲକ୍ଷରୁ ଉର୍ଦ୍ଧ୍ୱ ହେଉଛି ଫୌଜଦାରୀ ମାମଲା । ସେଥି ମଧ୍ୟରୁ ୫ବର୍ଷରୁ ପୁରୁଣା ଫୋଜାଦାରୀ ମାମଲା ସଂଖ୍ୟା ଆମ ରାଜ୍ୟରେ ୪ଲକ୍ଷ ୭୫ହଜାରରୁ ଅଧିକ । କେନ୍ଦ୍ର ସରକାରଙ୍କ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ମୁତାବକ ଓଡିଶାରେ ଯେତେ ଆଇପିସି ମାମଲା ବିଚାର ପ୍ରତୀକ୍ଷାରେ ରହୁଛି ବର୍ଷକରେ ତାହାର ୫ ପ୍ରତିଶତ ମଧ୍ୟ ଫଏସଲା ହେଉନାହିଁ । ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ରୁଜୁ ମାମଲାର ଫଏସଲା ସଂଖ୍ୟା ବାର୍ଷିକ ୪ ପ୍ରତିଶତରୁ କମ୍ ଏବଂ ଏଥିରେ ଦଣ୍ଡବିଧାନ ହାର ଅତ୍ୟନ୍ତ ନୈରାଶ୍ୟଜନକ । ଏମିତିକି ହଜାର ହଜାର ସଂଖ୍ୟକ ଅପରାଧିକ ମାମଲା ୧୦ରୁ ୩୦ବର୍ଷ କିମ୍ବା ତଦୁର୍ଧ ସମୟ ଧରି ଗଡୁଛି ।
ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍)କୁ ଉଚ୍ଛେଦ କରାଯିବାପରେ ଓଡିଶା ହାଇକୋର୍ଟରେ ମାମଲା ଚାପା ଢେର ବଢିଛି । ଏବେ ହାଇକୋର୍ଟରେ ଯେତେ ବିଚାରାଧିନ ମାମଲା ରହିଛି ତାହାର ଅନ୍ୟୁନ ଏକ ତୃତୀୟାଂଶ ଚାକିରି ଓ ପେନସନ ସଂକ୍ରାନ୍ତୀୟ ମାମଲା ବୋଲି ବରିଷ୍ଠ ଆଇନ୍ଜୀବୀମାନେ କହୁଛନ୍ତି । ବିଭାଗୀୟ ସ୍ତରରେ ସକରାତ୍ମକ ମନୋଭାବ ନେଇ ଆଇନାନୁମୋଦିତ ପନ୍ଥାରେ ଅଭିଯୋଗଗୁଡିକର ତ୍ୱରିତ ଫଏସଲା ସୀମିତ ସମୟ ମଧ୍ୟରେ କରାଯାଇ ପାରିଲେ ଏଥି ମଧ୍ୟରୁ ଅନ୍ୟୁନ ୭୦ ପ୍ରତିଶତ ମାମଲା ପ୍ରତ୍ୟାହୃତ ହୋଇପାରନ୍ତା । ତେବେ ବହୁ କ୍ଷେତ୍ରରେ ତଳ ସ୍ତରର ଅମଲାତନ୍ତ୍ର ପେଞ୍ଚ ମୋଡିବା ଯୋଗୁଁ ଆଇନ୍ ଅଦାଲତରେର ମାମଲା ସଂଖ୍ୟା ବଢୁଛି । କେବଳ ସେତିକି ନୁହେଁ ମାମଲା ନୀତିରେ ମାମଲା ସଂଖ୍ୟା ହ୍ରାସପାଇଁ ଯେତେସବୁ କଥା କୁହାଯାଇଛି ତାହାର ଅନୁପାଳନ ବିଭାଗୀୟ ସ୍ତରରେ ସମ୍ପୂର୍ଣ୍ଣ ଭାବେ କରାଯାଉନଥିବାରୁ ଅମଲାତନ୍ତ୍ର ବିଚାରାଳୟ ଆଡକୁ ଏକ ପ୍ରକାର ମାମଲାର ଚାପ ଠେଲି ଚାଲିଛି ବୋଲି ବରିଷ୍ଠ ଆଇନଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)