Home Agriculture ମହୁ ମିଶନରେ ୨୬୭ ଉପକୃତ

ମହୁ ମିଶନରେ ୨୬୭ ଉପକୃତ

ଭୁବନେଶ୍ୱର : ଜାତୀୟ ମହୁମାଛି ପାଳନ ଓ ମହୁ ମିଶନରେ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ୫୫ହଜାରରୁ ଅଧିକ ହିତାଧିକାରୀ ଉପକୃତ ହୋଇଥିବାବେଳେ ଓଡିଶାରୁ ଓଡିଶାରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଜରିଆରେଉପକୃତଙ୍କ ସଂଖ୍ୟା ରହିଛି ମାତ୍ର ୨୬୭ । ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନରେ ଏହି ହିତାଧିକାରୀମାନେ ଉପକୃତ ହୋଇଥିବା ଜଣାଯାଇଛି ।

କେନ୍ଦ୍ର ସରକାର ସମଗ୍ର ଦେଶରେ ମହୁ ମିଶନ କାର୍ଯ୍ୟକାରୀ କରୁଛନ୍ତି । ୨୦୨୦-୨୧ ରୁ ୨୦୨୨-୨୩ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେଉଥିବାବେଳେ ଏଥିରେ ୫୫,୨୩୭ ଜଣ ସିଧାସଳଖ ଉପକୃତ ହୋଇଛନ୍ତି । ଏହି ମିଶନରେ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ, ତାଲିମ, କର୍ମଶାଳା, ଆଲୋଚନଚକ୍ର, ମହୁମାଛି ମାନଙ୍କ ପାଇଁ ଜୈବ ବିବିଧତା ସୃଷ୍ଟି, ମହୁ ପରୀକ୍ଷା ଲାବରୋଟାରୀ, ମହିଳା ମହୁଚାଷୀମାନଙ୍କୁ ସଶକ୍ତିକରଣ, ଭିତ୍ତିଭୂମିର ବିକାଶ ଆଦି କରାଯାଇଛି ।

ଏହି ସମୟ ମଧ୍ୟରେ ୫୫,୨୩୭ ଜଣ ହିତାଧିକାରୀ ସିଧାସଳଖ ଭାବେ ଉପକୃତ ହୋଇଥିବାବେଳେ ୧୩,୫୭୪ ମହୁଚାଷୀ, ମହୁଚାଷ କରୁଥିବା ସମିତି, ଫାର୍ମ, କମ୍ପାନୀ ଆଦି ‘ମଧୁକ୍ରାନ୍ତି’ ପୋର୍ଟାଲରେ ନିଜକୁ ପଞ୍ଜିକୃତ କରିଛନ୍ତି । ଜାତୀୟ ମହୁ ମିଶନର ମାର୍ଗଦର୍ଶନ ଆଧାରରେ ବିଭିନ୍ନ ସଂସ୍ଥାକୁ ପ୍ରକଳ୍ପ ମଞ୍ଜୁରୀ ହେବା ସହିତ ଏହାକୁ କାର୍ଯ୍ୟକାରୀ କରାଯାଉଛି ।

ଓଡିଶାରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଜରିଆରେ ଏହା କାର୍ଯ୍ୟକାରୀ ହେଉଥିବାବେଳେ ମାତ୍ର ୨୬୭ ଜଣ ହିତାଧିକାରୀ ସିଧାସଳଖ ଉପକୃତ ହୋଇଛନ୍ତି । ତେବେ ଏହି ସମୟରେ ଉତ୍ତରାଖଣ୍ଡରେ ୬୦୭୯ଜଣ ହିତାଧିକାରୀ ଉପକୃତ ହୋଇଥିବାବେଳେ ମଣିପୁରରେ ୧୫୪୬, ଜାମ୍ମୁକାଶ୍ମୀରରେ ୧୧୨୪, ଗୁଜୁରାଟରେ ପ୍ରାୟ ୧୦୦୦, ରାଜସ୍ଥାନରେ ୬୪୫ ଓ ତେଲେଙ୍ଗାନାରେ ୮୮୧ ଜଣ ଉପକୃତ ହୋଇଛନ୍ତି ।

