Home Judiciary ହାଇକୋର୍ଟରେ ହାଜର ହେଲେ ଜିଲ୍ଲାପାଳ

ହାଇକୋର୍ଟରେ ହାଜର ହେଲେ ଜିଲ୍ଲାପାଳ

କଟକ : ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଆବେଦନକାରୀଙ୍କ ଦରଖାସ୍ତକୁ ନାମଞ୍ଜୁର କରିବା ଘଟଣାରେ କେନ୍ଦୁଝର ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ବ୍ୟକ୍ତିଗତ ଭାବେ ଅଦାଲତରେ ହଜାର ହେବାକୁ ପଡିଛି ।

ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦୁଝର ଜିଲ୍ଲାରେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସମ୍ପୃକ୍ତ ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ସମୟସୀମା ମଧ୍ୟରେ ଆବେଦନ କରିଥିଲେ । ତତ୍କାଳୀନ କେନ୍ଦୁଝର ଜିଲ୍ଲାପାଳ ମୃତ କର୍ମଚାରୀଙ୍କ ପରିବାର ଆର୍ଥିକ ଦୁସ୍ଥିତି ଦେଇ ଗତି କରୁଥିବା ଘେନି ସାର୍ଟିଫିକେଟ ଦେଇଥିଲେ । ତେବେ ବର୍ଷ ବର୍ଷ ଧରି ଚାକିରି ନମିଳିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ମାମଲାର ବିସ୍ତୃତ ଶୁଣାଣି କରି ୧୯୯୦ର ଅନୁକମ୍ପାମୂଳକ ନିଯୁକ୍ତି ବଳବତ୍ତର ଥିବା ସମୟରେ ସମ୍ପୃକ୍ତ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଏବଂ ସମୟସୀମା ମଧ୍ୟରେ ତାଙ୍କ ଉତ୍ତରାଧିକାରୀ ଚାକିରି ପାଇଁ ଆବେଦନ କରିଥିବା ପରିପ୍ରେକ୍ଷୀରେ ଆର୍ଥିକ ଦୁସ୍ଥିତି ରିପୋର୍ଟ ଆଧାରରେ ପୁରୁଣା ଆଇନ ଅନୁଯାୟୀ ଆବେଦନକାରୀଙ୍କ ଦାବିର ପୁର୍ନବିଚାର କରିବାକୁ ହାଇକୋର୍ଟ କହିଥିଲେ । ଏ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟ କେତେକ ମାମଲାରେ ଦେଇଥିବା ରାୟକୁ କେନ୍ଦୁଝର ଜିଲ୍ଲାପାଳ ନଜିର ଭାବେ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଥିଲା ।

ହାଇକୋର୍ଟଙ୍କ ରାୟ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଏ ସଂକ୍ରାନ୍ତରେ କେନ୍ଦୁଝର ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଥିଲେ ଏବଂ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ଲୋଡାଯାଇଥିବାବେଳେ କୌଣସି ଉତ୍ତର ଆସିନଥିବାରୁ ଆବେଦନକାରୀଙ୍କ ଦାବିକୁ ଜିଲ୍ଲାପାଳ ନାକଚ କରିଦେବାରୁ ଏହା ବିରୁଦ୍ଧରେ ସେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

କେନ୍ଦୁଝର ଜିଲ୍ଲାପାଳଙ୍କ ଏଭଳି ଆଦେଶନାମା ହାଇକୋର୍ଟଙ୍କ ରାୟର ବିରୁଦ୍ଧାଚରଣ କରୁଥିବା ଦୃଷ୍ଟିରୁ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତଭାବେ ହାଜର ହେବାପାଇଁ ହାଇକୋର୍ଟ ନିର୍ଦ୍ଦେଶ ଜାରି ଦେଇଥିଲେ । ତଦନୁଯାୟୀ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଠାକ୍‍ରେ ଗତକାଲି ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ଉପସ୍ଥିତ ରହି ସତ୍ୟପାଠ ଦାଖଲ କରିଥିଲେ ।

