Home Judiciary ମହିଳା ହିଂସାରେ ଦଣ୍ଡବିଧାନ ପ୍ରାୟ ୧୦ ପ୍ରତିଶତ

ମହିଳା ହିଂସାରେ ଦଣ୍ଡବିଧାନ ପ୍ରାୟ ୧୦ ପ୍ରତିଶତ

ଭୁବନେଶ୍ୱର : ସାମାଜିକ, ଆର୍ଥିକ ଓ ଅନ୍ୟାନ୍ୟ କାରଣରୁ ଓଡିଶା ସମେତ ସମଗ୍ର ଦେଶରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଥିବାବେଳେ ଏଭଳି ଜଘନ୍ୟ ଘଟଣାରେ ଅପରାଧିମାନଙ୍କ ପ୍ରତି ଦଣ୍ଡବିଧାନ ହାର ଢେର କମ୍‍ ରହୁଛି । ଜାତୀୟ ସ୍ତରରେ ମହିଳା ବିରୋଧି ଅପରାଧରେ ଦଣ୍ଡବିଧାନ ହାର ୨୫ ପ୍ରତିଶତରେ ସୀମିତ ରହୁଥିବାବେଳେ ଓଡିଶାରେ ଏହା ପ୍ରାୟ ୧୦ ପ୍ରତିଶତ ରହିବା ଆଇନ୍‍ଶୃଙ୍ଖଳା ବ୍ୟବସ୍ଥା ତଥା ନାରୀମାନଙ୍କ ନିରାପତ୍ତା ପାଇଁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଓଡିଶାରେ ଯେତେ ସଂଖ୍ୟକ ମହିଳା ବିରୋଧି ମାମଲା ବିଚାର ପ୍ରତୀକ୍ଷାରେ ରହୁଛି ବର୍ଷରେ ତାହାର ୫ ପ୍ରତିଶତ ମଧ୍ୟ ଫଏସଲା ହୋଇପାରୁନାହିଁ । ଯେତିକି ବି ମାମଲା ଫଏସଲା ହେଉଛି ସେଥିରେ ଅଭିଯୁକ୍ତମାନଙ୍କ ପ୍ରତି ଦଣ୍ଡବିଧାନ ହାର ଅତି ନଗଣ୍ୟ ।

୨୦୧୭ରେ ଓଡିଶାରେ ମହିଳାଙ୍କ ପ୍ରତି ଘଟିଥିବା ବିଭିନ୍ନ ଅପରାଧରେ ଦଣ୍ଡବିଧାନ ହାର ୭.୪ ପ୍ରତିଶତ ଥିବାବେଳେ ୨୦୧୮ରେ ଏହା ୮.୩ ପ୍ରତିଶତ ଥିଲା । ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ମୁତାବକ ୨୦୧୯ ମସିହାରେ ଆମ ରାଜ୍ୟରେ ଏଭଳି ସମ୍ବେଦନଶୀଳ ମାମଲାରେ ଦଣ୍ଡବିଧାନ ହାର ୯.୨ ପ୍ରତିଶତ ଥିବାବେଳେ ୨୦୨୦ ରେ ତାହା ପୁଣି ୮.୩ ପ୍ରତିଶତକୁ ହ୍ରାସ ପାଇଥିଲା । ୨୦୨୧ ବର୍ଷରେ ଏହି ହାର ପ୍ରାୟ ୧୦ ପ୍ରତିଶତ ବୋଲି କୁହାଯାଉଛି ।

ମାମଲା ପରିଚାଳନାରେ ଦୁର୍ବଳତା, ପୁଲିସ୍‍ ତଦନ୍ତରେ ତ୍ରୁଟି ବିଚ୍ୟୁତି, ମାମଲା ଫଏସଲାରେ ଅହେତୁକ ବିଳମ୍ବ, ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ ଓ ନଷ୍ଟ କରାଯିବା ଆଦି ବିଭିନ୍ନ କାରଣ ଯୋଗୁଁ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧଗୁଡିକରେ ଦଣ୍ଡବିଧାନ ହାର ଢେର କମ୍‍ ରହୁଛି ।

