ଭୁବନେଶ୍ୱର : ମହିଳା ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ଯେତିକି ଅର୍ଥ ଯୋଗାଉଛନ୍ତି ରାଜ୍ୟ ସରକାର ତାହାଠାରୁ ଅଧିକ ଅର୍ଥ ପ୍ରଦାନ କରୁଛନ୍ତି । ୨୦୧-୨୨ ବର୍ଷରେ କେନ୍ଦ୍ର ସରକାର ଏଥିପାଇଁ ୫୫୩.୩୬ କୋଟି ଟଙ୍କା ଯୋଗାଇଥିବାବେଳେ ରାଜ୍ୟ ସରକାର ଦେଇଛନ୍ତି ୮୬୭.୦୮ କୋଟି ଟଙ୍କା । ସେହିଭଳି ୨୦୨୨-୨୩ ବର୍ଷରେ କେନ୍ଦ୍ର ସରକାର ୬୨୩.୪୦ କୋଟି ଟଙ୍କାର ବରାଦ କରିଥିବାବେଳେ ରାଜ୍ୟ ସରକାର ଏହାର ଦୁଇଗୁଣରୁ ଅଧିକ ଅର୍ଥାତ୍ ୧୩୬୭.୬୦ କୋଟି ଟଙ୍କା ବରାଦ କରିଛନ୍ତି ।
ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚଳିତବର୍ଷ ଫେବୃୟାରୀ ଶେଷ ସୁଦ୍ଧା ରାଜ୍ୟରେ ୬,୦୨,୦୧୩ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଥିବାବେଳେ ଏଥିରେ ୭୦ଲକ୍ଷ ମହିଳା ସଭ୍ୟା ରହିଛନ୍ତି । ସବୁଠାରୁ ଅଧିଖ ୪୧,୨୦୧ ଗୋଷ୍ଠି ଗଞ୍ଜାମ ଜିଲ୍ଲାରେ ଥିବାବେଳେ ଏଠାରେ ସଭ୍ୟାଙ୍କ ସଂଖ୍ୟା ୪,୨୮,୮୫୯ ରହିଛି । ସବୁଠାରୁ କମ୍ ମାତ୍ର ୫୫୧୮ ଏସଏଚଜି ବୌଦ ଜିଲ୍ଲାରେ ଥିବାବେଳେ ଏଠାରେ ସଭ୍ୟାଙ୍କ ସଂଖ୍ୟା ୫୭,୯୩୨ ଅଛି ।
ରାଜ୍ୟରେ ଥିବା ଏସଏଚଜିମାନଙ୍କୁ ଗତ ଚାରି ବର୍ଷ ମଧ୍ୟରେ ବ୍ୟାଙ୍କ୍ ଜରିଆରେ ଅର୍ଥ ଯୋଗାଇ ଦିଆଯାଉଛି । ୨୦୧୯-୨୦ ବର୍ଷରେ ୨,୧୫,୯୨୦ ଏସଏଚଜିଙ୍କୁ ବ୍ୟାଙ୍କ୍ମାନେ ୨୫୩୮ କୋଟି ଟଙ୍କାର ଋଣ ଦେଇଥିବାବେଳେ ୨୦୨୦-୨୧ ବର୍ଷରେ ୨,୪୧,୩୩୯ ଏସଏଚଜିଙ୍କୁ ୪୧୯୦ କୋଟି ୪୪ ଲକ୍ଷ ଟଙ୍କାର ଋଣ ଦିଆଯାଇଥିଲା । ସେହିଭଳି ୨୦୨୧-୨୨ ବର୍ଷରେ ୩,୧୦୮୧୯ ଟି ଏସ୍ଏଚ୍ଜିକୁ ବ୍ୟାଙ୍କ୍ମାନେ ୬୮୩୬କୋଟି ୪୭ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିବାବେଳେ ୨୦୨୨-୨୩ ବର୍ଷର ମାର୍ଚ୍ଚ ୧୦ତାରିଖ ସୁଦ୍ଧା ୩,୨୮,୩୩୨ଟି ଏସଏଚଜିକୁ ୯୫୧୦କୋଟି ୯୦ଲକ୍ଷ ଟଙ୍କାର ଋଣ ଦିଆଯାଇ ସାରିଲାଣି । ଚଳିତ ଆର୍ଥିକ ବର୍ଷରେ ଓଡିଶା ଗ୍ରାମ୍ୟବ୍ୟାଙ୍କ୍ ସର୍ବାଧିକ ୨୪୮୧ କୋଟି ଟଙ୍କାର ଋଣ ଦେଇଥିବାବେଳେ ଭାରତୀୟ ଷ୍ଟେଟବ୍ୟାଙ୍କ୍ ୨୧୦୨ କୋଟି ଟଙ୍କାର ଋଣ ଦେଇଛି । ଇଣ୍ଡସଇନ୍ ବ୍ୟାଙ୍କ୍ ସବୁଠାରୁ କମ୍ ମାତ୍ର ୪ଲକ୍ଷ ଟଙ୍କାର ଋଣ ଦେଇଥିବାବେଳେ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର ଦେଇଥିବା ଋଣ ପରିମାଣ ହେଉଛି ୧୧ଲକ୍ଷ ୫୦ହଜାର ଟଙ୍କା ।
ଏସଏଚ୍ଜି ମହିଳାମାନେ ନେଉଥିବା ଋଣର ସୁଧ ରାଜ୍ୟ ସରକାର ପଇଠ କରୁଛନ୍ତି । ବର୍ଷକୁ ବର୍ଷ ଏହି ସୁଧ ପରିମାଣ ବଢିବାରେ ଲାଗିଛି । ୨୦୧୯-୨୦ ବର୍ଷରେ ରାଜ୍ୟ ସରକାର ଏ ବାବଦରେ ବ୍ୟାଙ୍କ୍ଗୁଡିକୁ ୮୧.୬୩ କୋଟି ଟଙ୍କା ଦେଇଥିବାବେଳେ ୨୦୨୨-୨୩ ବର୍ଷରେ ଫେବୃୟାରୀ ଶେଷସୁଦ୍ଧା ଏହା ୧୬୫.୮୦ କୋଟି ଟଙ୍କାକୁ ଅତିକ୍ରମ କରିଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)