ଅନ୍ୟତମ ବିଚାରପତି ଏ. କେ. ମହାପାତ୍ର ମାମଲାର ବିସ୍ତୃତ ଶୁଣାଣି କରିବାବେଳେ ଜିଲ୍ଲାପାଳ ତାଙ୍କ ପୂର୍ବ ଆଦେଶ ପାଇଁ ଦୁଃଖ ପ୍ରକାଶ କରିବା ସହିତ ଏହି ଆଦେଶନାମାକୁ ଇତିମଧ୍ୟରେ ସେ ପ୍ରତ୍ୟାହାର କରିନେଇଥିବା ଘେନି ସୂଚାଇଥିଲେ ଏବଂ କୋର୍ଟଙ୍କ ରାୟର ଅନୁପାଳନ ଲାଗି ଅଧିକ ସମୟ ପାଇଁ ପ୍ରାର୍ଥନା କରିଥିଲେ । ବିଚାରପତି ଶ୍ରୀ ମହାପାତ୍ର ଏ ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ଅଧିକ ସମୟ ପ୍ରଦାନ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ମଳୟାନନ୍ଦ ସେଠୀ ମାମଲାରେ ନିକଟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ୨୦୨୦ର ନୂଆ ଅନୁକମ୍ପାମୂଳକ ନିଯୁକ୍ତି ଆଇନ ଆସିବା ପୂର୍ବରୁ ପୁରୁଣା ଆଇନ ବଳବତ୍ତର ଥିବା ସମୟରେ ଯେଉଁ ସରକାରୀ କର୍ମଚାରୀମାନଙ୍କ ମୃତ୍ୟୁ ଘଟିଛି ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯେଉଁମାନେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ଯଦି ସେମାନେ ଆର୍ଥିକ ଦୁଃସ୍ଥିତି, ଯୋଗ୍ୟତା ଓ ଅନ୍ୟାନ୍ୟ କାରଣରୁ ଚାକିରି ପାଇଁ ଯୋଗ୍ୟ ତେବେ ସେମାନଙ୍କୁ ପୁରୁଣା ଆଇନ ଆଧାରରେ ହିଁ ନିଯୁକ୍ତି ଦିଆଯିବ । ରାଜ୍ୟ ସରକାର ମଧ୍ୟ ଆଇନ ବିଭାଗର ପରାମର୍ଶକ୍ରମେ ମଳୟାନନ୍ଦ ସେଠୀଙ୍କୁ ଇତିମଧ୍ୟରେ କନିଷ୍ଠ କିରାଣି ଚାକିରିରେ ନିଯୁକ୍ତି ଦେଇଛନ୍ତି ।

ଏସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟଙ୍କ ଆଉ ଅନେକ ମାମଲାର ରାୟ ଆଧାରରେ ନିଯୁକ୍ତି ଦିଆଯାଇଥିବାବେଳେ କେତେକ ସ୍ଥଳରେ କିନ୍ତୁ ଆଇନ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ନିଯୁକ୍ତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି । ଏମିତିକି କେନ୍ଦୁଝର ଜିଲ୍ଲାପାଳଙ୍କ ଭଳି ଆଉ କେତେକ ନିଯୁକ୍ତିଦାତା ଏଭଳି ଆବେଦନକୁ ନାକଚ କରିଦେଉଛନ୍ତି । ଆଇନ ବିଷାରଦମାନେ କହୁଛନ୍ତି ଯେ ଏ କ୍ଷେତ୍ରରେ କେତେକ ଅଧିକାରୀ ଠିକଣା ଭାବେ ଆଇନ ଓ ନ୍ୟାୟାଳୟ ଆଦେଶର ଅନୁପାଳନ ନକରି ଆଖିବୁଜା ଆବେଦନପତ୍ରଗୁଡିକୁ ନାକଚ କରିଦେଉଥିବା ଫଳରେ ମାମଲା ସଂଖ୍ୟା ବଢୁଛି ଏବଂ ଅଧିକାରୀମାନଙ୍କୁ ବି ଆଇନ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବା ସହିତ ଅଦାଲତ ଅବମାନନା ମାମଲାର ସମ୍ମୁଖୀନ ହେବାକୁ ପଡୁଛି । (ତଥ୍ୟ)