ବଦଳୁଥିବା ପରିସ୍ଥିତିରେ ନିଶା ସହ ହିଂସାର ବୃଦ୍ଧି ଏବଂ ଆର୍ଥିକ ଓ ସାମାଜିକ ବ୍ୟବସ୍ଥାରେ ଅବକ୍ଷୟ, ମହିଳାଙ୍କ ପ୍ରତି ହିଂସା ରୋକିବାରେ ରାଜନୈତିକ ଓ ଧାର୍ମିକ ସଂଗଠନଗୁଡିକର ଆନ୍ତରିକତାର ଅଭାବ ଆଦି ବିଭିନ୍ନ କାରଣରୁ ବର୍ଷକୁ ବର୍ଷ ଏହି ସମସ୍ୟା ଉତ୍କଟତର ହେବାରେ ଲାଗିଛି । ଗୋଟିଏ ବର୍ଷରେ ଯେତେ ସଂଖ୍ୟକ ମହିଳା ବିରୋଧି ଅପରାଧ ସଂକ୍ରାନ୍ତୀୟ ନୂଆ ମାମଲା ଯୋଡି ହେଉଛି ପଡି ରହିଥିବା ମାମଲା ମଧ୍ୟରୁ ତାହାର ଏକ ଚତୁର୍ଥାଂଶ ମଧ୍ୟ ଫଏସଲା ହେଉନାହିଁ ।

ଗୋଟିଏ ପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମହିଳା ବିକାଶ ପାଇଁ ନାରୀ ସଶକ୍ତିକରଣ ସହ ସ୍ୱତନ୍ତ୍ର ବିଭାଗମାନ ଖୋଲି ବ୍ୟାପକ ବଜେଟ୍‍ ବ୍ୟବସ୍ଥା କରୁଥିବାବେଳେ ଅନ୍ୟ ପକ୍ଷରେ କିନ୍ତୁ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାଗୁଡିକର ତ୍ୱରିତ ଫଏସଲା କରିବା କ୍ଷେତ୍ରରେ ବିଚାର ବିଭାଗ ସେତେ ସମର୍ଥ ହେଉନାହିଁ । ଯେତେ କମ୍‍ ମାମଲାରେ ଦଣ୍ଡବିଧାନ ହେଉଛି ସେଥିରୁ ଅଧିକାଂଶରେ ଅଭିଯୁକ୍ତ ଓ ଅପରାଧିମାନେ ଦଣ୍ଡବିଧାନ ବିରୁଦ୍ଧରେ ଉପର ଅଦାଲତରେ ଅପିଲ କରି ରହିତାଦେଶ ହାସଲ କରିବା ସହ ବେଧଡକ ବୁଲୁଛନ୍ତି । ଏହା ଫଳରେ ଅପରାଧିମାନଙ୍କର ଡର, ଭୟ କିଛି ରହୁନାହିଁ ।

ଗୋଟିଏ ପଟେ ମହିଳାଙ୍କ ପ୍ରତି ଅପରାଧ ବଢି ଚାଲିଥିବାବେଳେ ଅନ୍ୟ ପଟେ ମହିଳମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବା ଆମ ବ୍ୟବସ୍ଥା ପାଇଁ ବଡ ଆହ୍ୱାନ ଭାବେ ଛିଡା ହୋଇଛି । ବରିଷ୍ଠ ଆଇନ୍‍ଜୀବୀମାନେ କହୁଛନ୍ତି ଯେ ବର୍ଷ ବର୍ଷ ଧରି ଏଭଳି ସମ୍ବେଦନଶୀଳ ମାମଲା ଗଡି ଚାଲିବା ଫଳରେ ସାକ୍ଷୀ ଓ ତଦନ୍ତକାରୀ ଅଧିକାରୀମାନେ ଠିକଣା ସମୟରେ ଅଦାଲତରେ ସାକ୍ଷ୍ୟ ପ୍ରମାଣ ଦେଇପାରୁ ନଥିବାରୁ ଏଭଳି ମାମଲାରେ ସରକାରଙ୍କୁ ପ୍ରାୟ ୯୦ ପ୍ରତିଶତ କ୍ଷେତ୍ରରେ ହାରିବାକୁ ପଡୁଛି । (ତଥ୍ୟ)