Home News in Odia ମହିଳା ସଂରକ୍ଷଣ ପାଇଁ ଆସନ ହରାଇବେ

ମହିଳା ସଂରକ୍ଷଣ ପାଇଁ ଆସନ ହରାଇବେ

ଭୁବନେଶ୍ୱର : ୨୦୨୯ ସାଧାରଣ ନିର୍ବାଚନରେ ଓଡିଶାର କେଉଁ ଲୋକସଭା ଓ ବିଧାନସଭା ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ତାହା ସୀମା ପୁନଃ ନିର୍ଦ୍ଧାରଣ କମିଶନଙ୍କ ସୁପାରିଶ୍‍ ଆଧାରରେ ସ୍ଥିର ହେବାକୁ ଥିବାବେଳେ ରାଜ୍ୟର ବହୁ ରାଜନେତା କିନ୍ତୁ ଆସନ ହରାଇବା ଭୟରେ ଆତଙ୍କିତ ।

୨୦୨୩ ମସିହାରେ ମହିଳାମାନଙ୍କ ଲାଗି ଏକ ତୃତୀୟାଂଶ ଆସନ ସଂରକ୍ଷଣ ଲାଗି ଯେଉଁ ଆଇନ୍‍ ପ୍ରଣିତ ହୋଇଛି ତାହାକୁ ୨୦୨୪ ନିର୍ବାଚନରେ ଲାଗୁ କରାଯାଇନଥିଲା । ୨୦୨୯ ସାଧାରଣ ନିର୍ବାଚନରେ ଏହା ଲାଗୁ ହେବାର ସମ୍ଭାବନା ଥିବାରୁ ୨୦୧୧ ଜନଗଣନାକୁ ଏ ପ୍ରସଙ୍ଗରେ ଆଧାର କରାଯିବ । ତେବେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣକୁ ଆଖିଆଗରେ ରଖି କେନ୍ଦ୍ର ସରକାର ଲୋକସଭା ଆସନ ସଂଖ୍ୟା ୮୫୦ ପର୍ଯ୍ୟନ୍ତ ବଢାଇବାକୁ ସଂସଦରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଣିଛନ୍ତି । ଲୋକସଭା ପାଇଁ ମହିଳାଙ୍କ ଆସନ ସଂରକ୍ଷଣ ଲାଗୁ ହେବା ସହିତ ରାଜ୍ୟ ବିଧାନସଭାଗୁଡିକରେ ବି ଏହାର ପ୍ରଭାବ ପଡିବାକୁ ଯାଉଛି ।

ଦେଶ ଜନସଂଖ୍ୟାର ପାଖପାଖି ଅଧା ମହିଳା ଥିବାବେଳେ ଏବେ ଲୋକସଭାରେ ଅଛନ୍ତି ମାତ୍ର ୭୪ଜଣ ମହିଳା ସାଂସଦ ଯାହାକି ସାଂସଦ ସଂଖ୍ୟାର ମାତ୍ର ୧୩.୬ ପ୍ରତିଶତ । ରାଜ୍ୟ ବିଧାନସଭାଗୁଡିକରେ ବି ମହିଳମାନଙ୍କ ପ୍ରତିନିଧିତ୍ୱ କୌଣସି ଗୋଟିଏ ହେଲେ ରାଜ୍ୟରେ ୨୫ ପ୍ରତିଶତରୁ ଅଧିକ ନାହିଁ । ପୁରୁଷ ପ୍ରାଧାନ୍ୟ ମାନସିକତା ଯୋଗୁଁ ଅଧିକାଂଶ ରାଜନୈତିକଦଳ ଜିଣିବାର ସମ୍ଭାବନାକୁ ଆଖିଆଗରେ ରଖି ଖୁବ୍‍ କମ୍‍ ଆସନରେ ମହିଳା ପ୍ରାର୍ଥୀ ଛିଡା କରାଉଥିବାରୁ ସେମାନଙ୍କ ପ୍ରତିନିଧିତ୍ୱ ବି କମ୍‍ ରହୁଛି ।

