ଭୁବନେଶ୍ୱର : ରାଜ୍ୟରେ କର୍ମଜୀବୀ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସେମାନଙ୍କ ପାଇଁ ଆବଶ୍ୟକ ହଷ୍ଟେଲ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟରେ ସରୁନାହିଁ । ଏପରିକି ସାତଟି ମହିଳା ହଷ୍ଟେଲର ନିର୍ମାଣ କାର୍ଯ୍ୟ ୨୦ବର୍ଷ ଧରି ସରୁନଥିବା ସିଏଜିଙ୍କ ନଜରକୁ ଆସିଛି ।
ମହିଳା କର୍ମଚାରୀଙ୍କ ପାଇଁ ହଷ୍ଟେଲ ଯୋଜନାର ପରିକଳ୍ପନା ୧୯୭୨-୭୩ ମସିହାରେ ଆରମ୍ଭ ହୋଇଥିଲା । ଏଥିରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର କର୍ମଜୀବୀ ମହିଳାଙ୍କୁ ରଖିବାର ବ୍ୟବସ୍ଥା ଥିଲା । ତେବେ ଦେଖାଗଲା ଯେ ୨୦୧୧-୧୨ ରେ ଓଡିଶାର ଗ୍ରାମାଞ୍ଚଳରେ ନିୟମିତ ମହିଳା ଶ୍ରମଜୀବୀଙ୍କ ସଂଖ୍ୟା ୩.୩ ପ୍ରତିଶତ ଥିବାବେଳେ ୨୦୧୭-୧୮ ରେ ତାହା ୯.୫ ପ୍ରତିଶତକୁ ବୃଦ୍ଧି ପାଇଥିଲା । ସେହିଭଳି ସହରାଞ୍ଚଳରେ ଏହି ସଂଖ୍ୟା ୨୭.୧ ରୁ ୪୬.୫ ପ୍ରତିଶତକୁ ବଢିଥିଲା ।
ମହିଳା ହଷ୍ଟେଲ ପାଇଁ ୨୦୧୭ ମସିହାରେ ଜାରି ମାର୍ଗଦର୍ଶିକାରେ ହୋଇଥିବା ବ୍ୟବସ୍ଥା ଅନୁଯାୟୀ ଏଥି ସକାଶେ କେନ୍ଦ୍ର ସରକାର ୬୦ ପତ୍ରିଶତ, ରାଜ୍ୟ ସରକାର ୧୫ ଓ ଏହାକୁ କାର୍ଯ୍ୟକାରୀ କରିବାକୁ ଥିବା ସଂସ୍ଥା ୨୫ ପ୍ରତିଶତ ଅର୍ଥ ଯୋଗାଇଦେବେ । ଏଥି ସହିତ ଆସବାବପତ୍ର ଓ ସାଜସଜା ପାଇଁ କେନ୍ଦ୍ର ସରକାର ମଧ୍ୟ ୬୦ ପ୍ରତିଶତ ଅର୍ଥ ଯୋଗାଇଦେବେ । ୨୦୨୧ ମସିହାରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ମହିଳା ହଷ୍ଟେଲ ପାଇଁ ଆଉ ଏକ ମାର୍ଗଦର୍ଶିକା ଜାରି ହୋଇଥିଲା ।
ସିଏଜିଙ୍କ ରିପୋର୍ଟ ଅନୁଯାୟୀ ୨୦୨୧ ମସିହାରେ ରାଜ୍ୟରେ ମୋଟ୍ ୩୬ଟି କର୍ମଜୀବୀ ମହିଳା ହଷ୍ଟେଲରେ ୨୬୨୨ଟି ଶଯ୍ୟାର ଯୋଜନା ଥିବାବେଳେ ଏଥିରୁ ମାତ୍ର ୧୨ଟି କାର୍ଯ୍ୟକ୍ଷମ ରହିଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ୭ଟି ହଷ୍ଟେଲର ନିର୍ମାଣ କାର୍ଯ୍ୟ ୧୯୯୯ ମସିହାରୁ ୨୦୨୧ ମସିହା ମଧ୍ୟରେ ସରିପାରି ନାହିଁ । ଖୋଦ୍ ସିଏଜି ତାଙ୍କ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି । ୩ଟି ହଷ୍ଟେଲର ନିର୍ମାଣ କାର୍ଯ୍ୟ ଆଦୌ ଆରମ୍ଭ ହୋଇନଥିବାବେଳେ ୮ଟି ହଷ୍ଟେଲ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା ।
ସିଏଜି ଦେଖିବାକୁ ପାଇଥିଲେ ଯେ କାର୍ଯ୍ୟ ନିର୍ବାହୀ ସଂସ୍ଥାମାନଙ୍କୁ ହଷ୍ଟେଲ ବାବଦରେ ୩୦.୮୨ କୋଟି ଟଙ୍କା ମିଳିଥିବାବେଳେ ସେମାନେ ମାତ୍ର ୧୯.୮୮ କୋଟି ଟଙ୍କା ବ୍ୟୟ କରିଥିଲେ । ୫ଟି ହଷ୍ଟେଲର ନିର୍ମାଣ କାର୍ଯ୍ୟ ଅଢେଇ ବର୍ଷ ବିଳମ୍ବରେ ଆରମ୍ଭ ହୋଇଥିଲା ।
ତେବେ କର୍ମଜୀବି ମହିଳା ହଷ୍ଟେଲଗୁଡିକରେ ଶଯ୍ୟା ଅନୁଯାୟୀ ମହିଳାମାନେ ରହୁନଥିବା ମଧ୍ୟ ସିଏଜିଙ୍କ ନଜରକୁ ଆସିଛି । ୨୦୧୬-୨୧ ମଧ୍ୟରେ ୩ଟି ହଷ୍ଟେଲରେ ହାରାହାରି ୭୦ ପ୍ରତିଶତ ଅନ୍ତେବାସୀ ରହିଥିବାବେଳେ ୬ଟିରେ ୫୦ ପ୍ରତିଶତରୁ କମ୍ ରହିଥିଲା । (ତଥ୍ୟ)