Home Assembly ମାଗଣା ପୋଷାକ ପାଇଁ ମୁଣ୍ଡପିଛା ୧୦୦୦

ମାଗଣା ପୋଷାକ ପାଇଁ ମୁଣ୍ଡପିଛା ୧୦୦୦

ଭୁବନେଶ୍ୱର : ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାର ଯୋଗାଇ ଦେଉଥିବା ହଳେ ପୋଷାର ଦାମ୍‍ ୨୫୦ ଟଙ୍କାରୁ ୨୭୫ ଟଙ୍କା ମଧ୍ୟରେ ରହୁଛି । ସେହିଭଳି ପିଲାମାନଙ୍କୁ ୩୦ ଟଙ୍କାରେ ଗୋଟିଏ ଟୋପି ଓ ୨୦୦ ଟଙ୍କାରେ ହଳେ ଜୋତା ସହିତ ଦୁଇ ହଳ ମୋଜା ମିଳୁଛି ।

ଛାତ୍ରଛାତ୍ରୀଙ୍କୁ ସରକାର ଯୋଗାଇ ଦେଉଥିବା ପୋଷାକ ସଂକ୍ରାନ୍ତରେ ବିଜପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ସରକାରୀ ସ୍କୁଲ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲମାନଙ୍କର ପଢୁଥିବା ମୋଟ୍‍ ୪୪,୩୯,୬୦୨ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷା ପାଇଁ ମୁଣ୍ଡପିଛା ୧୦୦୦ ଟଙ୍କା ହାରରେ ଚଳିତ ବର୍ଷ ମୋଟ ୪୪୩ କୋଟି ୯୬ ଲକ୍ଷ ୨ହଜାର ଟଙ୍କା ଖର୍ଚ୍ଚ କରାଯାଇଛି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ମୋଟ୍‍ ୪୪ଲକ୍ଷ ୩୯ଜୋର ୬୦୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ଯୋଗାଇ ଦିଆଯାଇଥିଲା ଏମାନଙ୍କ ମଧ୍ୟରୁ ୪୩ଲକ୍ଷ ୩୯ହଜାର ୬୦୨ ଜଣ ଛାତ୍ରଛାତ୍ରୀ ପୋଷାକ ଗ୍ରହଣ କରିଛନ୍ତି । ପୋଷାକ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବାଧିକ ରହିଛନ୍ତି ଗଞ୍ଜାମ ଜିଲ୍ଲାରେ । ଏହି ଜିଲ୍ଲାରେ ପାଖାପାଖି ୪ଲକ୍ଷ ପିଲା ପୋଷାକ ପାଇଥିବାବେଳେ ବାଲେଶ୍ୱରରେ ୩ଲକ୍ଷ ୧୩ହଜାର ଛାତ୍ରଛାତ୍ରୀ ରହିଛନ୍ତି । ସବୁଠାରୁ କମ୍‍ ୪୧ ହଜାର ୯୧୯ ଜଣ ଛାତ୍ରଛାତ୍ରୀ ଝାରସୁଗୁଡା ଜିଲ୍ଲାରେ ରହିଛନ୍ତି ।

ଏହି ସୂଚନା ଅନୁଯାୟୀ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୁଣ୍ଡପିଛା ୧୦୦୦ ଯୋଗାଇ ଦିଆଯାଉଥିବାବେଳେ ଏଥିରେ ୨ହଳ ପୋଷାକ ରହିଛି । ଏଥିପାଇଁ ୫୦୦ ଟଙ୍କା ଖର୍ଚ୍ଚ ହେଉଛି । ଏଥି ସହିତ ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟି ସାର୍ଟ, ୧୨୫ ଟଙ୍କା ମୂଲ୍ୟର ଗୋଟିଏ ଟ୍ରାକ୍‍ ପ୍ୟାଣ୍ଟ, ୨୦୦ ଟଙ୍କା ମୂଲ୍ୟରେ ଏକ ହଳ ଜୋତା ସହିତ ୨ହଳ ମୋଜା, ୩୦ଟଙ୍କା ମୂଲ୍ୟର ଗୋଟିଏ ଟୋପି ଏବଂ ୨୦ ଟଙ୍କାରେ ପ୍ରସ୍ତୁତ ଗୋଟିଏ ପରିଚୟପତ୍ର ଯୋଗାଇ ଦିଆଯାଉଛି ।

ମାଧ୍ୟମିକ ଶ୍ରେଣୀର ପିଲାମାନଙ୍କୁ ଟୋପି ଓ ପରିଚୟପତ୍ର ଯୋଗାଣରୁ ବାଦ୍‍ ଦିଆଯାଉଛି । ଫଳରେ ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପୋଷାକ ଖର୍ଚ୍ଚ ୫୦ ଟଙ୍କା ବୃଦ୍ଧି କରାଯାଇଛି । ଏମାନଙ୍କର ଦୁଇ ହଜାର ପୋଷାକ ପାଇଁ ୫୫୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଉଭୟ ଟିସାର୍ଟ ଓ ଟ୍ରାକ ପ୍ୟାଣ୍ଟ ପାଇଁ ୧୨୫ ଟଙ୍କା କରି ଯୋଗାଇ ଦିଆଯାଉଛି । ସେହିଭଳି ଏକ ହଳ ଜୋତା ସହିତ ଦୁଇ ହଜାର ମୋଜା ବାବଦରେ ୨୦୦ ଟଙ୍କା ବ୍ୟୟ ହେଉଛି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଚଳିତବର୍ଷ ଫେବୃୟାରୀ ମାସ ସୁଦ୍ଧା ଶତ ପ୍ରତିଶତ ପୋଷାକ ବଣ୍ଟନ କରାଯାଇଛି । (ତଥ୍ୟ)