ଓଡିଶାରେ ଏବେ ୨୧ଟି ଲୋକସଭା ଆସନ ଥିବାବେଳେ ଏହି ସଂଖ୍ୟା ୨୯ ପର୍ଯ୍ୟନ୍ତ ବଢିପାରେ । ସେହିଭଳି ପୂର୍ବରୁ ଦିଆଯାଇଥିବା ସୂଚନା ମୁତାବକ ଓଡିଶା ବିଧାନସଭାର ସଦସ୍ୟ ସଂଖ୍ୟା ୧୪୭ରୁ ପାଖପାଖି ୨୦୦ ପର୍ଯ୍ୟନ୍ତ ବଢାଯିବାର ସମ୍ଭାବନା ରହିଛି । ତେଣୁ ନୂଆ ବିଧାନସଭା ଗୃହ ନିର୍ମାଣ ଲାଗି ବି ଘୋଷଣା କରାଯାଇଛି ।

ବିଭିନ୍ନ ଦଳର ରାଜନେତାମାନେ ଆଶଙ୍କା କରୁଛନ୍ତି ଯେ ଆଗାମୀ ନିର୍ବାଚନରେ ମହିଳା ସଂରକ୍ଷଣ ଆଳରେ ସେମାନଙ୍କ ଦଳୀୟ ଟିକଟ କଟିପାରେ । ଏହି ଦୃଷ୍ଟିରୁ ନିଜର ରାଜନୈତିକ ଭବିଷ୍ୟତ ଲାଗି କେତେକ ନେତା ସେମାନଙ୍କ ପତ୍ନୀ ଓ ଅନ୍ୟ ସମ୍ପର୍କୀୟାମାନଙ୍କୁ ଟିକଟ ଦିଆଇବା ମତଲବରେ ଅଛନ୍ତି । ଏ ପରିପ୍ରେକ୍ଷୀରେ ଆଗାମୀ ସାଧାରଣ ନିର୍ବାଚନବେଳେ ବ୍ୟାପକ ଦଳ ବଦଳ ସମ୍ଭାବନାକୁ ବି ଏଡାଇ ଦେଇହେବ ନାହିଁ ।

ଅତୀତରେ ପୌର ଓ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଥିଲା । ଏବେ ଓଡିଶାରେ ତାହା ୫୦ ପ୍ରତିଶତକୁ ବଢିଛି । ଏ କ୍ଷେତ୍ରରେ ସଂରକ୍ଷିତ ଆସନ ବାରମ୍ବାର ବଦଳୁଛି । ଏମିତିକି କୌଣସି ନିର୍ଦ୍ଦିଷ୍ଟ ସ୍ଥାନୀୟ ନେତାଙ୍କୁ ନିର୍ବାଚନରୁ ଦୂରେଇ ରଖିବାପାଇଁ ସେମାନଙ୍କ ଆସନକୁ ବି ସଂରକ୍ଷିତ ଘୋଷଣା କରାଯିବାର ବହୁ ନଜିର ରହିଛି । ଏଭଳି ସ୍ଥଳରେ ଅନେକ ଚତୁର ବ୍ୟକ୍ତି ନିଜ ପତ୍ନୀ କିମ୍ବା ଅନ୍ୟ ସମ୍ପର୍କୀୟାଙ୍କୁ ପୌର ଓ ପଞ୍ଚାୟତ ନିର୍ବାଚନରେ ମହିଳା ସଂରକ୍ଷଣ ଆଳରେ ପ୍ରାର୍ଥୀ କରାଇ ବସ୍ତୁତଃ ନିଜ ହାତରେ କ୍ଷମତା ରଖିଛନ୍ତି ।

ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଲାଗୁହେବାକୁ ଯାଉଥିବା ମହିଳା ସଂରକ୍ଷଣ ପ୍ରତି ନିର୍ବାଚନରେ ନିର୍ବାଚନମଣ୍ଡଳୀୱାରୀ ବଦଳିବ ନା ଦୀର୍ଘଦିନ ପାଇଁ ସ୍ଥାୟୀଭାବେ ରହିବ ସେ ସଂକ୍ରାନ୍ତରେ ଏଯାବତ୍‍ ଚିତ୍ର ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆଶା ଓ ଆଶଙ୍କା ଭିତରେ ବହୁ ନେତାଙ୍କ ଛାତି ଧଡପଡ ହେଉଛି । ଉଭୟ ସରକାରୀ ଓ ବିରୋଧିଦଳର ବହୁ ନେତା ଏହା ସ୍ୱୀକାର କରୁଥିଲେ ମଧ୍ୟ ପ୍ରକାଶ କରିବାକୁ ଡରୁଛନ୍ତି । (ତଥ୍ୟ)