ଦେଶରେ ଏହି ମିଶନ କାର୍ଯ୍ୟକାରୀ ହେବାପରେ ମହୁ ଉତ୍ପାଦନ ୬.୫୬ ପ୍ରତିଶତ ବୃଦ୍ଧି ପାଇ ୨୦୨୦-୨୧ ରେ ୧.୨୫ଲକ୍ଷ ମେଟ୍ରିକ ଟନ୍‍ରୁ ବୃଦ୍ଧି ପାଇଁ ୨୦୨୧-୨୨ ବର୍ଷରେ ୧,୩୩,୨୦୦ ମେଟ୍ରିକ ଟନ୍‍ରେ ପହଞ୍ଚିଛି । ଏହାଦ୍ୱାରା ମହୁ ଚାଷୀମାନଙ୍କର ଆୟ ବୃଦ୍ଧି ପାଇଥିବାବେଳେ ମହୁ ରପ୍ତାନି ମଧ୍ୟ ୨୪ ପ୍ରତିଶତ ବଢିଛି । ୨୦୨୦-୨୧ ବର୍ଷରେ ଭାରତରୁ ୫୯,୯୯୯ ଟନ୍‍ ମହୁ ରପ୍ତାନି ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୭୪,୪୧୩ ମେଟ୍ରିକ ଟନ୍‍କୁ ବୃଦ୍ଧି ପାଇଥିଲା । ମିଶନ ଅଧିନରେ ୪ଟି ବିଶ୍ୱସ୍ତରୀୟ ମହୁ ପରୀକ୍ଷା ଲାବରୋଟାରୀ ସହିତ ମୋଟ୍‍ ୩୧ଟି ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ମଞ୍ଜୁର ହୋଇଛି ।

ସେହିଭଳି ସ୍ୱୟଂ ସହାୟକ ଗୋଷ୍ଠି, କୃଷି ଉତ୍ପାଦକ ସଂଗଠନ (ଏଫ୍‍ପିଓ), ମହୁଚାଷୀ ସମିତି ଓ ମହାସଂଘ ଆଦିକୁ ସହାୟତା ପ୍ରଦାନ କରାଯାଉଛି । ଶହେଟି ମହୁ ଏଫ୍‍ପିଓ ମଧ୍ୟରୁ ୮୦ଟି ଟ୍ରାଇଫେଡ୍‍, ନାଫେଡ୍‍ ଏବଂ ଏନ୍‍ଡିଡିବି ଆଦି ନିକଟରେ ନିଜକୁ ପଞ୍ଜିକୃତ କରିଥିବାବେଳେ ଏହି ଏଫ୍‍ପିଓମାନଙ୍କର ଆୟ ବୃଦ୍ଧି ଲାଗି ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଦେଶରେ ବାର୍ଷିକ ୧.୬୦ଲକ୍ଷ ଟନ୍‍ ମହୁ ଉତ୍ପାଦନ ପାଇଁ ମିଶନ ଜରିଆରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ, ତାଲିମ, କର୍ମଶାଳା, ଆଲୋଚନାଚକ୍ର ସହିତ ମହୁମାଛି ଉତ୍ପାଦନ ଓ ବୃକ୍ଷରୋପଣ ଉପରେ ଜୋର ଦିଆଯାଉଛି । ୨୦୨୧ ବର୍ଷରେ ମଧୁକ୍ରାନ୍ତି ପୋର୍ଟାଲ ର ଶୁଭାରମ୍ଭ ହୋଇଥିବାବେଳେ ଏହା ଜରିଆରେ ମହୁଚାଷୀ, ସମିତି, କମ୍ପାନୀ ଓ ଫାର୍ମଗୁଡିକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ପଞ୍ଜିକୃତ ହେବଲାଗି ପ୍ରୋତ୍ସାହନ କରାଯାଉଛି । (ତଥ୍ୟ)